ଏପ୍ରିଲ ୩ରେ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଇତ୍ସବ, ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୫ ବ୍ୟକ୍ତିତ୍ବଙ୍କୁ ଦିଆଯିବ ସମ୍ମାନଜନକ ଡିଲିଟ୍ ଉପାଧି
ଭୁବନେଶ୍ବର: ଏପ୍ରିଲ ୩ରେ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଇତ୍ସବ । ଉତ୍ସବକୁ ସୁରୁଖୁରୁରେ ବିଶ୍ବବିଦ୍ୟାଳୟର ବରିଷ୍ଠ ପଦାଧିକାରୀଙ୍କୁ ନେଇ ନିୟମିତ ବୈଠକ କରାଯାଉଛି । ଏପ୍ରିଲ ପହିଲାରୁ ଏକ ସ୍ବତନ୍ତ୍ର ଉତ୍ସବ କରିବାକୁ ନିଷ୍ପତ୍ତି ନିଆଯାଇଛି । ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପ ରାଷ୍ଟ୍ରପତି ଏମ୍. ଭେଙ୍କିଆ ନାଇଡୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ସମାବର୍ତ୍ତନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଦେଶର ୫ ବ୍ୟକ୍ତିତ୍ବଙ୍କୁ ସମ୍ମାନଜନକ ଡିଲିଟ୍ ଉପାଧି ପ୍ରଦାନ କରାଯିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସ, କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନରାଲ୍ ଅଫ୍ ଇଣ୍ଡିଆ (ସିଏଜି) ଗିରିଜ ଚନ୍ଦ୍ର ମୁର୍ମୁ, ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା, ଭାଭା ଅଟୋମିକ୍ ରିସର୍ଚ୍ଚ ସେଣ୍ଟର (ବାର୍କ)ର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡ. ବିଜୟ କୁମାର ସାହୁଙ୍କୁ ଏହି ଉପାଧି ପ୍ରଦାନ କରାଯିବ ।
ସମାବର୍ତ୍ତନ ଉତ୍ସବରେ ୨୦୧୯-୨୦ ଶିକ୍ଷାବର୍ଷର ମୋଟ ୪୦ ଜଣଙ୍କୁ ପିଏଚଡି ଓ ୯୦ ଜଣଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯିବ । ଏହା ଛଡା ୨୦୧୮-୧୯ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏପ୍ରିଲ ପହିଲାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେବ । ଏଥିରେ ମୋଟ ୧୩୦ ଜଣଙ୍କୁ ପିଏଚଡି, ୨ ଜଣଙ୍କୁ ଡିଲିଇଟି ଓ ୯୦ ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ଜଣାପଡିଛି ।
Comments are closed.