Latest Odisha News

ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଖୋର୍ଦ୍ଧା: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲା ବରୁଣେଇ ଠାରେ ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କରିବା ସହ ପ୍ରକଳ୍ପ କାମର ଅଗ୍ରଗତି ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି ପ୍ରକଳ୍ପର ପରିକଳ୍ପନା ୨୦୧୭ ମସିହାରେ ହୋଇଥିଲା । ଏହି ବର୍ଷ ଭାରତର ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ବଜେଟରେ ଅର୍ଥ ବରାଦ କରିବା ସହ ଓଡ଼ିଆ ଜାତିର ବୀରତ୍ୱକୁ ରାଷ୍ଟ୍ରୀୟ-ଅନ୍ତରାଷ୍ଟ୍ରୀୟ ସ୍ୱୀକୃତି ପ୍ରଦାନ କରିଥିଲେ ।

ପରେ ୨୦୧୭ ଜୁଲାଇ ୨୦ରେ ତତ୍କାଳୀନ ରାଷ୍ଟ୍ରପତିଙ୍କ ଉପସ୍ଥତିରେ ନୂଆଦିଲ୍ଲୀ ଠାରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ସମାରୋହର ଆୟୋଜନ ହୋଇଥିଲା । ୨୦୧୮ ଡିସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରୁଣେଇ ପାଦଦେଶରେ ପାଇକ ବିଦ୍ରୋହର ସ୍ମାରକୀ ମୁଦ୍ରା ଓ ଷ୍ଟାମ୍ପ ଉନ୍ମୋଚନ କରିଥିଲେ । ୨୦୧୯ ଡିସେମ୍ବର ୮ରେ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

୨୦୧୭ରୁ ପାଖାପାଖି ୬ ବର୍ଷ ମଧ୍ୟରେ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ସବୁ ବୁଝାମଣା ହୋଇ ସାରିଛି । ରାଜ୍ୟ ସରକାର ବରୁଣେଇର ପାଦଦେଶରେ ଜମି ମଧ୍ୟ ଉପଲବ୍ଧ କରାଇଛନ୍ତି । ଭାରତ ସରକାରଙ୍କ ସଂସ୍କୃତି ବିଭାଗ ସବୁ ନିୟମକୁ ମାନିବା ପାଇଁ ପ୍ରସ୍ତୁତ ଅଛନ୍ତି । ପ୍ରକଳ୍ପ ସ୍ଥାନରୁ ବିଦ୍ୟୁତ ଖୁଣ୍ଟ ଓ ଗଛ ହସ୍ତାନ୍ତରଣ ପାଇଁ ଅର୍ଥ ଦିଆଯାଇଛି । ଏହା ସ୍ମାରକୀ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟିଛି । ପାଇକ ବିଦ୍ରୋହ ହେଉଛି ଓଡ଼ିଆ ଜାତିର ସ୍ୱାଭିମାନ, ଅସ୍ମିତା ଓ ଗୌରବର ପ୍ରତୀକ । ତେଣୁ ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ପାଇକ ସ୍ମାରକୀ ନିର୍ମାଣ ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ପ୍ରକଳ୍ପ ସ୍ଥାନ ପରିଦର୍ଶନ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ସହ ସାଂସଦ ଭର୍ତ୍ତୃହରି ମହତାବ ସାଥୀରେ ଥିଲେ ।

Leave A Reply

Your email address will not be published.