ନୂଆଦିଲ୍ଲୀ: ନିଲାମ ହେଲା ଟୁଇଟରର ପ୍ରସିଦ୍ଧ ଲୋଗୋ ‘ପକ୍ଷୀ’ । ପ୍ରାୟ ୧ଲକ୍ଷ ଡଲାର୍ ବା ଭାରତୀୟ ମୁଦ୍ରାରେ ୮୧,୨୫,୦୦୦ ଟଙ୍କାରେ ବିକ୍ରୟ କରାଯାଇଥିବା ‘ବିବିସି’ ରିପୋର୍ଟ ତରଫରୁ ପ୍ରକାଶ ପାଇଛି । ମଙ୍ଗଳବାର ସାନ୍ ଫ୍ରାନସିସକୋସ୍ଥିତ କାର୍ଯ୍ୟାଳୟରୁ ପୁରୁଣା ସାମଗ୍ରୀ ହଟାଇବା ପାଇଁ ଟୁଇଟର୍ ପକ୍ଷରୁ ନିଲାମ ଡକାଯାଇଥିଲା। ବିଭିନ୍ନ ସ୍ମରଣୀୟ ସାମଗ୍ରୀଠୁ ଆରମ୍ଭ କରି, ଇଲେକ୍ଟ୍ରୋନିକ୍ସ୍ ସାମଗ୍ରୀ, ଆସବାବ୍ପତ୍ର ଏବଂ କିଚେନ୍ ସପ୍ଲାଏକୁ ମିଶାଇ ପ୍ରାୟ ୬୦୦ ସାମଗ୍ରୀକୁ ନିଲାମ କରାଯାଇଥିଲା।
ନିଲାମ ପରିଚାଳନା କରିଥିବା ‘ହେରିଟିଜ୍ ଗ୍ଲୋବାଲ୍ ପାର୍ଟନର୍ସ’ କହିବା ଅନୁସାରେ, ପ୍ରାୟ ୪ ଫୁଟ୍ ଉଚ୍ଚର ଟୁଇଟର୍ ଲୋଗୋକୁ ୧ଲକ୍ଷ ଡଲାର୍ରେ ନିଲାମ କରାଯାଇଛି। ହେଲେ ଏହା କେତେ ଟଙ୍କାରେ ନିଲାମ ଡକା ଯାଇଥିଲା ଓ ଏହାକୁ କିଏ କିଣିଛନ୍ତି ତାହା ଜଣାପଡିନାହିଁ । କମ୍ପାନିକୁ ପଚରାଯିବାରୁ ତାଙ୍କ ପରିଚୟ ଗୋପନ ରକ୍ଷା ଯାଇଥିବା କୁହାଯାଇଛି।
ଦ୍ୱିତୀୟ ମୂଲ୍ୟବାନ ସାମଗ୍ରୀ ଭାବେ, ୧୦ଫୁଟର ନିଅନ୍ ‘ଟୁଇଟର୍ ବାର୍ଡ’ ଡିସ୍ପ୍ଲେ ୪୦ହଜାର ଡଲାର୍ ବା ୩,୨୧,୮୨୪୦ଟଙ୍କାରେ ବିକ୍ରି ହୋଇଛି। ନିଲାମ ହୋଇଥିବା ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ମଧ୍ୟରେ ବିୟର୍ ରଖିବା ନିମନ୍ତେ ୩ଟି କେଜେରେଟର୍, ଗୋଟିଏ ଫୁଡ୍ ଡିହାଇଡ୍ରେଟର୍ ଏବଂ ଗୋଟାଏ ପିଜା ଓଭେନ୍ ରହିଛି। ଉପରୋକ୍ତ ପ୍ରତ୍ୟେକ ସାମଗ୍ରୀକୁ ୧୦ହଜାର ଡଲାର୍ ବା ୮୧୫,୨୩୩ ଟଙ୍କାରେ ବିକ୍ରୟ ହୋଇଥିବା କଥା ‘ଫୋବ୍ର୍ସ’ ପତ୍ରିକା ରିପୋର୍ଟ କରିଛି।
ସେହିପରି, @ ଆକୃତିର ଗୋଟାଏ ୬ ଫୁଟ୍ବିଶିଷ୍ଟ ‘ପ୍ଲାଣ୍ଟର୍’ ପ୍ରାୟ ୧୫,୦୦୦ ଡଲାର୍ ବା ୧୨,୨୧,୯୯୦ ଟଙ୍କା ଏବଂ ଗୋଟାଏ କାଠ ନିର୍ମିତ କନ୍ଫରେନ୍ସ୍ ରୁମ୍ ଟେବୁଲ୍ ୧୦,୫୦୦ଡଲାର୍ ବା ୮,୫୫,୩୯୩ ଟଙ୍କାରେ ନିଲାମ ହୋଇଛି।
ଏଲନ ମସ୍କ ଟୁଇଟରକୁ କିଣି ନେବା ପରଠାରୁ ଅନେକ ଖର୍ଚ୍ଚକାଟ କରିଛନ୍ତି । କମ୍ପାନୀର ପ୍ରାୟ ଅଧା କର୍ମଚାରୀଙ୍କୁ ଛଟେଇ ପରିବା ସହ ଅନେକ ସୁବିଧାକୁ ବନ୍ଦ କରି ଦେଇଛନ୍ତି । ଯେମିତି ମାଗଣା ଭୋଜନର ବ୍ୟବସ୍ଥା ଥିଲା ତାକୁ ବନ୍ଦ କରି ଦେଇଛନ୍ତି ।
Comments are closed.