Latest Odisha News

ଶୁଭାରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର ଗ୍ରାମୀଣ ବିକାଶ, କୃଷି ଓ କୃଷକ ସଶକ୍ତିକରଣ ଏବଂ ପଂଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସୱାଇ)ର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି । ନୂଆଦିଲ୍ଲୀଠାରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଚାଲିଥିବା ପିଏମଜିଏୱାଇ ଜାତୀୟ କର୍ମଶାଳା ଅବସରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ତୃତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ଗ୍ରାମାଂଚଳରେ ୧,୨୫,୦୦୦ କିମି ସଡ଼କ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହାଦ୍ୱାରା ଗ୍ରାମାଂଚଳ ଜନବସତିକୁ ଡାକ୍ତରଖାନା, ଗ୍ରାମୀଣ କୃଷି ବଜାର ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସହ ସଂଯୋଗ କରାଯିବ । ୨୦୧୯-୨୦ରୁ ୨୦୨୪-୨୫ ମଧ୍ୟରେ ଏହି ଯୋଜନାରେ ୮୦,୨୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ, ଏଥିମଧ୍ୟରୁ କେନ୍ଦ୍ର ସରକାର ୫୩, ୮୦୦ କୋଟି ଟଙ୍କା ଯୋଗାଇ ଦେବେ । ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ତୃତୀୟ ପର୍ଯ୍ୟାୟ ଲାଗି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପାଣ୍ଠି ବ୍ୟୟ ଅନୁପାତ ୬୦:୪୦ ରହିଛି । ଉତରପୂର୍ବ ଏବଂ ହିମାଳୟ ରାଜ୍ୟ ପାଇଁ ଏହି ଅନୁପାତ ୯୦:୧୦ ରଖାଯାଇଛି ।

ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ତୋମାର କହିଥିଲେ ଯେ ପିଏମଜିଏୱାଇ ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ଏକଦା ଗ୍ରାମାଂଚଳରେ ଭଲ ରାସ୍ତା କଥା କେହି କଳ୍ପନା କରିପାରୁନଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟି ଓ ସଂକଳ୍ପବଦ୍ଧତା କାରଣରୁ ଆଜି ଗ୍ରାମୀଣ ଭାରତରେ ୬ ଲକ୍ଷ କିମିରୁ ଅଧିକ ଗ୍ରାମୀଣ ସଡ଼କ ନିର୍ମାଣ କରାଯାଇପାରିଛି । ସାମଗ୍ରିକ ବିକାଶ ଏବଂ ଗ୍ରାମାଂଚଳର ସଶକ୍ତିକରଣରେ ସଡ଼କ ସଂଯୋଗ ବ୍ୟବସ୍ଥାର ଗୁରୁତ୍ୱ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଥିଲେ ।

ଗ୍ରାମୀଣ ସଡ଼କ ରକ୍ଷଣାବେକ୍ଷଣ ଲାଗି ସେ ରାଜ୍ୟଗୁଡ଼ିକ ଆହ୍ୱାନ କରିବା ସହିତ ତୃତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ । ୧୬ ଡିସେମ୍ବର ୨୦୧୯ ସୁଦ୍ଧା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୧,୫୩,୪୯୧ଟି ଗ୍ରାମ ରାସ୍ତା କାମ ଶେଷ ହୋଇଛି । ଏହା ମାଧ୍ୟମରେ ଦେଶର ୯୭.୨୭% ଯୋଗ୍ୟ ଓ ବ୍ୟବହାର୍ଯ୍ୟ ଜନବସତିକୁ ଯୋଡ଼ିବା ସହିତ ମୋଟ ୬,୦୭,୯୦୦ କିମି ସଡ଼କ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ଏଥିମଧ୍ୟରୁ ୩୬,୦୬୩ କିମି ଲମ୍ବ ସଡ଼କର ନିର୍ମାଣ ସବୁଜ ଜ୍ଞାନକୌଶଳ ଉପଯୋଗ କରି ନିର୍ମାଣ କରାଯାଇଛି, ଯେଉଁଥିରେ ବର୍ଜ୍ୟ ପ୍ଲାଷ୍ଟିକ ଏବଂ କୋଲ୍ଡ ମିକ୍ସ ଟେକନୋଲୋଜି ବ୍ୟବହାର କରାଯାଇଛି ।

ଜାତୀୟ ଗ୍ରାମୀଣ ଭିତିଭୂମି ବିକାଶ ସଂସ୍ଥା (ଏନଆରଆଇଡିଏ) ପକ୍ଷରୁ ଆୟୋଜିତ ଏହି ଜାତୀୟ କର୍ମଶାଳାରେ ବିଭିନ୍ନ ରାଜ୍ୟ, ବୈଷୟିକ ସଂସ୍ଥାନର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗ ଦେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ମତ ରଖିବା ସହିତ ଆଲୋଚନାରେ ଭାଗ ନେଇଥିଲେ । ଗ୍ରାମୀଣ ସଡ଼କ ରକ୍ଷଣାବେକ୍ଷଣ ଓ ମାନ ବୃଦ୍ଧି, ବର୍ଦ୍ଧିତ ଭିଡ଼ ପାଇଁ ଗ୍ରାମୀଣ ସଡ଼କ ଯୋଜନା, ସଡ଼କ ସୁରକ୍ଷା, ରାସ୍ତା କାମରେ ପ୍ଲାଷ୍ଟିକ ବର୍ଜ୍ୟର ଉପଯୋଗ ଭଳି ନୂଆ ପ୍ରଯୁକ୍ତି ବିଷୟରେ କର୍ମଶାଳାରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.