Latest Odisha News

BREAKING NEWS

ଦେଖନ୍ତୁ ଭିଡ଼ିଓ: କୁମ୍ଭମେଳାରେ ଅଭିନବ ଏଟିଏମ ମେସିନ, ମଇଳା ପକାଇ ଚା’ ପିଅନ୍ତୁ…

ପ୍ରୟାଗରାଜ: ଏବର୍ଷରେ ଏହି ମହାକୁମ୍ଭ ମେଳାରେ ରେକର୍ଡ଼ ସଂଖ୍ୟକ ଦେଶ ବିଦେଶରୁ ୧୨୦ ମିଲିୟନ ହିନ୍ଦୁ ସାଧୁ, ସନ୍ଥ ତଥା ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହି ପ୍ରସିଦ୍ଧ କୁମ୍ଭମେଳା ଅବସରରେ ବ୍ରୁକବଣ୍ଡ କମ୍ପାନୀ ପକ୍ଷରୁ ଏକ ଅଭିନବ ଏଟିଏମ ମେସିନ୍ ନିର୍ମିତ କରାଯାଇ କୁମ୍ଭମେଳାର ଅଂଶଗ୍ରହଣ କରୁଥିବା ଶ୍ରଦ୍ଧାଳୁମାନଙ୍କ ଲାଗି ଚା’ କଫି ପରିବେଷଣ କରାଯାଉଛି । ଏହି ଏଟିଏମ ମେସିନରେ ମଇଳା ବା କିଛି ବର୍ଜ୍ୟ ବସ୍ତୁ ପକାଇଲାମାତ୍ରେ ଏଥିରୁ ବାହାରିବ ଚା’ ବା କଫି ।

ଏବେ ଉତ୍ତରପ୍ରଦେଶର ଆହ୍ଲାହବାଦ ବା ପ୍ରୟାଗରାଜରେ ଚାଲିଛି ବିଶ୍ୱପ୍ରସିଦ୍ଧ କୁମ୍ଭମେଳା । ଏବେ ଟଙ୍କା ବାହାରୁଥିବା ଏଟିଏମ ମେସିନ ଅପେକ୍ଷା ଏହି ଅଭିନବ ଏଟିଏମ ମେସିନ ନିକଟରେ ବେଶ୍ ଭିଡ଼ ପରିଲକ୍ଷିତ ହେବା ଲକ୍ଷ୍ୟ କରାଯାଉଛି ।

ତ୍ରିବେଣୀ ସଂଗମସ୍ଥିତ ଏହି କୁମ୍ଭମେଳାକୁ ଆସୁଥିବା ଲକ୍ଷ ଲକ୍ଷ ସାଧୁସନ୍ଥ ଏବଂ ଶ୍ରଦ୍ଧାଳୁମାନେ ସକାଳୁ ଶୀତରୁ ରକ୍ଷା ପାଇବା ଲାଗି ଏହି ଚା’ ଏଟିଏମ ପାଖରେ ଭିଡ଼ ଜମାଉଛନ୍ତି ।

ଗଣମାଧ୍ୟମକୁ ସୂଚନାଦେଇ ଏହି ମେଳାକୁ ଆସିଥିବା ନେପାଳର ଜଣେ ସାଧୁ କହିଛନ୍ତି, ଏପରି ଏଟିଏମ ମେସିନ ଦ୍ୱାରା ଜଣେ ମାଗଣାରେ ଚା’ କପେ ପିଇବାକୁ ହେଲେ ମେଳାରେ ପଡ଼ିଥିବା ବର୍ଜ୍ୟବସ୍ତୁକୁ ସାଉଁଟି ଆଣି ଏହି ଏଟିଏମ ମେସିନରେ ପକାଇଲେ ସଙ୍ଗେ ସଙ୍ଗେ ଚା’ କିମ୍ବା କଫି ବାହାରୁଛି । ଏଥିରେ ପରିବେଶ ସୁରକ୍ଷା ତଥା ସ୍ୱଚ୍ଛତା ରକ୍ଷା ହେବା ସହିତ ଚା କଫି ମଧ୍ୟ ଜଣେ ଆରାମରେ ନେଇ ପିଇ ପାରୁଛି ।

ଏହି ଅଭିନବ ଏଟିଏମର ବେଶ୍ ପ୍ରଶଂସା କରିଛନ୍ତି ମଧ୍ୟ କିଛି ବିଦେଶାଗତ ସାଧୁ ସନ୍ଥ ଏବଂ ମେଳାକୁ ପରିଦର୍ଶନରେ ଆସିଥିବା କିଛି ବିଦେଶୀ ପର୍ଯ୍ୟଟକ ।

ଏହି ଏଟିଏମ ମେସିନର ଭିଡ଼ିଓ କ୍ଲିପ ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ପ୍ରଶଂସିତ ହେବାରେ ଲାଗିଛି । ବିଭିନ୍ନ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓଟି ପ୍ରଶଂସକମାନେ ଉତ୍ସାହିତ କରିବା ସହିତ ସାଧୁବାଦ ଜଣାଇଛନ୍ତି । କ୍ରମେ ଏହି ଭିଡ଼ିଓଟି ସୋସିଆଲ୍ ମିଡ଼ିଆରେ ଧିରେ ଧିରେ ଭାଇରାଲ୍ ହେବାରେ ଲାଗିଛି ।

Leave A Reply

Your email address will not be published.