Latest Odisha News

କିସ୍‍ ଓ କିଟରେ ବଲିଉଡ୍‍ ଅଭିନେତା ଉତ୍କର୍ଷ ଶର୍ମା, ‘ବନବାସ’ର କଲେ ପ୍ରଚାର

ଭୁବନେଶ୍ୱର: ବଲିଉଡ୍‍ ଅଭିନେତା ଉତ୍କର୍ଷ ଶର୍ମା ମଙ୍ଗଳବାର କିଟ୍‍ ଓ କିସ୍‍ ପରିଦର୍ଶନ କରିଛନ୍ତି। କିସ୍‍ର ୪୦ ହଜାର ପିଲାଙ୍କ ମଧ୍ୟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବନବାସ’ର ପ୍ରଚାର ପାଇଁ ସେ ମୁମ୍ବାଇର କିସ୍‍ ଆସିଥିଲେ। ଡିସେମ୍ବର ୨୦ରେ ମୁକ୍ତିଲାଭ କରିବ ‘ବନବାସ’।

ଉତ୍କର୍ଷଙ୍କ ପିତା ତଥା ବିଶିଷ୍ଟ ବଲିଉଡ୍‍ ନିର୍ଦ୍ଦେଶକ ଓ ନିର୍ମାତା ଅନୀଲ ଶର୍ମା କିସ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିଷୟରେ ଜାଣିବା ପରେ କିସ୍‍ ପିଲାଙ୍କ ସହ ଚଳଚ୍ଚିତ୍ର ‘ବନବାସ’ର ପ୍ରଚାର ପାଇଁ ଉତ୍କର୍ଷଙ୍କୁ କିସ୍‍ ପଠାଇଥିଲେ। ଉତ୍କର୍ଷଙ୍କ ସହ ତାଙ୍କ ମାଆ ଓ ଭଉଣୀ ମଧ୍ୟ କିସ୍‍ ଆସିଥିଲେ।

ଆଜି ସକାଳେ ସେମାନେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଅପରାହ୍ନରେ କିଟ୍‍ ଓ କିସ୍‍ ପରିଦର୍ଶନ କରିବା ପରେ କିସ୍‍ର ୪୦ ହଜାର ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ କରିଥିଲେ। ଏହି ଅବସରରେ ସେ କହିଥିଲେ, ମୁଁ ଦେଶ ଓ ବିଦେଶର ଅନେକ ସ୍ଥାନ ବୁଲିଛି। କିନ୍ତୁ କିସ୍‍ ଭଳି ସ୍ଥାନ କେଉଁଠି ଦେଖିନାହିଁ। ଏଠାରେ ପିଲାଙ୍କ ରହିଥିବା ଭିତ୍ତିଭୂମି ବିଶ୍ୱସ୍ତରୀୟ। କାରଣ ମୁଁ ମୁମ୍ବାଇ ଓ ଆମେରିକାରେ ପାଠ ପଢ଼ିଥିଲେ ମଧ୍ୟ ସେଠାରେ ଯେଉଁ ଭିତ୍ତିଭୂମି ରହିଛି ତାଠାରୁ ଏଠାରେ ଅତି ଉନ୍ନତ ଭିତ୍ତିଭୂମି ରହିଛି । ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କ ପ୍ରତିଭା ଓ ଦକ୍ଷତା ବିକାଶ ପାଇଁ ବିଶ୍ୱସ୍ତରୀୟ ବ୍ୟବସ୍ଥା ରହିଛି । ଏହାର ସଦୁପଯୋଗ ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ସେ ଅଚ୍ୟୁତ ସାମନ୍ତଙ୍କ ପ୍ରଶଂସା କରି କହିଛନ୍ତି, ଦେଶର ଅନେକ ସମାଜ ପାଇଁ ଅନେକ କିଛି କରିଛନ୍ତି। କିନ୍ତୁ ସେ ଯାହା କରୁଛନ୍ତି ତାହା କଳ୍ପନାର ବାହାରେ। ଏଠାରେ ୪୦ ହଜାର ଜନଜାତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭଗବାନ ବିରାଜମାନ କରୁଥିବା ମୁଁ ଦେଖିପାରୁଛି। ସେମାନଙ୍କ ଶୁଭେଚ୍ଛା ଓ ଭଲ ପାଇବା ମୋତେ ଅଭିଭୂତ କରିଛି। ପରେ ସେ କିଟ୍‍ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଗହଣରେ ନିଜ ଚଳଚ୍ଚିତ୍ରର ପ୍ରଚାର କରିଥିଲେ।

ତେବେ ଏହି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ପାରିବାରିକ ଓ ମନୋରଞ୍ଜନଧର୍ମୀ। ସନ୍ତାନଙ୍କ ଲାଳନ ପାଳନ କରିବା ପିତାମାତଙ୍କ କର୍ମ ହୋଇଥିବା ବେଳେ ପିତାମାତାଙ୍କୁ ସମ୍ମାନ କରିବା ଓ ପରବର୍ତ୍ତୀ ସମୟରେ ସେମାନଙ୍କ ଯତ୍ନ ନେବା ହେଉଛି ପିଲାଙ୍କ ଧର୍ମ ବୋଲି ସେ ପ୍ରକାଶ କରିଥିଲେ।

 

Comments are closed.