Latest Odisha News

କାଲିଠୁ ପଦ୍ମପୁରରେ ପ୍ରଦୀପଙ୍କ ପାଇଁ ଭୋଟ୍ ମାଗିବେ ଧର୍ମେନ୍ଦ୍ର

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନଭେମ୍ବର ୨୯, ୩୦ ଓ ଡିସେମ୍ବର ୧ ତାରିଖରେ ପଦ୍ମପୁରରେ ପ୍ରଚାର କରିବା ସହ ଆସନ୍ତା ୩ ତାରିଖରେ ଏକ ବିଶାଳ ଜନସଭାକୁ ଧର୍ମେନ୍ଦ୍ର ପ୍ରଧାନ ସମ୍ବୋଧନ କରିବେ । ଏନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ଆସନ୍ତାକାଲି ସକାଳ ୧୧ଟା ୩୦ରୁ ମାଣ୍ଡୋସିଲଠାରେ ଏକ ଜନସଭା କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ଆରମ୍ଭ କରିବେ । ମିଠାପାଲି, ପାଇକମାଳ, ହିରାପୁର, ନୂଆ ଗାଁ, ଝାରମୁଣ୍ଡାରେ ରୋଡ ସୋ, ପଦଯାତ୍ରା କରିବେ । ଅପରାହ୍ଣ ୪ଟା ୩୦ରେ ଭେଙ୍ଗରାଜପୁରରେ ଏକ ସାଧାରଣ ଜନସଭାକୁ ସମ୍ବୋଧିତ କରିବେ । ଏହାପରେ ମାଲଦା, ପଲସଦା ଓ ଖଇରାରେ ରୋଡ ସୋ କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲିର ଶେଷ କାର୍ଯ୍ୟକ୍ରମ ଭାବରେ ସନ୍ଧ୍ୟା ୬ଟା ୩୦ରେ ବିଜାଡିହରେ ଏକ ସାଧାରଣ ଜନସଭାରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ।

ସେହିଭଳି ନଭେମ୍ବର ୩୦ ଓ ଡିସେମ୍ବର ୧ ତାରିଖରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଅନ୍ୟ ସ୍ଥାନମାନଙ୍କରେ ସେ ପ୍ରଚାର କରିବେ । ଆଜି ପଦ୍ମପୁରରେ ଆୟକର ବିଭାଗର ଚଢ଼ାଉକୁ ନେଇ ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତରରେ ହରିଚନ୍ଦନ କହିଛନ୍ତି, କୌଣସି ବ୍ୟକ୍ତି ଆଇନକୁ ଭାଙ୍ଗିଥିବେ, ବେଆଇନ ଭାବରେ କଳାଟଙ୍କା ରଖିଥିବାର ପ୍ରମାଣ ଆୟକର ବିଭାଗ ପାଖରେ ଥିବ ତେବେ ଯାଇ ସେମାନେ ଚଢାଉ କରିଥିବେ । ବିଜୁ ଜନତା ଦଳର ମୁଖିଆ ସବୁବେଳେ ଆଇନ ତା ବାଟରେ ଯିବ ବୋଲି କୁହନ୍ତି । ଆୟକର ଚଢାଉ ମଧ୍ୟ ଆଇନ୍ ଆଧାରରେ ହେଉଛି । ବିଜୁ ଜନତା ଦଳ ଏହାକୁ କାହିଁକି ବିରୋଧ କରୁଛି । କଣ ନିର୍ବାଚନ ଅଛି ବୋଲି ଦୁର୍ନୀତିଗ୍ରସ୍ତ ଓ ଅପରାଧୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଣାନ ନକରାଯାଇ ସେମାନଙ୍କୁ ଛାଡି ଦିଆଯିବ କି ?

Leave A Reply

Your email address will not be published.