ବିଜାପୁର: ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଦୁଇ ଯବାନ ଆହତ ହୋଇଥିବା ଜଣାପଡିଛି। ବିଜାପୁର ଜିଲ୍ଲା ବାସାଗୁଡା ଥାନା ଅନ୍ତର୍ଗତ ପୁତକେଲ ସିଆରପିଏଫ କ୍ୟାମ୍ପର କୋବ୍ରା ବାଟାଲିୟନର ଯବାନ ମାନେ ଗୁରୁବାର ସକାଳେ କେରିପୁ ଜଙ୍ଗଲକୁ କମ୍ବିଂ ଅପରେସନ କରିବା ଲାଗି ଯାଉଥିଲେ। ସେହି ସମୟରେ ମାଓବାଦୀ ମାନେ ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି।
ଘଟଣାସ୍ଥଳରେ ଦୁଇ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁଇ ଯବାନଙ୍କୁ ତୁରନ୍ତ ହେଲିକ୍ୟାପ୍ଟର ଯୋଗେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଦୁଇ ଯବାନ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି।
ଅନ୍ୟପଟେ ଛତିଶଗଡ଼ର କୋଣ୍ଡାଗାଓଁ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। କମ୍ବିଂ ଅପରେସନ ବେଳେ ଜଙ୍ଗଲରୁ ଠାବ ହୋଇଛି ବଡଧରଣର ମାଓ ଡମ୍ପ। ଯେଉଁଥିରୁ ବିପୁଳ ପରିମାଣରେ ସାମଗ୍ରୀ ଜବତ ହୋଇଛି। ପୁଙ୍ଗାରପାଲ ଥାନା ଅନ୍ତର୍ଗତ କୁଟୁର ଏବଂ ତୁମ୍ରିୱାଲ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ପକ୍ଷରୁ କମ୍ବିଂ ଚାଲିଥିଲା। ସେଠାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ଲାଗି ମାଓବାଦୀ ମାନେ ଲୁଚାଇ ରଖିଥିବା ଏକ ଡମ୍ପ ଭିତରୁ ୧୪ଟି ଭାର୍ମର ବନ୍ଧୁକ ଓ ୧୪ଟି ଟିଫିନ୍ ବୋମା ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।