Latest Odisha News

BREAKING NEWS

‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମରେ ଭାଗ ନେଉଥିବା ଯୁବକଙ୍କୁ ଯାତ୍ରୀ ଭଡ଼ାରେ ୫୦ ପ୍ରତିଶତ ରିହାତି ଦେବ ଭାରତୀୟ ରେଳପଥ

ନୂଆଦିଲ୍ଲୀ: ଭାରତୀୟ ରେଳ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଯୁବକଯୁବତୀଙ୍କୁ ଯାତ୍ରୀ ଭଡ଼ାରେ ୫୦ ପ୍ରତିଶତ ରିହାତି ଦେବ । ଏହି ରିହାତି କେବଳ ଦ୍ୱିତୀୟ ଶ୍ରେଣୀ ଏବଂ ସ୍ଲିପର ଶ୍ରେଣୀର ସିଟ ପାଇଁ ମୂଳ ଭଡ଼ା ଉପରେ ମିଳିବ । ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତ୍ରା କରୁଥିବା ଯୁବ ଯାତ୍ରୀ ଯେଉଁମାନଙ୍କ ଆୟ ମାସିକ ୫ ହଜାର ଟଙ୍କାରୁ କମ ହୋଇଥିବ, ସେମାନେ ଏହି ରିହାତି ପାଇପାରିବେ ।

ଯାତ୍ରୀ ଭଡ଼ାରେ ରିହାତି ବ୍ୟବସ୍ଥା କେବଳ ସାଧାରଣ ରେଳ ଗାଡ଼ିରେ ଲାଗୁ ହେବ । ସ୍ୱତନ୍ତ୍ର ରେଳ ଗାଡ଼ି ଏବଂ ସ୍ୱତନ୍ତ୍ର ସୁବିଧା ଥିବା ରେଳ ଗାଡ଼ିରେ ଏହା ଲାଗୁ ହେବ ନାହିଁ । ଯାତ୍ରା ଆରମ୍ଭ ହେଉଥିବା ସ୍ଥାନ ଠାରୁ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ୩୦୦ କିମିରୁ ଅଧିକ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମେଲ/ଏକ୍ସପ୍ରେସ ଟ୍ରେନର ଦ୍ୱିତୀୟ ଶ୍ରେଣୀ କିମ୍ବା ସ୍ଲିପର ଶ୍ରେଣୀରେ ଫେରନ୍ତା ଯାତ୍ରା ଲାଗି ଗୋଟିଏ ଥର ଯାତ୍ରୀ ଭଡ଼ା ଉପରେ ମଧ୍ୟ ଏହି ରିହାତି ମିଳିବ ।
ଏହି ରିହାତି ବିଭିନ୍ନ ରାଜ୍ୟର ସମ୍ପୃକ୍ତ ମାନବ ସମ୍ବଳ ବିକାଶ ବିଭାଗର ସଚିବଙ୍କ ଦ୍ୱାରା ନିର୍ଦ୍ଧାରିତ ଫର୍ମରେ ଜାରି ପ୍ରମାଣପତ୍ର ଦେଖାଇବା ପରେ ହିଁ ମିଳିବ । ଇଚ୍ଛୁକ ଅଂଶଗ୍ରହଣକାରୀ ରେଳବାଇର କ୍ଷମତାପ୍ରାପ୍ତ ଅଧିକାରୀ, ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକ ଓ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ପ୍ରମୁଖଙ୍କ ଆଗରେ ଏହି ପ୍ରମାଣପତ୍ର ଦାଖଲ କରିବାକୁ ହେବ । ଏହାପରେ ତାଙ୍କୁ ଯାତ୍ରୀ ଭଡ଼ାରେ ରିହାତି ଲାଗି ଆଦେଶ ଜାରି କରାଯିବ ।

ଏହି ଆଦେଶ ଆଧାରରେ ସମ୍ପୃକ୍ତ ରେଳ ଷ୍ଟେସନ ମାଷ୍ଟର ଯାତ୍ରୀ ଭଡ଼ାରେ ରିହାତି ପାଇଁ ଅନୁମତି ଦେବେ । କେନ୍ଦ୍ର କିମ୍ବା ରାଜ୍ୟ ସରକାର, ସ୍ଥାନୀୟ ବୈଧାନିକ ସଂସ୍ଥା, ନିଗମ କିମ୍ବା ରାଷ୍ଟ୍ରାୟତ ଉପକ୍ରମ ଓ ବିଶ୍ୱବିଦ୍ୟାଳୟ ଦ୍ୱାରା ଯେଉଁ ଯାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରାଯାଉଛି ସେମାନେ ଏହି ରିହାତି ପାଇପାରିବେ ନାହିଁ ।

ଯାତ୍ରାରେ ରିହାତି କେବଳ ମୂଳ ଭଡ଼ା ଉପରେ ହିଁ ଲାଗୁ ହେବ । ରେଳ ଟିକେଟ ଉପରେ ଲାଗୁଥିବା ଅତିରିକ୍ତ ଦେୟ, ଆରକ୍ଷଣ ଶୁଳ୍କ ତଥା ଅନ୍ୟ ଶୁଳ୍କ ଉପରେ ରିହାତି ମିଳିବାର ବ୍ୟବସ୍ଥା ନାହିଁ । ରିହାତି ସଂକ୍ରାନ୍ତ କୌଣସି ପ୍ରକାର ଅଭିଯୋଗ ଥିଲେ ସମ୍ପୃକ୍ତ ରେଳ ଜୋନ ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକଙ୍କ ସହ ଯୋଗାଯୋଗ କରାଯାଇପାରିବ ।

Leave A Reply

Your email address will not be published.