ନୂଆଦିଲ୍ଲୀ: ଭିସା ନିୟମକୁ ଦିନକୁ ଦିନ ଶକ୍ତ କରିବାରେ ଲାଗିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଏବେ ପର୍ଯ୍ୟଟକଙ୍କୁ ନେଇ ନୂଆ ପାଇଲଟ ପ୍ରୋଗ୍ରାମ ଆଣିଛି ଆମେରିକା। ଏହା ଆଧାରରେ ପର୍ଯ୍ୟଟକ ଓ ବ୍ୟବସାୟ ଭିସାରେ ଆମେରିକାରେ ପହଞ୍ଚୁଥିବା ଲୋକଙ୍କୁ ଭିସା ବଣ୍ଡ ଭାବେ 15ହଜାର ଡଲାର ବା 13ଲକ୍ଷ 16ହଜାର ଟଙ୍କାରୁ ଅଧିକ ଜମା କରିବାକୁ କୁହାଯାଇପାରେ। ଭିସା ସରିବା ପରେ ବି ଦେଶରେ ରହୁଥିବା ଲୋକଙ୍କ ସଂଖ୍ୟା କମ୍ କରିବାକୁ ଆମେରିକାର ବିଦେଶ ବିଭାଗ ଏହି କାର୍ଯ୍ୟକ୍ରମରେ ଲକ୍ଷ୍ୟ ରଖିଛି।
ଭିସା ବଣ୍ଡରେ ଏତେ ଦେବେ ପର୍ଯ୍ୟଟକ?
ଆମେରିକା ବିଦେଶ ବିଭାଗର ଏହି କାର୍ଯ୍ୟକ୍ରମ ଅନୁସାରେ, ପର୍ଯ୍ୟଟକ ଭିସା ବା ବି-1 ଭିସା ଓ ବ୍ୟବସାୟ ଭିସା ବା ବି-2 ଭିସାରେ ଆମେରିକା ଆସୁଥିବା ଲୋକଙ୍କଠାରୁ ଭିସା ବଣ୍ଡ ନିଆଯିବ। ପୂର୍ବରୁ ବିଦେଶୀ ଠିକ୍ ସମୟରେ ଆମେରିକା ଛାଡି ଯାଉନାହାନ୍ତି। ସେମାନେ ଆମେରିକାରେ ହିଁ ରହି ଯାଉଥିବା ଦେଖିବାକୁ ମିଳିଥିବା କାର୍ଯ୍ୟକ୍ରମ ସଂପର୍କିତ ଏକ ପବ୍ଲିକ ନୋଟିସରେ ଲେଖାଯାଇଛି। ତେବେ ବିଶ୍ବର ସବୁ ଦେଶ ଏହି କାର୍ଯ୍ୟକ୍ରମ ପରିସରରେ ଆସିବେ ନା କିଛି ଦେଶକୁ ରିହାତି ମିଳିବ, ସେନେଇ ସ୍ପଷ୍ଟ ହୋଇନି।
ଆମେରିକାର ନୂଆ ଭିସା କାର୍ଯ୍ୟକ୍ରମ କଣ?
ଆମେରିକାର ଏହି ନୂଆ ଭିସା କାର୍ଯ୍ୟକ୍ରମ ଆସନ୍ତା 20ତାରିଖରୁ ଲାଗୁ ହୋଇ ବର୍ଷେ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଛି। ଭିସା ପାଇଁ ଆବେଦନ କରୁଥିବା ଲୋକଙ୍କ ଉପରେ 5ହଜାର ଡଲାର, 10ହଜାର ଡଲାର ବା 15ହଜାର ଡଲାରର ତିନି ପ୍ରକାର ବଣ୍ଡ ବିବେକ ଅନୁସାରେ ଲଗାଇବାକୁ ବାଣିଜ୍ୟ ଦୂତାବାସ ଅଧିକାରୀଙ୍କୁ ଅଧିକାର ଦିଆଯାଇଛି। ଏନେଇ ଆମେରିକା ଫେଡେରାଲ ରେଜିଷ୍ଟରଙ୍କ ନୋଟିସରେ ସୂଚନା ଦିଆଯାଇଛି। ପର୍ଯ୍ୟଟକ କିମ୍ବା ବ୍ୟବସାୟ ଭିସାରେ ଯାଇଥିବା ଲୋକେ ଆମେରିକାରୁ ଫେରିବା ବେଳେ ସେମାନଙ୍କୁ ଭିସା ସର୍ତ୍ତ ଅନୁସାରେ ବଣ୍ଡ ବାବଦ ଅର୍ଥ ଫେରାଇ ଦିଆଯିବ।
ଭାରତୀୟଙ୍କ ଉପରେ କେତେ ପ୍ରଭାବ?
ଭିସା କାର୍ଯ୍ୟକ୍ରମ ପରିସରରେ କେଉଁ ଦେଶ ଆସିବେ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ତେବେ ଭିସା ଉଲ୍ଲଂଘନ ନେଇ ଭାରତୀୟଙ୍କ ପୂର୍ବ ରେକର୍ଡ ଦେଖିଲେ ଦେଶ ଏଥିରେ ସାମିଲ ହେବା ସମ୍ଭାବନା ରହିଛି। କାର୍ଯ୍ୟକ୍ରମ ଲାଗୁ ହେବାର ଅତିକମରେ 15ଦିନ ପୂର୍ବରୁ କେଉଁ କେଉଁ ଦେଶ ଏଥିରେ ସାମିଲ ହେବେ ସେନେଇ ସୂଚନା ଦିଆଯିବ। ଏହି ସମୟ ମଧ୍ୟରେ ସଂଶୋଧନ କାମ କରାଯିବ। ଅନ୍ୟ ଦେଶର ସରକାର ମଧ୍ୟ ନିଜ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରନ୍ତି। ସେମାନଙ୍କ ନାଗରିକ ଯେଭଳି ବୈଧ କାଗଜପତ୍ର ବିନା ଅନ୍ୟ କୌଣସି ଦେଶକୁ ନଯିବେ ସେନେଇ ଧ୍ୟାନ ଦିଅନ୍ତୁ। ଭିସା କାର୍ଯ୍ୟକ୍ରମ ଦ୍ବାରା ଏନେଇ ବି ଫୋକସ କରାଯିବ।
ଭିସା କାର୍ଯ୍ୟକ୍ରମକୁ ଏକ କୁଟନୈତିକ ଅସ୍ତ୍ର ଭାବେ ଡିଜାଇନ କରାଯାଇଛି। ଏହାଦ୍ବାରା ଅନ୍ୟ ଦେଶର ସରକାରଙ୍କୁ ପରିଚୟକୁ ଯାଞ୍ଚ କରିବା ସହ ସାର୍ବଜନୀନ ସୁରକ୍ଷା ମାମଲାରେ ସବୁ ନାଗରିକଙ୍କ କଡା ଯାଞ୍ଚ କରିବାକୁ ପ୍ରୋତ୍ସାହିତ କରାଯାଇଛି। ଏହାସହ ଅନ୍ୟ ଦେଶ ନିଜ ନାଗରିକଙ୍କୁ ଠିକ ସମୟରେ ଆମେରିକା ଛାଡିବା ନେଇ ପ୍ରୋତ୍ସାହିତ କରିବାକୁ କୁହାଯାଇଛି। ଆମେରିକାର ହୋମଲ୍ୟାଣ୍ଡ ସୁରକ୍ଷା ବିଭାଗର ତଥ୍ୟ ଅନୁସାରେ, 2023 ଆର୍ଥିକ ବର୍ଷରେ ଆମେରିକାରେ 5ଲକ୍ଷରୁ ଅଧିକ ଲୋକ ଭିସା ଅବଧି ସରିବା ପରେ ବି ରହିଥିଲେ।
Comments are closed.