Latest Odisha News

BREAKING NEWS

ଯୁଦ୍ଧ ଶେଷ ପାଇଁ ଭାରତ ସମେତ ଅନେକ ଦେଶ ସହିତ ଯୋଗାଯୋଗରେ ଅଛୁ: ଗୁଟେରସ

ଜେନେଭା: ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ ୟୁକ୍ରେନରେ ଯୁଦ୍ଧ ଶେଷ କରିବା ପାଇଁ ସେ ମଧ୍ୟସ୍ଥତା ପ୍ରୟାସରେ ଭାରତ ଏବଂ ଅନ୍ୟାନ୍ୟ ଦେଶ ସହ ଯୋଗାଯୋଗରେ ଅଛନ୍ତି। ୟୁକ୍ରେନ ଏବେ ନିଆଁରେ ଜଳୁଛି । ସାରା ଦୁନିଆର ଆଖି ଆଗରେ ଦେଶଟି ଧ୍ୱଂସ ହେଉଛି ବୋଲି ସେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।

ସୋମବାର ଗୁଟେରସ ଆହୁରି କହିଛନ୍ତି ଯେ ୟୁକ୍ରେନବାସୀଙ୍କ ଉପରେ ଆତଙ୍କବାଦକୁ ରୋକିବା ଏବଂ କୂଟନୈତିକ ପ୍ରୋତ୍ସାହନ ଦେବା ଆବଶ୍ୟକ ଏବଂ ଏହା କରିବାର ସମୟ ଆସିଛି। ଏପରି ହେଲେ ଶାନ୍ତି ଫେରିପାରିବ।

ଗୁଟେରସ୍ କହିଛନ୍ତି ଯେ ଚୀନ୍, ଫ୍ରାନ୍ସ, ଜର୍ମାନୀ, ଭାରତ, ଇସ୍ରାଏଲ୍ ଏବଂ ତୁର୍କୀ ସମେତ ଅନେକ ଦେଶ ସହିତ ମୋର ଘନିଷ୍ଠ ସମ୍ପର୍କ ରହିଛି। ସେ କହିଛନ୍ତି, ଶାନ୍ତି ପାଇଁ ସମସ୍ତେ ପ୍ରୟାସ କରିବା ଦରକାର ।  ଏହି ଆକ୍ରମଣ ନିଶ୍ଚୟ ବନ୍ଦ ହେବା  ଦରକାର । ତେଣୁ କୂଟନୀତି ଏବଂ ଆଲୋଚନାରେ କଦାପି ବିଳମ୍ବ ନକରିବା ଠିକ୍ । ମିଳିତ ଜାତିସଂଘର ଚାର୍ଟର୍ ଏବଂ ଅନ୍ତର୍ଜାତୀୟ ଆଇନର ନୀତି ଉପରେ ଆଧାର କରି ଆମକୁ ତୁରନ୍ତ ଉଭୟ ଦେଶର ଶତ୍ରୁତା ବନ୍ଦ କରିବା ଦରକାର ।

ମହିଳା ଏବଂ ଶିଶୁଙ୍କ ସମେତ ଅଗଣିତ ନିରୀହ ଲୋକଙ୍କୁ ହତ୍ୟା କରାଯାଇଛି ବୋଲି ଗୁଟେରସ୍ କହିଛନ୍ତି। ସେ କହିଛନ୍ତି, ଋଷର ସେନାର ଆକ୍ରମଣ ପରେ ୟୁକ୍ରେନର ରାସ୍ତା, ବିମାନବନ୍ଦର ଏବଂ ବିଦ୍ୟାଳୟଗୁଡ଼ିକ ଧ୍ୱଂସ ହୋଇ ଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଅତି କମରେ 24ଟି ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଉପରେ ଆକ୍ରମଣ ହୋଇଛି। ସେ କହିଛନ୍ତି ଯେ ଯୁଦ୍ଧ ବଢିବା, ଏହାଦ୍ୱାରା ଅନେକ ଦୁର୍ଘଟଣା ହେବା ସମସ୍ତ ମାନବିକତା ପ୍ରତି ବିପଦ ସୃଷ୍ଟି କରିଛି।

Comments are closed, but trackbacks and pingbacks are open.