Latest Odisha News

BREAKING NEWS

ବିକ୍ରି ପାଇଁ ଚାଲିଥିଲା ଡିଲ,ମାଡ଼ି ବସିଲା ବନ ବିଭାଗ: ୨ ଟି ହାତୀ ଦାନ୍ତ ଜବତ, ୧୦ ଗିରଫ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଅଞ୍ଚଳରେ ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ସୂଚନା ପାଇଁ ଚଢାଉ କଲା ବନ ବିଭାଗର ସ୍ୱତନ୍ତ୍ର ଟିମ। ସେଠାରୁ ୨ଟି ହାତୀ ଦାନ୍ତ ଜବତ କରାଯାଇଥିବେ ବେଳେ ୧୦ ଜଣଙ୍କୁ ବନ ବିଭାଗ ଅଟକ ରଖିଛି। ଜବତ ହାତୀଦାନ୍ତ ମଧ୍ୟରୁ ଗୋଟିଏର ଲମ୍ବା ୨୪ ଇଞ୍ଚ ଓ ଅନ୍ୟଟି ୨୨ ଇଞ୍ଚ୍‌।

ଏହାର ଆନୁମାନିକ ବଜାର ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଗିରଫ ତସ୍କରମାନେ ହାତୀଦାନ୍ତ ଦୁଇଟିକୁ ମାଟି ଭିତରେ ପୋତି ରଖିଥିଲେ। ବନବିଭାଗ ଟିମ ସୂଚନା ପାଇ ଗାଁ ଉପରେ ଚଢ଼ଉ କରିବା ସହ ମାଟି ଭିତରେ ପୋତାଯାଇଥିବା ଦାନ୍ତ ଦୁଇଟିକୁ ଖୋଳି ବାହାର କରିଥିଲେ। କେ.ବଲାଙ୍ଗ ଅଞ୍ଚଳରେ ବିଳମ୍ବିତ ରାତିରେ ହାତୀ ଦାନ୍ତ ବିକ୍ରି ପାଇଁ ଡିଲ ହେଉଥିବା ନେଇ ଗୁପ୍ତ ସୂଚନା ପାଇଥିଲା ରାଉରକେଲା ବନ ବିଭାଗ। ବିଭାଗର ଏକ ସ୍ୱତନ୍ତ୍ର ଟିମ ବାଙ୍କି ଫରେଷ୍ଟ ରେଞ୍ଜର କର୍ମଚାରୀଙ୍କୁ ନେଇ ସେଠାରେ ଚଢାଉ କରିଥିଲା।

ତେବେ ଗ୍ୟାଙ୍ଗରେ ଆହୁରି କିଛି ଲୋକଙ୍କ ସମ୍ପୃ୍କ୍ତି ଥିବା ଅନୁମାନ କରାଯାଉଛି। ଏ ସମ୍ପର୍କରେ ବନବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଗତ ଦୁଇବର୍ଷ ତଳେ ବାଙ୍କିରେଞ୍ଜ ଅନ୍ତର୍ଗତ ବରାଇବୁରୁ ଜଙ୍ଗଲରେ ଏକ ଦନ୍ତାହାତୀକୁ ମାରି ଦୁଇଟି ଦାନ୍ତ କାଢ଼ି ନିଆଯାଇଥିଲା। ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ହାତୀର ଶବ ଜବତ କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ହାତୀକୁ ହତ୍ୟା କରି ଦାନ୍ତ କାଟି ନିଆଯାଇଥିବା ସ୍ପଷ୍ଟ ହୋଇଥିଲା। ତେଣୁ ଆଜି ଜବତ ଦାନ୍ତ ଦୁଇଟି ହତ୍ୟା କରାଯାଇଥିବା ଉକ୍ତ ହାତୀର ବୋଲି ଅନୁମାନ କରାଯାଉଛି। ହାତୀଦାନ୍ତ ଜବତ ପରେ ବନବିଭାଗର ସ୍ବତନ୍ତ୍ର ଟିମ୍‌ ସ୍ଥାନୀୟ ଅଞ୍ଚଳରେ ଚଢ଼ଉ ଜୋରଦାର କରିଛି।

Leave A Reply

Your email address will not be published.