Latest Odisha News

BREAKING NEWS

ହର୍ମୁଜ ପ୍ରଣାଳୀ ନିକଟରେ ଆମେରିକା-ଇରାନ ମଧ୍ୟରେ ସଂଘର୍ଷ; ଜଣେ ଭାରତୀୟ ନାବିକ ମୃତ, ୧୭ ଉଦ୍ଧାର

ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀ ନିକଟରେ ଆମେରିକା ଓ ଇରାନ ମଧ୍ୟରେ ପୁଣି ସଂଘର୍ଷ ଦେଖାଦେଇଛି । ଯାହା ଫଳରେ ଏହାର ଶିକାର ହୋଇଛନ୍ତି ଭାରତୀୟ ନାଗରିକ । ଉଭୟଙ୍କ ମଧ୍ୟରେ ଗୁଳିଗୋଳା ଜାରି ରହିଥିବାବେଳେ, ଶୁକ୍ରବାର ଭାରତୀୟ ନାବିକଙ୍କୁ ନେଇ ଦୁବାଇରୁ ମାଲ ପରିବହନ କରି ୟେମେନ ଅଭି ଯାଉଥିବା ଏକ କାଠର ମାଲବାହୀ ଜାହାଜରେ ନିଆଁ ଲାଗିଯାଇଥିଲା । ଏଥିରେ ଥିବା ଜଣେ ଭାରତୀୟ ନାବିକଙ୍କର ମୃତ୍ୟୁ ହୋଇଥିବାବେଳେ, ୪ ଜଣ ନାବିକ ଆହତ ହୋଇଛନ୍ତି ।

ମୃତ ନାବିକ ଜଣକ ଗୁଜରାଟର ଦ୍ବାରକା ଜିଲ୍ଲାର ଜାମ ସଲାୟର ବାସିନ୍ଦା । ତାଙ୍କ ପରିଚୟ ଅଲତାଫ ତାଲାବ କେର୍‌ ବୋଲି ଜଣାପଡିଛି । ତେବେ ଜାହାଜରେ ଥିବା ଅନ୍ୟ ୧୭ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଦୁବାଇସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସ ଏକ ଘଟଣା ସମ୍ପର୍କରେ ସୂଚନା ଦେବା ସହିତ ଦୁଃଖ ପ୍ରକାଶ କରିଛି ।

ଇଣ୍ଡିଆନ୍‌ ସେଲିଂ ଭେସେଲ୍ସ ଆସେସିଏସନର ମହାସଚିବ ଆଦମ ଭାୟା କହିଛନ୍ତି, ହର୍ମୁଜ ପ୍ରଣାଳୀ ପାର୍‌ କରୁଥିବା ସମୟରେ ଭାରତୀୟ ନାବିକ ଥିବା ଏହି ‘ଅଲ ଫେଜ୍‌ ନୁରର୍‌ ସୁଲୋମାନି’ ଉପରେ ଗୁଳିଗୋଳା ବର୍ଷଣ ଯୋଗୁଁ ପ୍ରଥମେ ଏଥିରେ ନିଆଁ ଯାଇଥିଲା । ଆକ୍ରମଣ ସମୟରେ ଅଲତାଫ କେର୍‌ ଜାହାଜର ଇଞ୍ଜିନ ରୁମ୍‌ ନିକଟରେ ଉପସ୍ଥିତ ଥିଲେ । ଅନ୍ୟ ଏକ ଜାହାଜ ପ୍ରେମ୍‌ ସାଗର କ୍ଷତିଗ୍ରସ୍ତ ଜାହାଜ ନିକଟରେ ପହଞ୍ଚି ଅନ୍ୟ ୧୭ ଜଣ ଭାରତୀୟ ନାବିକଙ୍କୁ ଉଦ୍ଧାର କରିଥିଲେ ।

ଭାରତର ବାଣିଜ୍ୟିକ ଦୂତାବାସ ଡଙ୍ଗା ମାଲିକଙ୍କ ସହିତ ଯୋଗାଯୋଗରେ ଅଛନ୍ତି ଓ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ କହିଥିବା ସୂଚନା ରହିଛି ।

Leave A Reply

Your email address will not be published.