Latest Odisha News

‘ନୂଆଦିଲ୍ଲୀ ବିଶ୍ବ ପୁସ୍ତକ ମେଳା- ୨୦୨୪’ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ନୂଆଦିଲ୍ଲୀ: ୫୨ତମ ‘ନୂଆଦିଲ୍ଲୀ ବିଶ୍ବ ପୁସ୍ତକ ମେଳା ୨୦୨୪’କୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ସହଯୋଗରେ ନ୍ୟାସନାଲ ବୁକ୍ ଟ୍ରଷ୍ଟ(ଏନବିଟି) ପକ୍ଷରୁ ଏହି ପୁସ୍ତକ ମେଳା ଆୟୋଜିତ କରାଯାଇଛି। ଏହି ଅବସରରେ ଭାରତର ପ୍ରାଚୀନ ଗ୍ରନ୍ଥ ଓ ପୁସ୍ତକ ଗୁଡ଼ିକ କେବେ ବି ନିଜର ଚମକ ହରାଇନାହିଁ ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଇଜିପ୍ଟର ପାପିରସ, ଭାରତର ତାଳପତ୍ର ଓ ଭୋଜପତ୍ର ପାଣ୍ଡୁଲିପି କିମ୍ବା ଚୀନର ପେପର ବୁକ୍ ହେଉ, ମନୁଷ୍ୟକୁ ସବୁବେଳେ ଲିଖ୍ ଶବ୍ଦଟି ଅତ୍ୟନ୍ତ ଆକର୍ଷଣୀୟ ଲାଗିଥାଏ । ପୁସ୍ତକ ମନୁଷ୍ୟକୁ ସ୍ବତନ୍ତ୍ର ପରିଚୟ ଦେଇଥାଏ । ପ୍ରାଚୀନ ଓ ମଧ୍ୟବର୍ତ୍ତୀକାଳୀନ ଦୁନିଆର କେତେକ ଶ୍ରେଷ୍ଠ ଲାଇବ୍ରେରୀ ଭାରତରେ ଥିଲା । ନାଳନ୍ଦା, ତକ୍ଷଶିଳା, ରାଜଗିର ଓ ଉଜୈନରେ ଥିମବା ଆମର ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟରେ ବିଶ୍ବସ୍ତରୀୟ ପାଠାଗାରମାନ ଥିଲା । ବ୍ରିଟିଶ ଶାସନ କାଳରେ ଏହି ବିଶ୍ବବିଦ୍ୟାଳୟ ଗୁଡ଼ିକର ଅବନତି ଘଟିଥିଲେ ମଧ୍ୟ ପୁସ୍ତକ ଗୁଡ଼ିକ କେବେ ବି ନିଜର ଚମକ ହରାଇନଥିଲା । ବେଦ, ଉପନିଷଦ, ପୁରାଣ, ଆୟୁର୍ବେଦ, ସଂସ୍କୃତ, ଜ୍ୟୋତିର୍ବିଜ୍ଞାନ, ଗଣିତ ଏବଂ ମେଡିସିନ ଉପରେ ଆମର ପ୍ରାଚୀନ ଗ୍ରନ୍ଥ ପୁସ୍ତକ ଜଗତକୁ ସମୃଦ୍ଧ କରିଥିଲା । ଆମର ପୁସ୍ତକର ଲେଖକ ଏବଂ ପାଠକମାନଙ୍କ ପାଇଁ ଆମେ ଗର୍ବିତ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ନୂଆଦିଲ୍ଲୀ ବିଶ୍ବ ପୁସ୍ତକ ମେଳା ୨୦୨୪ର “ଫେଷ୍ଟିଭାଲ ଅଫ୍ ଫେଷ୍ଟିଭାଲ” ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ । ଏହି ଅନନ୍ୟ ପର୍ବ ସାରା ବିଶ୍ବର ବିଭିନ୍ନ ସଂସ୍କୃତି, ସାହିତ୍ୟ ଏବଂ କଳାତ୍ମକ ଅଭିବ୍ୟକ୍ତିର ଉତ୍ସବ ହେବ । ଅନେକ ପୁସ୍ତକରେ ପରିପୂର୍ଣ୍ଣ ଏହି ମେଳା ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ । ସେ କହିଛନ୍ତି ଯେ ୨୨ଟି ଭାଷାରେ ପୁସ୍ତକ ପ୍ରକାଶିତ କରିବାରେ ସମ୍ଭବତଃ ଭାରତ ହେଉଛି ଏକ ମାତ୍ର ଦେଶ । ବହୁ ଭାଷା ଆମର ବିବିଧତାକୁ ବାଖ୍ୟା କରେ, ଯାହା ଆମ ଜାତୀୟ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ । ଚଳିତବର୍ଷର ବିଷୟବସ୍ତୁ “ବହୁଭାଷୀ ଭାରତ: ଏକ ଜୀବନ୍ତ ପରମ୍ପରା ରହିବା ଖୁସିର ବିଷୟ । ଭାଷା ଏବଂ ପୁସ୍ତକ ହେଉଛି ଆମର ସମ୍ପତ୍ତି । ଦେଶର ବିଭିନ୍ନ ପ୍ରାନ୍ତରେ ଆମର ଭାଇ ଭଉଣୀମାନେ ସମସ୍ତ ଭାରତୀୟ ଭାଷା କହନ୍ତି । କୌଣସି ଭାଷା ଛୋଟ କିମ୍ବା ବଡ଼ ନୁହେଁ । ସମସ୍ତ ଭାରତୀୟ ଭାଷା ଆମର ରାଷ୍ଟ୍ରୀୟ ଭାଷା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ମନ୍ କୀ ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ହୋଇଥିବା ସକାରାତ୍ମକ ପରିବର୍ତ୍ତନ ଉପରେ ରଚିତ ପୁସ୍ତକ “ଇଗ୍ନିଟିଂ କଲେକ୍ଟିଭ୍ ଗୁଡନେସ୍ : ମନ୍ କି ବାତ @ ୧୦୦” ଓ ଶିଶୁଙ୍କୁ ଖେଳକୁଦରେ ପାଠ ପଢାଇବା ଉପରେ ‘ଇ-ଯାଦୁଇ ପିଟାରା’ର ଉନ୍ମୋଚନ କରିଥିଲେ । ମନ୍ କି ବାତ୍ ଉପରେ ଉନ୍ମୋଚିତ ପୁସ୍ତକଟି ଲୋକଙ୍କ ସାମୂହିକ ଚେତନାକୁ ଜାଗ୍ରତ କରିବା ଦିଗରେ ଏକ ଯାତ୍ରା ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଉଦି ଆରବର ଏମ୍ବାସେଡର ସାଲେହ ବିନ୍ ଇଦ୍ ଅଲ୍ ହୁସୈନୀ, ଭାରତ ସରକାରଙ୍କ ରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ଡାକ୍ଟର ଅନ୍ନପୂର୍ଣ୍ଣା ଦେବୀ ଓ ଏନବିଟିର ଚେୟାରମ୍ୟାନ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.