Latest Odisha News

BREAKING NEWS

ଓଡ଼ିଶାରେ ବିଜେପିର ଦମଦାର ପ୍ରଚାର; ଆଜି ଆସୁଛନ୍ତି ଯୋଗୀ, ନଡ୍ଡା ଓ ହିମନ୍ତ

ଭୁବନେଶ୍ୱର: ପ୍ରଚାର କରିବା ପାଇଁ ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ବହୁ କେନ୍ଦ୍ରୀୟ ନେତା। ତୃତୀୟ ପର୍ଯ୍ୟାୟ ନିର୍ବାଚନ ୨୫ ତାରିଖରେ ହେବାକୁ ଥିବା ବେଳେ ୬ଟି ଲୋକସଭା ଓ ଏହା ଅଧୀନରେ ଆସୁଥିବା ୪୨ଟି ବିଧାନସଭା ଆସନରେ ପଡ଼ିବ ଭୋଟ । ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ବାକି ରହିଛି। ଏଥିପାଇଁ କେନ୍ଦ୍ର ନେତାଙ୍କର ଓଡ଼ିଶା ଉପରେ ରହିଛି ଫୋକସ। ନିର୍ବାଚନର ଶେଷ ସୁଦ୍ଧା ଆହୁରି କେନ୍ଦ୍ରୀୟ ନେତା ଓଡିଶା ଗସ୍ତ କରିବେ ବୋଲି ମଧ୍ୟ ଜଣାପଡ଼ିଛି। ଆଜି ଓଡ଼ିଶା ଆସୁଛନ୍ତି ବିଜେପିର ୩ ଜଣ ହେଭିୱେଟ । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ଥର ପାଇଁ ନିର୍ବାଚନୀ ପ୍ରଚାରରେ ଓଡିଶା ଗସ୍ତରେ ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଖୋର୍ଦ୍ଧାର ବାଣପୁର ଏବଂ କଟକର ମାହାଙ୍ଗାରେ କରିବେ ନିର୍ବାଚନୀ ପ୍ରଚାର ।

ବିଭିନ୍ନ ସ୍ଥାନରେ ପ୍ରଚାର କରିବେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଯୋଗୀ ଆଦିତ୍ୟନାଥ ଆଜି ମାହାଙ୍ଗାରେ ଜନସଭାକୁ ସମ୍ବୋଧିତ କରିବେ । ବିଜେପି ପ୍ରାର୍ଥୀ ସୁମନ୍ତ ଘଡ଼ାଇଙ୍କ ପାଇଁ ଭୋଟ ଭିକ୍ଷା କରିବେ । ଯୋଗୀଙ୍କ ସଭା ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ପଡ଼ିଆରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଯୋଗୀ ଆଦିତ୍ୟନାଥ ଆଜି ପୂର୍ବାହ୍ନ ୧୦.୧୫ରେ ଚିଲିକା ନିର୍ବାଚନମଣ୍ଡଳୀର ବାଣପୁରଠାରେ ଏବଂ ପୂର୍ବାହ୍ନ ୧୧.୩୦ରେ ମାହାଙ୍ଗା ନିର୍ବାଚନମଣ୍ଡଲୀର କୁଳିଆ ମାର୍କେଟ ପଡିଆରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ।

ସେହିପରି ଜେପି ନଡ୍ଡା କରଂଜିଆ, ଧାମନଗର, ବଡ଼ଚଣା ଓ ବାଲିକୁଦାରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି । ଆସାମ ମୁକ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ସମ୍ବଲପୁର, ଦେବଗଡ଼, ଚମ୍ପୁଆ ଓ ବଡ଼ମ୍ବାରେ ପ୍ରଚାର କରିବେ । ସେହିପରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ପୂର୍ବାହ୍ନ ୧୧ଟାରେ କରଞ୍ଜିଆ, ମଧ୍ୟାହ୍ନ ୧୨.୩୦ରେ ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳିଠାରେ, ଅପରାହ୍ନ ୧.୩୦ରେ ବଡଚଣା ଏବଂ ଅପରାହ୍ଣ ୩.୩୦ରେ ବାଲିକୁଦା ନିର୍ବାଚନମଣ୍ଡଳୀର ଏରସମାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ।

ହିମନ୍ତ ବିଶ୍ୱଶର୍ମା ସକାଳ ୮.୩୦ରେ ସମ୍ବଲପୁର ଗସ୍ତ କରିବେ। ସେଠାରେ ସେ ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରି ଆର୍ଶୀବାଦ ଗ୍ରହଣ କରିବେ। ଏହାପରେ ସକାଳ ୦୯.୧୫ରେ ସମ୍ବଲପୁରଠାରେ ଥିବା ସ୍ୱର୍ଗତଃ ବିଜୁ ବରୁଆଙ୍କ ଜନ୍ମ ସ୍ଥାନକୁ ଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବେ। ଏହାପରେ ସେ ଦେବଗଡଠାରେ ପୂର୍ବାହ୍ନ ୧୦.୩୦ରେ ‘ରୋଡ୍ ଶୋ’ରେ ଯୋଗ ଦେବେ। ମଧ୍ୟାହ୍ନ ୧.୩୦ରେ ଚମ୍ପୁଆ ନିର୍ବାଚନମଣ୍ଡଳୀର ବଡବିଲ, ଅପରାହ୍ଣ ୩ ଟାରେ ଚୌଦ୍ୱାର ଏବଂ ଅପରାହ୍ଣ ୪ଟାରେ ବଡମ୍ବାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.