Latest Odisha News

ଅଦିନିଆ ସେବା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ 

ରାମଚନ୍ଦ୍ର ଯେଉଁଦିନ ଗାଁ ଛାଡ଼ି ବିଜୟୱାଡ଼ା ଗଲା, ସେଦିନ ଢେର କାନ୍ଦିଥିଲା। ତା’ ଆଖିରୁ ଲୁହ ବନ୍ଦ ହେଉନଥାଏ। ତା’ ସାଙ୍ଗସାଥିମାନେ କହିଲେ, ଆରେ ଏତେ କ’ଣ କାନ୍ଦୁଛୁ? କାମ କରିବାକୁ ଯିବୁ ଯେତେବେଳେ ଏତେ କଥା ଆଉ ଭାବି ଲାଭ କ’ଣ? ଗାଁରେ ପେଟ ପୂରୁନି ବୋଲି ତ ତୁ ଦାଦନ ଖଟିବାକୁ ଯାଉଛୁ। ଆଉ ଏଥିପାଇଁ ମନସ୍ଥିର କରି ରେଳରେ ଟିକଟ କରିସାରିଲା ପରେ, ଏବେ ଆଉ କାନ୍ଦି କିଛି ଲାଭ ଅଛି ?

ରାମଚନ୍ଦ୍ରର ମନ କିନ୍ତୁ ମାନୁ ନଥାଏ। ଘରେ ତା’ର ବୁଢ଼ା ବାପା ମାଆ । ରୋଗୀଣା ସ୍ତ୍ରୀ, ଆଉ ଦିଟା ବକଟେ ପିଲା। ସେମାନଙ୍କୁ ଛାଡ଼ି ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯିବାକୁ ସେ ଗ୍ରହଣ କରିପାରୁନି। କେବଳ ପରିସ୍ଥିତିରେ ପଡ଼ି ସେ ବାହାରିଛି କାମ କରିବା ପାଇଁ। ଜମିବାଡ଼ି ବୋଲି କିଛି ନାହିଁ। ଗୋଟିଏ ନଡ଼ା ଛପର ଘର, ଯେଉଁଥିରେ ଦିନରେ ସୂର୍ଯ୍ୟ ଆଉ ରାତିରେ ଜହ୍ନ ଦେଖା ଯାଉଛନ୍ତି।

କେତେ ନେହୁରା ନହୋଇଛି ସେ? ଗଲା ଥର ଯେଉଁମାନେ ସବୁ ଗାଁ କଥା ବୁଝୁଥିଲେ, ସେମାନଙ୍କୁ ହାତଗୋଡ଼ ଧରିଛି। ୱାର୍ଡମେମ୍ବରଠୁ ଆରମ୍ଭ କରି ସରପଞ୍ଚ, ସମିତିସଭ୍ୟ ତଥା ପଞ୍ଚାୟତ ସମ୍ପାଦକ ଯାଏଁ, ସମସ୍ତଙ୍କ ପାଖରେ ଗୁହାରି ହୋଇଛି। କେବଳ ସରକାରୀ ସୁବିଧାରେ ତା ପାଇଁ ଇନ୍ଦିରା ଆବାସ କିମ୍ବା ବିଜୁ ପକ୍କାଘର ଖଣ୍ଡେ କେହି ମଞ୍ଜୁର କରିଦେଉ। କାରଣ ତା’ର ଯେଉଁ ଆର୍ଥିକ ସ୍ଥିତି, ସେ କେବେ ବି ଘର ଖଣ୍ଡେ କରିପାରିବ ନାହିଁ। ତେଣୁ ସରକାରୀ ସୁବିଧା ଅଛି ଯେତେବେଳେ, ତା ପୁଣି ତା’ ଭଳି ଗରିବ ଭୂମିହୀନମାନଙ୍କ ପାଇଁ, ତେଣୁ ସେ ଆଶା କରିବାରେ ବା କି ଭୁଲ୍ ଅଛି? ତଥାପି କେହି ଶୁଣିଲେ ନାହିଁ। ଓଲଟା ସମସ୍ତଙ୍କ କହିବା କଥା, ତୁ ତ ଅନ୍ୟ ଦଳକୁ ଭୋଟ୍ ଦେଇଥିଲୁ, ଏବେ ଆସି ଗୁହାରି କଲେ କ’ଣ ହେବ? ଏଥିରେ ଆମ ସମର୍ଥକମାନେ କ’ଣ କହିବେ?

ରାମଚନ୍ଦ୍ର କାହାକୁ ଭୋଟ୍ ଦେଲା, ସେମାନେ କ’ଣ ଦେଖିଛନ୍ତି? ନା ସେମାନେ ଅନ୍ତର୍ଯାମୀ .. ନା ମହାଭାରତର ସଞ୍ଜୟ? ଯିଏ ଘଟଣାସ୍ଥଳରେ ନଥାଇ ବି କ’ଣ ଘଟୁଛି, ସବୁକିଛି ଜାଣିପାରୁଛନ୍ତି। ଓଲଟା ସେମାନଙ୍କ ଭୟରେ ଆଜି ସେ ଗାଁ ଛାଡୁଛି। କେହି କୌଣସି ସୁବିଧା, ସହଯୋଗ ନଦେବାରୁ, ବାଧ୍ୟ ହୋଇ ନିଜ ପରିବାର ଚଳାଇବା ପାଇଁ ଗାଁ ଛାଡୁଛି ରାମଚନ୍ଦ୍ର। ସାଙ୍ଗମାନେ ଷ୍ଟେସନରେ ତାକୁ ଛାଡ଼ିଦେଇ ଚାଲିଯିବା ପରେ ସେ ଭାରି ଏକୁଟିଆ ଅନୁଭବ କରୁଥିଲା। ସାଙ୍ଗମାନଙ୍କ ବୁଝାସୁଝାରେ ଟିକିଏ କୋହକୁ ନିୟନ୍ତ୍ରଣ କରିଥିବା ରାମଚନ୍ଦ୍ର, ଟ୍ରେନରେ ବସିଯିବା ପରେ ଆହୁରି ଜୋରରେ କାନ୍ଦିଲା। ତଥାପି ମନକୁ ମନ ବୁଝାଇ ସେ ପହଞ୍ଚିଲା ବିଜୟୱାଡ଼ାରେ। ଇଟାଭାଟିରେ କାମ କଲେ ପଇସା। ନହେଲେ ଭାଟି ମାଲିକଠୁ ମାଡ଼ ବି ଖାଇବାର ଭୟ। ତାରି ଭିତରେ ସେ ନିଜକୁ ଖାପଖୁଆଇ ନେଲା। ଦିନରାତି କାମ କରିବା ଭିତରେ ଏତେ କ୍ଳାନ୍ତ ହୋଇଯାଉଥିଲା ଯେ, ଆଉ ଘର ପରିବାର କିଛି ମନେ ପଡୁନଥିଲା ତାକୁ। ଗାଁରୁ ଆସିବା ଏହାରି ଭିତରେ ପାଞ୍ଚ ବର୍ଷ ବିତିଗଲାଣି। କିନ୍ତୁ ସେ ଘରକୁ ଫେରିପାରିନି। ମଝିରେ ମଝିରେ ବାପାଙ୍କ ନାଁରେ ମନିଅର୍ଡର କରିବା ବ୍ୟତୀତ, ତା’ ପାଖରେ ଆଉ କୌଣସି ରାସ୍ତା ନାହିଁ। ତା ପିଲାମାନେ ବଡ଼ ବଡ଼ ହୋଇଯିବେଣି। ବାପା ମାଆ ଆହୁରି ଅଧିକ ବୁଢ଼ାବୁଢ଼ୀ ହୋଇସାରିବେଣି। ଏସବୁ କଥା କେବଳ ସେ ଭାବୁଛି। ପିଲାମାନେ କେମିତି ଦେଖାଯାଉଥିବେ, ଘରକୁ ଗଲେ ତାକୁ ଚିହ୍ନିବେ କି ନାହିଁ, ବାପାମାଆଙ୍କ ଚେହେରା କେମିତି ହୋଇଥିବ, ସେସବୁ ସେ କେବଳ କଳ୍ପନା କରୁଛି।

ଏଣେ ଗାଁରେ ପଞ୍ଚାୟତ ନିର୍ବାଚନ ପାଇଁ ବାଜା ବାଣ ରୋଷଣୀ ପଟୁଆର କେତେ କଣ। ଗାଁ ଗାଁ ବୁଲି ପ୍ରାର୍ଥୀମାନେ ନିଜ ସପକ୍ଷରେ ଭୋଟ୍ ମାଗିବାରେ ବ୍ୟସ୍ତ। କିଏ କେତେ ପ୍ରଲୋଭନ ଦେଖାଉଛନ୍ତି ଗାଁଲୋକଙ୍କୁ। ଉଦ୍ଦେଶ୍ୟ କେବଳ କେମିତି ହେଲେ ସେମାନଙ୍କ ଭୋଟ୍ ହାସଲ କରି କ୍ଷମତାକୁ ଆସିବା । ଗାଁରେ ନିର୍ବାଚନ ପରିବେଶ ଏମିତି ଯେ, ଅଣ୍ଡାରୁ ବାହାରିନଥିବା ଚିଆଁ ବି ନେତା ହେବାକୁ ବସିଛି। ଏଭଳି ସ୍ଥଳେ ଗଲାଥର ଜିତିଥିବା ସରପଞ୍ଚ ଓ ୱାର୍ଡମେମ୍ବର ପୁଣିଥରେ ନିର୍ବାଚନ ଲଢ଼ିବାକୁ ମୈଦାନକୁ ଓହ୍ଲାଇଛନ୍ତି। ପ୍ରଚାର କରିବାରେ ମାତିଥିବା ଏହି ଦୁଇ ନେତା ଏବେ ଏମିତି ହସିହସି କଥା କହୁଛନ୍ତି ଯେ, ଜଣେ ଭାବିବ କ୍ଷୀରରେ ନୁହେଁ, ଏମାନେ ତ ପାଣିରେ ବି ସର ପକାଇଦେବାରେ ପାରଙ୍ଗମ।

ତା ନହୋଇଥିଲେ, ରାମଚନ୍ଦ୍ରର ବୁଢ଼ା ବାପାମାଆଙ୍କୁ ଏମାନେ ଯାଇ ପାଦଛୁଇଁ ମୁଣ୍ଡିଆ ମାରିଥାନ୍ତେ, ନା ତାଘର ଦୁଆର ମୁହଁରେ ପାଦ ପକାଇଥାନ୍ତେ? ଖାଲି ସେତିକି ନୁହେଁ, ଇଟାଭାଟିରେ ଇଟା ଗଢ଼ିବାରେ ବ୍ୟସ୍ତଥିବା ରାମଚନ୍ଦ୍ର ପାଖକୁ ଏମାନେ ସ୍ୱତନ୍ତ୍ର ଭାବେ ଜଣକୁ ପଠାଇ ଗାଁକୁ ଡକାଇ ଆଣିବା ପାଇଁ ବି ଯୋଜନା କରିଛନ୍ତି। ସେମାନଙ୍କ ସମର୍ଥକ ଜଣକୁ ବିଜୟୱାଡ଼ା ପଠାଇ ରାମଚନ୍ଦ୍ରକୁ ଡକାଇଛନ୍ତି ସେମାନେ। ତେଣୁ ଏଥର ଗାଁକୁ ଯିବା ଓ ଭୋଟ୍ ଦେବା … ଦୁଇଟି ଯାକ କାମ ଏକାସଙ୍ଗରେ ହୋଇଯିବ ଭାବି ଗାଁକୁ ଫେରିଲା ରାମଚନ୍ଦ୍ର। ଘରେ ପହଞ୍ଚିଲା ବେଳକୁ ତା ଆଖି ଆଗରେ ଯେଉଁ ଦୃଶ୍ୟଥିଲା, ସେଥିରେ ସେ ଅବାକ୍ ହୋଇଗଲା।

ତା ସାହିର ୱାର୍ଡମେମ୍ବର ଆଉ ସରପଞ୍ଚ ଦିହେଁ ଯାକ ବସିଛନ୍ତି ତା ବୁଢ଼ୀ ମାଆର ପାଦ ପାଖରେ। ଜଣେ ତା’ ମାଆର ଗୋଡ଼ ଚିପୁଥିଲା ବେଳେ ଆଉ ଜଣେ ପାଦରେ ତେଲ ମାଲିସ୍ କରୁଛି। ନିଜକୁ ଇନ୍ଦ୍ରପଦର ଅଧିକାରୀ ଏବଂ ସମସ୍ତ ମଣିଷଙ୍କୁ ଗାଈର ଗୋବର ମନେ କରୁଥିବା ୱାର୍ଡମେମ୍ବରର ଏ କି ରୂପ? ରାମଚନ୍ଦ୍ର ଏ ଦୃଶ୍ୟ ଦେଖି ଏତେ ମଗ୍ନ ହୋଇଯାଇଥିଲା ଯେ, ତା ବାପାମାଆଙ୍କ କଥା ପଚାରିବାକୁ ଭୁଲି ଯାଇଥିଲା ସେ। ଏତିକିବେଳେ ୱାର୍ଡମେମ୍ବର ଆଉ ସରପଞ୍ଚ ପ୍ରାର୍ଥୀ ଉଭୟେ ଆସି ତା ସାମ୍ନାରେ ଠିଆହେଲେ। ତା ପରେ କାକୁତି ମିନତି ହୋଇ କହିଲେ, ଦେଖ୍ .. ଏଥର ତୁ ଆମକୁ ନିଶ୍ଚୟ ଭୋଟ ଦେବୁ। ପୁରୁଣା କଥା ସବୁ ଭୁଲି, ଗୋଟିଏ ନୂଆ ନିଷ୍ପତ୍ତି ନେବୁ ଯଦି, ତାହେଲେ ଏଥର ଆମେ ଜିତିଲେ ତୋ ପାଇଁ ଇନ୍ଦିରା ଆବାସ ଘରଟା ପକ୍କା କରେଇଦେବୁ ।

ଟିକିଏ ଦୂରକୁ ଡେଇଁପଡ଼ି ରାମଚନ୍ଦ୍ର କହିଲା ବଡ଼ ବିଚିତ୍ର ବ୍ୟବସ୍ଥା। ଯେତେବେଳେ ମୁଁ ଦୁଆର ଦୁଆର ବୁଲି ତମମାନଙ୍କ ଗୋଡ଼ ଧରୁଥିଲି, ସେତେବେଳେ ତମେ ମତେ ବାସି ପାଣିରେ ପଚାରୁନଥିଲ। ଓଲଟା ଦୂର ଦୂର ମାର ମାର କରୁଥିଲ। ଆଜି ନିର୍ବାଚନ ଆସିବାରୁ ତମ ଭାବ ଭଙ୍ଗି ସବୁ ବଦଳିଗଲା? ଦିନେ ନାଇଁ ଓଳିଏ ନାଇଁ ଗହ୍ମା ପୂନେଇରେ ମାମୁଁ ମାଈଁ? ତମର ଏ ଅଦିନିଆ ସେବା ମତେ କେବେ ବି ପ୍ରଭାବିତ କରିପାରିବ ନାହିଁ। ଯାଅ .. ଏ ଟିକେଟ୍ ଯଦି ଅନ୍ୟ କେହି କିଣିବେ, ତାଙ୍କୁ ଦେଇଦେବ। ଯାଅ .. ବାସ୍ .. ତା ପରଦିନ ଭୋଟ୍ ଦେବା ପାଇଁ ଲୋକଙ୍କ ଲମ୍ବାଧାଡ଼ି ଚାଲିଥିବା ବେଳେ ଅଭିମାନୀ ରାମଚନ୍ଦ୍ର ଟ୍ରେନ୍ ଧରୁଥିଲା ପୁଣି ବିଜୟୱାଡ଼ା ଅଭିମୁଖେ। ମନେ ମନେ ଭାବୁଥିଲା, ମୁଁ କ’ଣ ଅନ୍ତର୍ଯାମୀ .. ଏମାନଙ୍କ ମନକଥା ଜାଣିଦେବି । ଅଦିନିଆ ସେବା କରିବାର ନାଟକ ଲାଗି ଆସିଗଲେ ଏମାନେ। ହା ହା ହା ………….

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି
ମୋହାଲି, ପଞ୍ଜାବ। ପିନ୍-୧୪୦୪୨୩
ଫୋନ୍- ୯୯୩୭୨୫୨୪୬୪

 

Comments are closed.