Latest Odisha News

BREAKING NEWS

ମରାଠୀ ଭାଷା ପାଇଁ ଏକାଠି…ବଦଳିବ ମହାରାଷ୍ଟ୍ର ରାଜନୀତି !

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ବଡ଼ ଟୁଇଷ୍ଟ ! ୨୦ବର୍ଷ ପରେ ଗୋଟିଏ ମଞ୍ଚରେ ଠାକରେ ଭାଇ। ମୁମ୍ବାଇ ଓ୍ବର୍ଲିରେ ଶିବସେନା ୟୁବିଟି ଓ ମହାରାଷ୍ଟ୍ର ନବନିର୍ମାଣ ସେନାର ମିଳିତ ରାଲି କରାଯାଇଛି । ରାଲିର ନାଁ ଥିଲା ମରାଠୀ ବିଜୟ ରାଲି । ଏଥିରେ ଉଦ୍ଧବ ଠାକରେ ଓ ରାଜ ଠାକରେଙ୍କୁ ଏକାଠି ଦେଖିବାକୁ ମିଳିଛି । ରାଲିକୁ ସମ୍ବୋଧନ କରି ସେମାନେ ଏକାଠି ରହିବା ପାଇଁ ଏକାଠି ଆସିଛନ୍ତି । ମରାଠୀଙ୍କୁ ଅପମାନକୁ ବରଦାସ୍ତ କରାଯିବନି ବୋଲି ଉଦ୍ଧବ କହିଛନ୍ତି । ସେପଟେ ଯାହା ବାଲାସାହେବ କରିପାରିଲେନି ତାକୁ ଦେବେନ୍ଦ୍ର ଫଡନାବିସ କରି ଦେଖାଇଲେ, ସେମାନଙ୍କୁ ଏକ୍ କରିଦେଲେ ବୋଲି ରାଜ ଠାକରେ କହିଛନ୍ତି । ଦୁଇ ସଂପର୍କୀୟ ଭାଇଙ୍କ ଐତିହାସିକ ମିଳନ ମହାରାଷ୍ଟ୍ର ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିପାରେ ବୋଲି ଚର୍ଚ୍ଚା ହେଉଛି ।

ମରାଠୀ ଭାଷା ପାଇଁ ଏକାଠି

ମୁମ୍ବାଇରେ ମରାଠୀ ଭାଷା ପାଇଁ ସ୍ବର ମିଳାଇଛନ୍ତି ଉଦ୍ଧବ ଠାକରେ ଓ ରାଜ ଠାକରେ । ଉଭୟ ଏକାଠି ହୋଇଛନ୍ତି ଓ ଏକାଠି ରହିବେ ବୋଲି ଘୋଷଣା କରିଛନ୍ତି ଉଦ୍ଧବ । ମରାଠୀ ଭାଷାର ଅପମାନକୁ ବରଦାସ୍ତ କରାଯିବନି । ୟୁଜ ଆଣ୍ଡ ଥ୍ରୋ ନୀତିର ବ୍ୟବହାର କରାଯାଉଛି । ହେଲେ ଏବେ ସେମାନଙ୍କୁ ଉପାଡି ଫୋପାଡିଦେବେ । ତାଙ୍କୁ ହିନ୍ଦୁତ୍ବ ଶିଖାଇବା ଆବଶ୍ୟକତା ନାହିଁ ବୋଲି ଉଦ୍ଧବ ଠାକରେ କହିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଗୁଣ୍ଡାଗର୍ଦ୍ଦିକୁ ବରଦାସ୍ତ କରିବେନି ବୋଲି କହିଛନ୍ତି। ଯଦି ନିଜ ଭାଷା ପାଇଁ ଲଢିବା ଗୁଣ୍ଡାଗିରି, ତେବେ ସେମାନେ ଗୁଣ୍ଡା ବୋଲି କହିଛନ୍ତି ଉଦ୍ଧବ । ସେହିପରି ଜାତି ଆଧାରରେ ସେମାନେ ବିଭାଜନ କରିବେ ହେଲେ ମରାଠୀ ଭାଷା ପାଇଁ ଏକଜୁଟ ହେବାକୁ ଦେବେନି । କେହିବି ମରାଠୀକୁ ତେରେଛା ନଜରରେ ଦେଖିବା ଉଚିତ୍ ନୁହେଁ ବୋଲି ରାଜ ଠାକରେ କହିଛନ୍ତି ।

ବଦଳିବ ମହାରାଷ୍ଟ୍ର ରାଜନୀତି !

ପ୍ରାୟ ୨୦ବର୍ଷ ପରେ ରାଜ ଠାକରେ ଓ ଉଦ୍ଧବ ଠାକରେ ଏକାଠି ହେବାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି । ମରାଠୀ ଅସ୍ମିତା ନାଁରେ ଗୋଟିଏ ମଞ୍ଚକୁ ଆସିଥିବା ଦୁଇ ଭାଇଙ୍କ ନଜର ଆଗାମୀ ନିର୍ବାଚନ ଉପରେ ରହିଛି କି? ସେଭଳି ହେଲେ ବିଜେପି ଓ ଏହାର ସହଯୋଗୀ ଦଳ ସମସ୍ୟା ଭୋଗିପାରନ୍ତି । ଆଗକୁ ମହାରାଷ୍ଟ୍ର ନଗର ନିଗମ ନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ସିଟ୍ ଗଣିତ କଷୁଛନ୍ତି ରାଜନୈତିକ ଦଳ । ମହାରାଷ୍ଟ୍ରରେ ଗୋଟେପଟେ ବିଜେପି ନେତୃତ୍ବାଧୀନ ମେଣ୍ଟ ରହିଛି । ଏଥିରେ ଏକନାଥ ସିନ୍ଦେ ବି ସାମିଲ ରହିଛନ୍ତି । ଅନ୍ୟପଟେ କଂଗ୍ରେସ, ଶିବସେନା ୟୁବିଟି ଓ ଏନସିପିର ମିଳିତ ମେଣ୍ଟ ମହାବିକାଶ ଅଘାଡ଼ି ରହିଛି ।

ଏକାଠି ନିର୍ବାଚନ ଲଢିବେ କି ଠାକରେ ଭାଇ ?

ରାଜ୍ ଓ ଉଦ୍ଧବ ମରାଠୀ ଅସ୍ମିତା ପ୍ରସଙ୍ଗରେ ଗୋଟିଏ ମଞ୍ଚକୁ ଆସିଛନ୍ତି  ମରାଠୀ ବିଜୟ ରାଲିରେ ନିଜ ଦଳର ନାଁ, ପତାକା କିମ୍ବା ନିର୍ବାଚନ ଚିହ୍ନ ପ୍ରଦର୍ଶିତ କରାଯାଇନି । କୁହାଯାଉଛି, ଏହାଦ୍ବାରା କର୍ମକର୍ତ୍ତାଙ୍କୁ ସବୁ ମତଭେଦ ଭୁଲି ମରାଠୀ ମାନୁଷ ପଇଁ ଏକାଠି ହେବାକୁ ସନ୍ଦେଶ ଦିଆଯାଇଛି। ତେବେ ପ୍ରଶ୍ନ ଉଠୁଛି, ଆଗକୁ ହେବାକୁ ଥିବା ମହାରାଷ୍ଟ୍ର ନଗର ନିଗମ ନିର୍ବାଚନ ଉଭୟ ଏକାଠି ଲଢିବେ କି? ମୁମ୍ବାଇରେ ମରାଠୀ ଭୋଟବ୍ୟାଙ୍କ ୩୦ରୁ ୩୫ପ୍ରତିଶତ ରହିଛି । ପୂର୍ବରୁ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ମରାଠୀ ଭୋଟ୍ ହାସଲ କରିବାକୁ ବିଜେପି ଶିବସେନା ଉପରେ ନିର୍ଭରଶୀଳ ରହୁଥିଲା । ହେଲେ ଏବେ ଶିବସେନା ୟୁବିଟି ଓ ଏମଏନଏସ ମଧ୍ୟରେ ମେଣ୍ଟ ହେଲେ ଏକନାଥ ସିନ୍ଦେଙ୍କ ସହ ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ ।

ମହାରାଷ୍ଟ୍ର ପ୍ରାଥମିକ ସ୍କୁଲରେ ତୃତୀୟ ଭାଷା ଭାବେ ହିନ୍ଦୀକୁ ବାଧ୍ୟତାମୂଳକ କରିବା ନୀତିକୁ ନେଇ ବିବାଦ ହେବା ପରେ ମହାୟୁତି ସରକାର ଏହାକୁ ପ୍ରତ୍ୟାହାର କରିଛନ୍ତି । ଏହାକୁ ପ୍ରଥମରୁ ଉଦ୍ଧବ ଠାକରେ ଓ ରାଜ ଠାକରେ ବିରୋଧ କରିଥିଲେ । ତେଣୁ ନିଷ୍ପତ୍ତି ପ୍ରତ୍ୟାହାର ପରେ ମରାଠୀ ଭାଷା ପରିଚୟର ବିଜୟ ଭାବେ ରାଲିର ଆୟୋଜନ କରାଯାଇଥିଲା । ତେବେ ମରାଠୀ ଅସ୍ମିତାକୁ ଅସ୍ତ୍ର କରି ଉଭୟ ଠାକରେ ଭାଇ ମହାରାଷ୍ଟ୍ର ରାଜନୀତିରେ ବଡ଼ ଗୋଟି ଚଳାଇଥିବା କୁହାଯାଉଛି ।

Comments are closed.