Latest Odisha News

BREAKING NEWS

୧୧୫ ଦିନର CM: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ତୀରଥ ସିଂହ ରାଓ୍ୱତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତୀରଥ ସିଂହ ରାଓ୍ୱତ । ମାତ୍ର ୧୧୫ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି । ଗତକାଲି ରାତି ୧୧ଟା ବେଳେ ସେ ରାଜ୍ୟପାଳ ବେବି ରାଣୀ ମୌର୍ୟ୍ୟଙ୍କୁ ନିଜ ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି । ସାମ୍ବିଧାନିକ ସଙ୍କଟ ଯୋଗୁ ନିଜ ପଦରୁ ଇସ୍ତଫା ଦେଇଥିବା ତୀରଥ ସିଂହ ରାଓ୍ୱତ କହିଛନ୍ତି । ଉତ୍ତରାଖଣ୍ଡର ୨୦ ବର୍ଷ ଇତିହାସରେ ବିଜେପିର ୭ ଜଣ ମୁଖ୍ୟମନ୍ତ୍ରୀଙ୍କ ଭିତରେ ତୀରଥ ସିଂହ ରାଓ୍ୱତଙ୍କ କାର୍ୟ୍ୟକାଳ ସବୁଠୁ କମ୍ ।

ଗତକାଲି ସକାଳେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କୁ ଭେଟିଥିଲେ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । କିଏ ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ । ଏନେଇ ଆଜି ଡେରାଡୁନରେ ବସୁଛି ବିଜେପି ବିଧାୟକ ଦଳ ବୈଠକ । କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କୁ ବିଜେପି ପର୍ୟ୍ୟବେକ୍ଷକ ନିଯୁକ୍ତି କରିଛି ।

ଚଳିତବର୍ଷ ମାର୍ଚ୍ଚ ମାସରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ତୀରଥ ସିଂହ ରାଓ୍ୱତ । ମୁଖ୍ୟମନ୍ତ୍ରୀ ହେବର ଛଅ ମାସ ଅର୍ଥାତ ସେପ୍ଟେମ୍ୱର ୧୦ ତାରିଖ ଭିତରେ ତାଙ୍କୁ ବିଧାନସଭା ନିର୍ବାଚନ ଜିତିବାକୁ ପଡ଼ି ଥାଆନ୍ତା । ଉତ୍ତରାଖଣ୍ଡର ଦୁଇଟି ସିଟରେ ଉପନିର୍ବାଚନ ହେବାର ଅଛି । କିନ୍ତୁ କରୋନା ଯୋଗୁ ଏବେ ଉପନିର୍ବାଚନ ଉପରେ ନିର୍ବାଚନ କମିଶନର ରୋକ ଲଗାଇଛନ୍ତି ।

ଉପନିର୍ବାଚନ କେବେ ହେବ କିଛି ସ୍ପଷ୍ଟ ସୂଚନା ମିଳି ନାହିଁ । ଏଭଳି ସ୍ଥିତିରେ ତୀରଥ ସିଂହ ରାଓ୍ୱତଙ୍କ ଆଗରେ ସାମ୍ବିଧାନିକ ସଙ୍କଟ ଠିଆ ହୋଇଥିଲା । ୬ ମାସ ପୂରା ହେବା ପୂର୍ବରୁ ସେ ଇସ୍ତଫା ଦେଇ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇ ପାରି ଥାଆନ୍ତେ । କିନ୍ତୁ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ଏମିତି କରିବା ଠିକ୍ ହେବ ନାହିଁ ବୋଲି ଚିନ୍ତା କରିଥିଲେ କେନ୍ଦ୍ରୀୟ ବିଜେପି ନେତୃତ୍ୱ ।

Leave A Reply

Your email address will not be published.