ରାୟଗଡ଼ା: ଏକଦା କଳାହାଣ୍ଡି ଗଡ଼ଜାତର ଏକ ଜମିଦାରୀ ଅଞ୍ଚଳ ଥିବା କାଶୀପୁରକୁ ପ୍ରଶାସନିକ ସୁବିଧା ନିମନ୍ତେ ୧୯୬୨ ମସିହାରେ କଳାହାଣ୍ଡି ଜିଲ୍ଳାରୁ ଅଲଗା କରି ତତ୍କାଳୀନ ଅବିଭକ୍ତ କୋରାପୁଟ ଜିଲ୍ଲାରେ ମିଶାଇ ଦିଆଗଲା । ପରବର୍ତ୍ତୀ ସମୟରେ ୧୯୯୨ ମସିହାରେ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ୪ ଭାଗ କରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ଗଠନ ହୋଇଥିଲା । ସେହି ସମୟରେ କାଶୀପୁର ରାୟଗଡ଼ା ଜିଲ୍ଲାର ଅଂଶବିଶେଷ ହେଲା । କଳାହାଣ୍ଡି ଗଡ଼ଜାତର ନଗବଂଶୀ ରାଜା ମାନଙ୍କ ଇଷ୍ଟଦେବୀ ହେଲେ ମାଆ ମାଣିକେଶ୍ୱରୀ ।
କଳାହାଣ୍ଡି ଗଡ଼ଜାତର ଅଂଶବିଶେଷ ଥିବାବେଳେ ହିଁ କାଶୀପୁର ନଗବଂଶୀ ଜମିଦାର ରାଜା ମାନଙ୍କ ଦ୍ଵାରା କାଶୀପୁର ଠାରେ ମାଣିକେଶ୍ୱରୀଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇ ଵିଧି ବିଧାନ ପୂର୍ବକ ପୂଜାନୀତି ପ୍ରଚଳିତ ହୋଇ ଆସୁଅଛି । ମାଣିକେଶ୍ୱରୀ ସଂସ୍କୃତିରେ ପ୍ରତିବର୍ଷ ଆଶ୍ୱିନ ମାସରେ ଦେବୀଙ୍କର ଶାକ୍ତ ନବକଳେବର ସହ ଶାରଦୀୟ ଉତ୍ସଵ ଅନୁଷ୍ଠିତ ହୋଇଥାଏ। ଶ୍ରୀକ୍ଷେତ୍ର ପୁରୀରେ ଯେଉଁ ବର୍ଷ ଯୋଡ଼ା ଆଷାଢ଼ ପଡେ ସେହିବର୍ଷ ଶ୍ରୀ ଜୀଉ ମାନଙ୍କର ନୂତନ ବିଗ୍ରହ ନିର୍ମାଣ କରାଯାଇଥାଏ । ତେବେ କାଶୀପୁର ଓ କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କ ପ୍ରତିବର୍ଷ ଶାରଦୀୟ ଉତ୍ସଵରେ କଞ୍ଚା ମାଟିରେ ନିର୍ମିତ ମସ୍ତକ ବା ମୁଣ୍ଡକୁ ସ୍ଥାପନ କରି ଦେବୀଙ୍କ ଶାକ୍ତ ନବକଳେବର କରାଯାଇଥାଏ ।
କଞ୍ଚା ମାଟିରେ ନିର୍ମିତ ମୁଣ୍ଡରେ ସୁନା ଓ ରୂପାର ଅଖି, କାନ, ନାକ, ଜିଭ ଆଦି ଖଞ୍ଜା ଯିବା ସହ ବିଭିନ୍ନ ରତ୍ନାଳଙ୍କାରରେ ବିଭୂଷିତ କରାଯାଇଥାଏ । ନବ ନିର୍ମିତ ମୁଣ୍ଡ ବା ମସ୍ତକ ଦେବୀଙ୍କ ଠାରେ ସମ୍ପୂର୍ଣ୍ଣ ଗୋପନରେ ତନ୍ତ୍ର ରୀତିରେ ସ୍ଥାପନ କରାଯାଇ ଦେବୀଙ୍କ ଶାରଦୀୟ ଉତ୍ସଵ ଆରମ୍ଭ ହୋଇଥାଏ । ଯାହାକୁ ମୁଣ୍ଡବସା ପର୍ବ କୁହାଯାଏ । ଆଉ ଏହି ପର୍ବ ବିରଳ । କାଶୀପୁର ଓ ଭବାନୀପାଟଣା ବ୍ୟତୀତ ଅନ୍ୟ କୌଣସି ଦେବୀ ପୀଠରେ ଏହିଭଳି ପାଳନ ହୋଇନଥାଏ । ଭବାନୀପାଟଣା ସ୍ଥିତ ମାଣିକେଶ୍ୱରୀ ପୀଠରେ ପ୍ରତିବର୍ଷ ଆଶ୍ୱିନ ମୂଳାଷ୍ଟମୀ ତିଥିରେ ମୁଣ୍ଡବସା ପୂର୍ବକ ଦେବୀଙ୍କ ନବକଳେବର କରା ଯାଉଥିବା ବେଳେ କାଶୀପୁର ମାଣିକେଶ୍ୱରୀ ପୀଠରେ ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ ମାଆଙ୍କର ମୁଣ୍ଡବସା ନବକଳେବର କରାଯାଇଥାଏ ।
କାଶୀପୁର ମାଣିକେଶ୍ୱରୀ ପୀଠରେ ଆଶ୍ୱିନ ଶୁକ୍ଳ ପ୍ରତିପଦା ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ରୀତିନୀତି ସହ ପୂଜାର୍ଚ୍ଚନା ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିଥାଏ । ଏହି ପୀଠରେ ମା ମାଣିକେଶ୍ଵରୀ ଦେବୀ ଛିନ୍ନମସ୍ତା ରୂପରେ ପୂଜା ପାଆନ୍ତି । ଦଶ ମହାବିଦ୍ୟା ମଧ୍ୟରେ ଛିନ୍ନମସ୍ତା ଅନ୍ୟତମ । ତେଣୁ ଏହି ପୀଠର ମହିମା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆଉ ଏହି ଦଶ ଦିନ ବ୍ୟାପୀ ମାଆଙ୍କ ନିକଟରେ ପ୍ରବଳ ଗହଳି ହୋଇଥାଏ । ମନସ୍କାମନା ପୂର୍ଣ୍ଣ ପାଇଁ ରାୟଗଡ଼ା, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ସମାଗମ ବର୍ତ୍ତମାନ ଲାଗି ରହିଛି ।
Comments are closed.