Latest Odisha News

‘ହିସାବ ନ ଦେବା ପର୍ଯ୍ୟନ୍ତ ପାଣ୍ଡିଆନଙ୍କୁ ରାଜନୀତିରୁ ସନ୍ନ୍ୟାସ ନେବାକୁ ଦେବୁନି’

ହିଞ୍ଜିଳି: ବିଜେଡି ନିର୍ବାଚନରେ ହାରିଗଲେ ବିଜେଡି ନେତା ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି । ତେବେ ତାଙ୍କୁ ଏହି ସୁଯୋଗ ଦିଆଯିବ ନାହିଁ । ଓଡ଼ିଶାରେ ଯେଉଁ ସବୁ ଦୁର୍ନୀତି ହୋଇଛି ପ୍ରଥମେ ତାହାର ହିସାବ ଦେବାକୁ ହେବ । ଓଡ଼ିଶାରେ ଯେଉଁ ଖଣିଜ ସମ୍ପଦ ଲୁଟ୍ ହୋଇଛି, ଜଗନ୍ନାଥଙ୍କ ରତ୍ନଭଣ୍ଡରର ଚାବି ହଜିଛି, ଜଳସେଚନ ବ୍ୟବସ୍ଥା କାହିଁକି ହେଲାନି, ଶୀତଳ ଭଣ୍ଡାର କାହିଁକି ହେଲାନି ତାହାର ହିସାବ ତାଙ୍କୁ ଦେବାକୁ ହେବ ବୋଲି କହି ବିଜେଡି ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଭୁପିନ୍ଦର ଯାଦବ ।

ହିଞ୍ଜଳି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଶ୍ରୀ ଯାଦବ କହିଛନ୍ତି ଯେ, ଗତକାଲି ଖଲିକୋଟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ବିଜେଡିର ଗୁଣ୍ଡାମାନଙ୍କ ଦ୍ୱାରା ହତ୍ୟା କରାଯିବା ଅତ୍ୟନ୍ତ ନିନ୍ଦନୀୟ । ବିଜେପି କାର୍ଯ୍ୟକର୍ତ୍ତା ଡରିବାର ଲୋକ ନୁହନ୍ତି । ସେମାନଙ୍କୁ ଯେଉଁଭଳି ଭାବରେ ମରଣାନ୍ତକ ଆକ୍ରମଣ କରାଯାଉଛି ତାହା ଓଡ଼ିଶା ତଥା ସମଗ୍ର ଦେଶର ଗଣତନ୍ତ୍ର ପାଇଁ ଠିକ୍ ନୁହେଁ । ହିଂସାକାଣ୍ଡରେ ଜଡିତ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହ ସେମାନଙ୍କୁ ସହଯୋଗ କରୁଥିବା ପୋଲିସ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ କରିବାକୁ କେନ୍ଦ୍ରମନ୍ତ୍ରୀ ଭୁପିନ୍ଦର ଯାଦବ ଦାବି କରିଛନ୍ତି ।

ଜୁନ୍‌ ୪ ରେ ବିଜେଡିର ଏକ୍ସପାଇରୀ ଡେଟ୍ ନିଶ୍ଚିତ । ଭାରତୀୟ ଜନତା ପାର୍ଟିର ଏକ ଲମ୍ବା ଇତିହାସ ରହିଛି । ଏହି ପାର୍ଟି ରାଷ୍ଟ୍ରବାଦକୁ ନେଇ ଆନ୍ଦୋଳନ କରିଛି । ଦେଶରେ ଗଣତନ୍ତ୍ରକୁ ବଞ୍ଚାଇବାପାଇଁ ନିଜ କାର୍ଯ୍ୟକର୍ତ୍ତାଙ୍କୁ ହରାଇଛି । ବିଜେପି ଓଡ଼ିଶାରେ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ସମ୍ପୂର୍ଣ୍ଣ ବଦ୍ଧପରିକର ବୋଲି ଶ୍ରୀ ଯାଦବ କହିଛନ୍ତି ।

ବିଜେଡି ସରକାର ୨୫ ବର୍ଷ ହେବ ଓଡ଼ିଶାରେ ୩୫ ପ୍ରତିଶତ ଚାଷ ଜମିରେ ଜଳସେଚନ ପାଇଁ ବ୍ୟବସ୍ଥା ହେବ ବୋଲି ପ୍ରତିଶ୍ରୁତି ଦେଇଆସୁଛି । ଯଦି ସେମାନେ ସେହି ପ୍ରତିଶ୍ରୁତି ପୂରଣ କରିବାରେ ସଫଳ ହୋଇଥାନ୍ତେ ତାହାଲେ ହିଞ୍ଜିଳିର ଭାଇ ଓ ଭଉଣୀମାନଙ୍କୁ ଦାଦନ ଖଟିବାକୁ ବାହାରକୁ ଯିବାକୁ ପଡ଼ିନଥାନ୍ତା । ଏଥିପାଇଁ ବିଜେଡି ସରକାରଙ୍କୁ ଲାଜ ଲାଗିବା କଥା । ମୋଦି ସରକାର ଜଳ ଜୀବନ ମିଶନରେ ୧୦ ହଜାର କୋଟି ଟଙ୍କା ପଠାଇଲେ । ମାତ୍ର ଓଡିଶା ସରକାର ଏହି ଅର୍ଥକୁ ଠିକାଦାରଙ୍କ ସ୍ୱାର୍ଥରେ ଖର୍ଚ୍ଚ କଲେ କିନ୍ତୁ ଲୋକଙ୍କୁ ପାଣି ଯୋଗାଇ ପାରିଲେ ନାହିଁ । ବିଜେପି ସରକାର ଆସିଲେ ଜଳଜୀବନ ମିଶନରେ ସବୁ ଘରେ ନଳ ଆଉ ନଳରୁ ପାଣି ପହଁଚାଇବା ପାଇଁ ବ୍ୟବସ୍ଥା କରାଯିବ ।

ଶ୍ରୀ ଯାଦବ କହିଛନ୍ତି ଯେ, ରାଜ୍ୟରେ ଚାଷୀମାନଙ୍କୁ ଧାନର ଉଚିତ୍ ମୂଲ୍ୟ ଦିଆଯାଉ ନାହିଁ । ବିଜେପି ସରକାର ଆସିଲେ ଚାଷୀମାନଙ୍କୁ ଧାନ ମୂଲ୍ୟ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନରେ ଏସ୍‌ଏଚ୍‌ଜି ଗ୍ରୁପ୍ ଜରିଆରେ ଲକ୍ଷପତି ଦିଦି ବନାଇବାର ସଂକଳ୍ପ ନେଇଛନ୍ତି । ଦେଶର ବାକି ରାଜ୍ୟରେ ଏହି ଯୋଜନା ସଫଳ ହୋଇଛି । ଏସ୍‌ଏଚ୍‌ଜି ମହିଳାଙ୍କୁ ଲକ୍ଷପତି ଦିଦି ବନାଇବା ସହ ସେମାନଙ୍କୁ ଯେଉଁ ଋୁଣ ଦିଆଯାଏ, ଉକ୍ତ ସୁଧରେ ସବ୍‌ସିଡି ଦିଆଯାଏ ।

ଓଡ଼ିଶାରେ ବିଜେପି ସରକାର ଆସିବା ପରେ ସୁଭଦ୍ରା ଯୋଜନା ଲାଗୁ କରାଯିବ । ଏହି ଯୋଜନା ମଧ୍ୟପ୍ରଦେଶରେ ଲାଡ୍‌ଲୀ ଲକ୍ଷ୍ମୀ ଯୋଜନା, ଛତିଶଗଡ଼ରେ ମାତାହାରି ଯୋଜନା ନାମରେ ପରିଚିତ । ସୁଭଦ୍ରା ଯୋଜନାରେ ପ୍ରତି ପରିବାରରେ ଯେତେଜଣ ଝିଅ ଥିବେ ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଭାଉଚର ଦିଆଯିବ । ଏହି ଯୋଜନା ଏସ୍‌ଏଚ୍‌ଜି ମହିଳମାନଙ୍କର ଆର୍ଥିକ ଆବଶ୍ୟକତା ପୂରଣ କରିବ ।

ଭାରତ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ କୃଷକ ସମ୍ମାନ ନିଧି ଦିଆଯାଉଛି । ଏଠାରେ ଅନେକ ବୁଣାକାର ଅଛନ୍ତି । ସେମାନଙ୍କୁ ବୁଣାକାର ସମ୍ମାନ ନିଧି ଦିଆଯିବ । ଓଡ଼ିଶାର ଅନେକ ସ୍ଥାନରେ ବିଦ୍ରୁତ କାଟ ଓ ପାଣିର ସମସ୍ୟା ରହିଛି । ବିଜେପି ଶାସନରେ ଏ ସମସ୍ତ ସମସ୍ୟାର ସମାଧାନକୁ ପ୍ରାଥମିକତା ଦିଆଯିବ ।

ହିଞ୍ଜିଳିରେ ବି ଏହି ସମସ୍ୟା ରହିଛି । ମୁଖ୍ୟମନ୍ତ୍ରୀ ୨୫ ବର୍ଷରେ ଏଠାରେ ଗୋଟିଏ ରାତି ମଧ୍ୟ କେବେ ବିତାଇନାହାନ୍ତି । ହିଞ୍ଜିଳିରେ ୯୬ଟି ସ୍କୁଲ ଅଛି ଏବଂ ସେଥିରୁ ୯୦ ସ୍କୁଲରେ ପୂର୍ଣ୍ଣ ସଂଖ୍ୟାରେ ଶିକ୍ଷକ ନାହାନ୍ତି । ଓଡ଼ିଶା ସରକାର ବିଧାନସଭାରେ ମଧ୍ୟ ଏକଥା ସ୍ୱୀକାର କରିଛନ୍ତି । ଏଠାକାର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ରହିଛି । ବିଜେପି ସରକାର ଆସିଲେ ତୁରନ୍ତ ଖାଲି ପଡିଥିବା ସାଢ଼େ ୩ ଲକ୍ଷ ଶିକ୍ଷକ ପଦବୀ ପୂରଣ କରାଯିବ । ଏସ୍‌ସି, ଏସଟି, ଓବିସି ମହିଳାମାନଙ୍କୁ ଏହି ନିଯୁକ୍ତିରେ ଅଗ୍ରାଧିକାର ଦିଆଯିବ ।

ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି କଥା ଉଠାଇ ସେ କହିଛନ୍ତି ଯେ, ହାଇକୋର୍ଟ ଓ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସତ୍ୱେ ମଧ୍ୟ ରତ୍ନଭ୍‌ଣ୍ଡାରର ଚାବି ମିଳିଲାନହିଁ । ବିଜେପି ସରକାର ଆସିଲେ ଏହି ଚାବି ଅଣାଯାଇ ମହାପ୍ରଭୁଙ୍କ ସମ୍ପତ୍ତିର ମୂଲ୍ୟାଙ୍କନ କରାଯିବ । ଏଥିସହ ଜଗନ୍ନାଥ ମନ୍ଦିରର ୪ ଦ୍ୱାର ମଧ୍ୟ ଖୋଲାଯିବ ।

ସେହିଭଳି ଓଡ଼ିଶାରେ ସ୍ୱଚ୍ଛ ଓ ନିରେପକ୍ଷ ନିର୍ବାଚନ କରାଇବାକୁ ନିର୍ବାଚନ କମିଶନଙ୍କୁ ଭୁପିନ୍ଦର ଯାଦବ ଦାବି କରିଛନ୍ତି ।

Comments are closed.