Latest Odisha News

BREAKING NEWS

ଦୁଇଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ୨ ମୋଷ୍ଟ ୱାଣ୍ଟେଡ୍ ଅପରାଧି ଗୁରୁତର ଆହତ

ପୁରୀ/ବ୍ରହ୍ମପୁର: ଓଡ଼ିଶାରେ ୨ଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଯେଉଁମାନେ କି ପୋଲିସ ଫାଇଲରେ ମୋଷ୍ଟ ୱାଣ୍ଟେଡ୍ କ୍ରିମିନାଲ୍ସ ଭାବେ ବିବେଚିତ ହେଉଥିଲେ ସେମାନେ ମଙ୍ଗଳବାର ସକାଳେ ପୋଲିସ ଗୁଳିରେ ଗୁରୁତର ଆହତ ହୋଇଛନ୍ତି ।

ପ୍ରଥମ ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅଞ୍ଚଳରେ । ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ କୁମାର ମାଛୁଆ ଓରଫ ମଣି ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ଗୁଡ଼ିଢେପ ଗ୍ରାମରେ ମଙ୍ଗଳବାର ସକାଳେ ପୋଲିସ ଏନକାଉଣ୍ଟରରେ ଗୁରୁତର ଆହତ ହୋଇଛି ।

ଗୁଡ଼ିଢେପ ଗ୍ରାମରେ ମଣି ରହିଥିବାର କୌଣସି ସୂତ୍ରରୁ ଖବରପାଇ ଖଲ୍ଲିକୋଟ ଥାନା ପୋଲିସ ସଦଳବଳେ ମଣି ଲୁଚିଥିବା ଅଞ୍ଚଳକୁ ଠାବ କରି ରେଡ୍ କରିଥିଲେ । ପୋଲିସର ଉପସ୍ଥିତିକୁ ଦେଖି ଖସିଯିବାକୁ ଚେଷ୍ଟା କରି ମଣି ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା । ପୋଲସ ବାଧ୍ୟ ହୋଇ ଗୁଳି ଚାଳନା କରିବା ଫଳରେ ମଣିର ଡ଼ାହାଣ ଗୋଡ଼ରେ ଗୁଳି ବାଜିଥିଲା । ମଣି ତାହାର ମୋଟରସାଇକେଲକୁ ଛାଡ଼ିଦେଇ ସେଠାରୁ ଖସିଯିବାକୁ ଚେଷ୍ଟା କରିବା ମାତ୍ରେ ପୋଲିସ ତାକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପରେ ପୋଲିସ ଘଟଣାସ୍ଥଳରୁ ଗୋଟିଏ ଦେଶୀ ପିସ୍ତଲ ସହିତ ୩ଟି ଅଫୁଟା ଗୁଳି ଏବଂ ଏକ ମୋଟରସାଇକେଲ ଜବତ କରିଛି । ଗୁରୁତର ଆହତ ଅବସ୍ଥାରେ ମଣିକୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ପୋଲିସର ସୂଚନାନୁଯାୟୀ, ମଣି ନାମରେ ୧୦ଟି ଡ଼କାୟତି ସହିତ ଲୁଟର ମାମଲା ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ ରହିଛି । ମଣି ନିକଟରେ ଖଲ୍ଲିକୋଟର ବାଡ଼ଘାଟି ଗାଁ’ରେ ଘଟିଥିବା ଡ଼କାୟତି ସହିତ ସଂପୃକ୍ତ ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ସେହିପରି ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଅନ୍ୟ ଏକ ଘଟଣାରେ ୩ଜଣ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ମୋଷ୍ଟ ୱାଣ୍ଟେଡ୍ ଅପରାଧି ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ଖବର ହସ୍ତଗତ ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ଆହତ ଅପରାଧୀ ସଞ୍ଜୟ ବେହେରା ଓରଫ ପାର ଗୁଣ୍ଡିଚା ମନ୍ଦିର ପଛପଟେ ରହିଥିଲା । ସେ ନାକଚଣା ମନ୍ଦିର ବାଟ ଦେଇ ସରଧାବାଲି ଅଞ୍ଚଳ ଦେଇ ବଜାରକୁ ଆସୁଥିବା ବେେଳେ ୩ ଜଣ ଅଜଣା ଦୁର୍ବୃତ୍ତ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଏହି ଗୁଳିକାଣ୍ଡ ପରେ ପାର ଘଟଣାସ୍ଥଳରୁ ଖସି ଚାଲିଯିବାକୁ ଚେଷ୍ଟା କରୁଥିବା ବେଳେ ସେହି ୩ ଜଣ ଯୁବକ ପୁଣି ପାର ଉପରକୁ ଗୋଟିଏ ରାଉଣ୍ଡ ଗୁଳି ମାଡ କରିଥିଲେ । ପାରର ଡ଼ାହାଣ କାନ୍ଧରେ ଗୁଳିମାଡ଼ ହେବା ପରେ ସେ ସେଠାରେ ଟଳି ପଡ଼ିଥିଲା । ସେଠାରେ ଟଳିପଡ଼ିବା ପରେ ୩ଜଣ ଯୁବକ ଏକ ଇଟାରେ ତା ମୁଣ୍ଡକୁ ଛେଚିଦେଇ ସେଠାରୁ ଚାଲିଯାଇଥିଲେ ।

ଏହି ଘଟଣା ସମ୍ପର୍କରେ ଖବର ପାଇ ଏକ ସାଇଣ୍ଟିଫିକ୍ ଟିମ୍ ସହିତ କୁମ୍ଭାରପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ଅପରାଧି ପାରକୁ ପୋଲିସ ତୁରନ୍ତ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗୁରୁତର ଆହତ ଅବସ୍ଥାରେ ତାକୁ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତରୀତ କରାଯାଇଛି ।

ଏହି ଘଟଣା ସମ୍ପର୍କରେ ପୁରୀ ସହର ଡ଼ିଏସପି ପ୍ରଶାନ୍ତ କୁମାର ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି, ପାର ନିକଟରେ ଜେଲରୁ ମୁକୁଳିଥିଲା । ପୁରୀ ସହରରେ ଅନେକ ବୋମାମାଡ଼ ତଥା ଅନେକ ଅପରାଧ ସହିତ ସେ ସଂପୃକ୍ତ ଥିଲା ।

ଏହି ଗୁଳିକାଣ୍ଡ ଘଟଣାର କାରଣ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ପୋଲିସ ଡ଼ିଏସପି କହିଛନ୍ତି, ପାର ସହିତ ଅନ୍ୟ ଗୋଷ୍ଠୀର ଶତ୍ରୁତା ରହିଥିଲା, ଏବଂ ଜେଲରୁ ମୁକୁଳିବା ପରେ ସେ ଆକ୍ରମଣ କରିବାର ସମ୍ଭାବନା ରହିଥିବାରୁ ତାକୁ ସେହି ଗୋଷ୍ଠୀର ବ୍ୟକ୍ତିମାନେ ଗୁଳିମାଡ଼ କରିଥିବାର ସନ୍ଦେହ କରାଯାଉଛି ।

Leave A Reply

Your email address will not be published.