ଉଡାଣ
ବେବିନା ରଥ
ନିଜେ ନିଜକୁ ବାନ୍ଧିଥାଏ ବୋଲି ତ
ଉଡି ପାରେନା ।
ଯେତେବେଳେ ଜହ୍ନ ଯାଇଥାଏ ତା ମାମୁଁଘରକୁ
ତାରାମାନେ ଘୁମେଇଁ ପଡିଥାନ୍ତି ମେଘ ଉହାଡରେ
ସେତେବେଳେ ମୁଁ ଆକାଶ ସହିତ କଥା ହୁଏ
ଆକାଶ ପଚାରେ ଉଡିବୁ?
ମୁଁ କିଛି କହେନି ।
ନିଜଠୁଁ ଫିଟିଲେ ତ ଉଡିବି!
ବିନା ଲୁଗାରେ ଢାଙ୍କି ଦେବାପାଇଁ
ଆକାଶର ନା ଏତେ ଅନ୍ଧାର ଅଛି
ନା ନିଜେ ନିଜଠୁଁ ଫିଟିବା ପାଇଁ
ମୋର ଏତେ ତାକତ୍ !
ଏମିତି ନହେଉ
ଉଡିବାର ଅପଚେଷ୍ଟା କରୁକରୁ
ତାରାଟିଏ ମେଘ ଉହାଡରୁ
ଆଖିମିଟିକା ନ ମାରୁ
ଆମ ବାଡି ପଛପାଖ ସଜନା ଗଛରେ
ନିତି ହାଟ କରୁଥିବା ପକ୍ଷୀମାମାନେ
ଦିନେ କହିଲେ- ଉଡିବୁ?
ସେମାନେ ଗଛ ଡାଳରୁ
ଗୋଟିଏ ଗୋଟିଏ ପର ଫିଙ୍ଗିଲେ
ମୁଁ ସେ ସବୁକୁ ଗୋଟାଉ ଗୋଟାଉ
ପତ୍ର ଖାଉଥିବା ସଂବାଳୁଆଟି ହସିଦେଲା ।
କହିଲା- ତୋ ଦେଇ କିଛି ହବନି ।
ଯା, ଘରକଣରେ ମୁହଁମାଡି ପଡିବୁ
ସବୁ ଅବସୋସକୁ ଖୋଷା କରି
ଘେରେଇବୁ ଦେହ ଚାରିପାଖେ
ନିଃଶ୍ୱାସର ପବନରେ ଗଢିବୁ ହଳେ ପର
ତା ପରେ ପ୍ରଜାପତିଟିଏ ହୋଇ
ଡେଣା ମେଲି ଉଡିବୁ
ମୁଁ ଆତଙ୍କିତ ହୋଇ କହିଲି
ଯଦି ଝିଟିପିଟି ଧରିନିଏ?
ସେ କହିଲା-
ଉଡାଣର କି ମୃତ୍ୟୁ ଥାଏ?
Comments are closed.