Latest Odisha News

BREAKING NEWS

ବଦଳିପାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ; ଓଡ଼ିଶାର ଚେହେରାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଦ୍ଵିତୀୟ ପାଳିର ଦୁଇ ବର୍ଷ ପୂରା କରିସାରିଥିବା ବେଳେ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହେବା ନେଇ ଦିଲ୍ଲୀରେ ଚର୍ଚ୍ଚା ଜୋର ଧରିଛି। ଗତକାଲି ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଏ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ଯଦି ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହୁଏ ଓଡ଼ିଶାରୁ କିଏ ସ୍ଥାନ ପାଇବେ କି ନାହିଁ ରାଜ୍ୟରେ ସେ ଚର୍ଚ୍ଚା ଆରମ୍ଭ ହୋଇଛି।

ଓଡ଼ିଶାରୁ ୮ଜଣ ବିଜେପି ସାଂସଦ ନିର୍ବାଚିତ ହୋଇଥିବା ବେଳେ ସେଥିରୁ ପ୍ରତାପ ଷଡ଼ଙ୍ଗୀଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ଏହା ସହିତ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ପେଟ୍ରୋଲିୟମ ଓ ଇସ୍ପାତ ଭଳି ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରଳାୟ ମିଳିଛି। ଏହା ବାଦ୍ ଆଉ କିଛି ନେତା ବି ଅଛନ୍ତି, ଯେଉଁମାନେ ମନ୍ତ୍ରୀପଦ ପାଇଁ ଆଶାୟୀ ବା ସେମାନଙ୍କ ନାଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ଅଛନ୍ତି। ଯଦି ମୋଦୀ ଏଥର ଅଦଳବଦଳ ବେଳେ ମହିଳାମାନଙ୍କୁ ଗୁରୁତ୍ଵ  ଦିଅନ୍ତି ତେବେ ଓଡ଼ିଶାରୁ  ଅପରାଜିତା ଷଡ଼ଙ୍ଗୀ ଓ ସଂଗୀତା ସିଂହଦେଓଙ୍କ ନାମ ଉଠିପାରେ। ଏହାଛଡ଼ା ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ସୁରେଶ ପୂଜାରୀ ବରଗଡ଼ ଆସନରୁ ଲୋକଭାକୁ ନିର୍ବାଚିତ ହୋଇଛନ୍ତି। ବୈଜୟନ୍ତ ପଣ୍ଡା ନିର୍ବାଚିତ ହୋଇ ନ ଥିଲେ ମଧ୍ୟ ତାଙ୍କୁ ରାଜ୍ୟସଭା ସିଟ୍ ଓ କ୍ୟାବିନେଟରେ ସ୍ଥାନ ମିଳିବାର ସମ୍ଭାବନା ନେଇ ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରୁଛନ୍ତି। ବୈଜୟନ୍ତ ପଣ୍ଡା ବି ଦଳର ଉଚ୍ଚ ପଦବୀରେ ରହିବା ସହ ବିଭିନ୍ନ ରାଜ୍ୟରେ ନିର୍ବାଚନ ଦାୟିତ୍ଵ ମଧ୍ୟ ତୁଲାଇଥିଲେ। ସୁରେଶ ପୂଜାରୀ ପଶ୍ଚିମବଙ୍ଗର ସହପ୍ରଭାରୀ ଦାୟିତ୍ଵ ମଧ୍ୟ ତୁଲାଇଛନ୍ତି। ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ସିଏ ହେଉଛନ୍ତି ଓଡ଼ିଶାରୁ ନିର୍ବାଚିତ ରାଜ୍ୟସଭା ସଦସ୍ୟ ଅଶ୍ଵିନୀ ବୈଷ୍ଣବ। ଓଡ଼ିଶା କ୍ୟାଡରର ଆଇଏଏସ୍ ଥିଲେ ଅଶ୍ଵିନୀ। ଏହା ସହିତ ବିଜେପିରେ ତାଙ୍କର ଭଲ ପତିଆରା ରହିଛି। ଏହାଛଡ଼ା ସେ ବିଜେଡି ସମର୍ଥନରେ ଓଡ଼ିଶାରୁ ନିର୍ବାଚିତ ହୋଇଥିଲେ। ତେଣୁ ପରିବର୍ତ୍ତିତ ରାଜନୈତିକ ସମୀକରଣକୁ ମୋଦୀ ଗୁରୁତ୍ଵ ଦେବାପାଇଁ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିପାରନ୍ତି। ବିଜେଡି ଏନଡିଏରେ ସାମିଲ ଥିବା ବେଳେ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଓଡ଼ିଶାରୁ ଏକାଥରେ ଅର୍ଜୁନ ସେଠୀ, ଜୁଏଲ ଓରାମ, ଦେବେନ୍ଦ୍ର ପ୍ରଧାନ, ବ୍ରଜ କିଶୋର ତ୍ରିପାଠୀ ଦାୟିତ୍ଵରେ ଥିଲେ। ଚଳିତ ଥର ଓଡ଼ିଶାରୁ ନିର୍ବାଚିତ ସାଂସଦମାନଙ୍କ ମଧ୍ୟରୁ ଜଣେ ମାତ୍ର ମନ୍ତ୍ରୀ ଥିବାରୁ ଅତି କମରେ ଆଉ ଜଣେ ସ୍ଥାନ ପାଇବା ନେଇ ରାଜ୍ୟରେ ଚର୍ଚ୍ଚା ରହିଛି।

ଗତ୨ ବର୍ଷ ଭିତରେ ମୋଦୀ ପଶ୍ଚିମବଙ୍ଗ, କେରଳ,ପୁଡୁଚେରୀ, ତାମିଲନାଡୁ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଦିଲ୍ଲୀ, ବିହାର ଓ ହରିୟାଣାର ନିର୍ବାଚନ ହୋଇଛି। ଏଠାରେ ମୋଦୀ ନେତୃତ୍ଵ ନେଇଛନ୍ତି।  କେବଳ ପୁଡୁଚେରୀ, ହରିୟାଣା ଓ ବିହାରକୁ ଛାଡ଼ିଦେଲେ ଅନ୍ୟ ସବୁଠି ବିଜେପି ବିଫଳ ହୋଇଛି। ଏହାଛଡ଼ା ଆସନ୍ତାବର୍ଷ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପଞ୍ଜାବ, ମଣିପୁର ଓ ଗୁଜରାଟରେ ବିଧାନସଭା ନିର୍ବାଚନ ଅଛି। ତେଣୁ ମନ୍ତ୍ରୀମଣ୍ଡଳରେ ଏହି ରାଜ୍ୟଗୁଡ଼ିକୁ ମଧ୍ୟ ଗୁରୁତ୍ଵ ଦିଆଯିବାର ସମ୍ଭାବନା ରହିଛି। ଏହା ଛଡ଼ା କରୋନା ସମୟରେ ସରକାରଙ୍କ ଭାବମୂର୍ତ୍ତି ରକ୍ଷା କରିବାରେ ଯେଉଁମାନେ ବିଶେଷ ଯୋଗଦାନ କରିପାରିନାହାନ୍ତି; ସେମାନେ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡ଼ିପାରନ୍ତି।

ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ଦଳର ଦୁର୍ବଳତା ଓ ସରକାରର ଦୁର୍ବଳତାକୁ ନେଇ ବରିଷ୍ଠ କ୍ୟାବିନେଟ ସହଯୋଗୀ ଓ ଦଳର ବରିଷ୍ଠନେତାମାନଙ୍କ ସହ ଆଲୋଚନା କରିଛନ୍ତି। ସୂଚନା ଅନୁସାରେ ରବିବାର ୩ ଘଣ୍ଟା ଧରି ଏମାନଙ୍କ ସହ ଆଲୋଚନା କରିଥିବା ବେଳେ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ନେଇ ଚର୍ଚ୍ଚା ହୋଇଛି। ଏ ୨ ବର୍ଷ ଭିତରେ କିଛି ରାଜ୍ୟରେ ନିର୍ବାଚନ ସରିଛି ଓ ଆସନ୍ତା ବର୍ଷ କିଛି ରାଜ୍ୟରେ ନିର୍ବାଚନ ଅଛି। ମନ୍ତ୍ରୀମାନଙ୍କ ପ୍ରଦର୍ଶନ ଓ ଆଗକୁ ନିର୍ବାଚନ ଥିବାକୁ ଥିବା ରାଜ୍ୟଗୁଡ଼ିକୁ ପ୍ରାଥମିକତା ଦେଇ ମୋଦୀ ତାଙ୍କ ମନ୍ତ୍ରୀ ମଣ୍ଡଳରେ ପରିବର୍ତ୍ତନ କରିପାରନ୍ତି। ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ,  ରେଳମନ୍ତ୍ରୀ ପୀୟୁଷ ଗୋଏଲ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ସମେତ ଅନ୍ୟ ବରିଷ୍ଠ ମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ) ଉପସ୍ଥିତ ଥିଲେ। ଆଜି ନୀତିଶ କୁମାର ଦିଲ୍ଲୀ ଗସ୍ତରେ ଥିବା ବେଳେ ସେ ମୋଦୀ ଓ ନଡ୍ଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆଉ କିଛି ରାଜ୍ୟସ୍ତରର ନେତା ମଧ୍ୟ ମୋଦୀଙ୍କୁ ଭେଟିବାର କାର୍ଯକ୍ରମ ରହିଥିବା ସୂଚନା ମିଳିଛି। ତେବେ ଏ ନେଇ ବିଜେପି କିମ୍ବା ସରକାରୀ ଭାବେ କିଛି ସୂଚନା ମିଳିନାହିଁ।

Leave A Reply

Your email address will not be published.