Latest Odisha News

BREAKING NEWS

ସଚେତନର ଅଭାବ, ମାସକର ଛୁଆକୁ ୪୦ରୁ ଅଧିକ ଚେଙ୍କ

ଉମରକୋଟ: କୁପ୍ରଥା ଓ ଅନ୍ଧବିଶ୍ୱାସ ଘେରରେ ଫୁଣ୍ଡେଲପଡା ଗ୍ରାମ । ମାତ୍ର ୧ ମାସର ଶିଶୁ ଦେହରେ ୪୦ରୁ ଊର୍ଦ୍ଧ୍ୱ ନିଆଁ ଚେଙ୍କ ଦେଲେ ପରିବାର ଲୋକେ । ଶିଶୁଟି ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଚନ୍ଦାହାଣ୍ଡି ବ୍ଲକର ଗମ୍ଭାରୀଗୁଡ଼ା ଗ୍ରାମପଞ୍ଚାୟତର ଫୁଣ୍ଡେଲପଡା ଗ୍ରାମରେ ।

ସୂତନାମୁତାବକ, ଫୁଣ୍ଡେଲପଡ଼ା ଗ୍ରାମର ସରୋଜ କୁମାର ନାୟକଙ୍କ ପୁଅ ଜନ୍ମ ହେବାର ୧୦ ଦିନ ପରେ ଦେହ ମୋଡିମୋଡି ହେବା ସହ ସବୁବେଳେ କାନ୍ଦୁଥିଲା। ଏହାପରେ ସେ କେଉଁଠାରୁ ଶୁଣିବାକୁ ପାଇଲେ ପିଲାର ପେଟରେ ଏବଂ ମୁଣ୍ଡରେ ନିଆଁ ଚେଙ୍କ ଦେଲେ ଦେହ ମୋଡିମୋଡି ଏବଂ କାନ୍ଦ ବନ୍ଦ ହୋଇଯିବ । ଏହାପରେ ନିରୀହ ଶିଶୁଟିର ମୁଣ୍ଡ ଓ ପେଟରେ ୪୦ରୁ ଊର୍ଦ୍ଧ୍ୱ ଚେଙ୍କ ଦେଇଥିଲେ। ନିଆଁ ଚେଙ୍କ ମାରିବା ପରେ କିଛି ଦିନ ପୁଅ ଆଉ କାନ୍ଦି ନ ଥିଲା, କିନ୍ତୁ ବର୍ତ୍ତମାନ ଦୁଇ ଦିନ ହେଲା ଚେଙ୍କର ଯନ୍ତ୍ରଣା ସମ୍ଭାଳି ନ ପାରି ପୁଅ କାନ୍ଦିବା ଆରମ୍ଭ କରିଥିଲା ବୋଲି ପରିବାର ଲୋକ କହିଛନ୍ତି ।

ଏହାପରେ ବାଧ୍ୟ ହୋଇ ରବିବାର ଦିନ ଉମରକୋଟ ଚିକିତ୍ସାଳୟକୁ ଆଣିଥିଲେ ପରିବାର ଲୋକ । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପଣ୍ଡା ଶିଶୁର ଅବସ୍ଥା ଦେଖି ତୁରନ୍ତ ଚିକିତ୍ସା ଆରମ୍ଭ କରି ଦେଇଥିଲେ। ତେବେ ଚିକିତ୍ସା ପରେ ଶିଶୁ ସୁସ୍ଥ ଥିବା ଡାକ୍ତର କହିଛନ୍ତି।

ଏହି ଘଟଣା ପରେ ଜିଲାରେ ଚେଙ୍କ ବିରୋଧରେ ପୁଣି ସଚେତନତା ଆରମ୍ଭ କରିବା ଆବଶ୍ୟକତା ଅଛି ବୋଲି କହିଛନ୍ତି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

Comments are closed.