Latest Odisha News

BREAKING NEWS

କବିତା : ଜଗାକୁ ହେଇଛି ଜର

ରମେଶ ରଥ

ଜଗାକୁ ହେଇଛି ଜର ଲୋ ସଙ୍ଗାତ,
ଜଗାକୁ ହେଇଛି ଜର।
ଅଣସର ଘରେ ନିରବେ ଶୋଇଛି ,
ନଶୁଣେ ଗୁହାରି କାର ।
ଜଗାକୁ ହୋଇଛି ଜରଲୋ ସଙ୍ଗାତ,
ଜଗାକୁ ହେଇଛି ଜର।।
ସ୍ନାନବେଦି ପରେ ବସି ଲୋ ସଙ୍ଗାତ,
ଢାଳି ହେଲା ଏତେ ନୀର।
ସୁବର୍ଣ୍ଣ କୂପକୁ ଖାଲି କରିଦେଲା,
ଭୋଗୁଛନ୍ତି କାଳ ଜର ଲୋ ସଙ୍ଗାତ,
ଜଗାକୁ ହେଇଛି ଜର।।
ଚଉଦ ଦିନଟି ଅଣସର ଘରେ,
ଶୋଇବ ଜଗାଟି ମୋର।
ସେ ଚଉଦ ଦିନ ସାରା ଜଗତରେ,
କାଳ କରିବଟି ଘର ଲୋ ସଙ୍ଗାତ,
ଜଗାକୁ ହେଇଛି ଜର।।
ପ୍ରଭୁ ଜଗନ୍ନାଥ ଭଉଣୀ ସୁଭଦ୍ରା
ନିଦ୍ରା ଯିବେ ହଳଧର।
ସେତ ଯୋଗନିଦ୍ରା ଜାଣିଥାଲୋ ସଖି,
ମାୟା କରେ ମାୟାଧର ଲୋ ସଙ୍ଗାତ,
ଜଗାକୁ ହେଇଛି ଜର।।
ମହୋଷଧି ଖାଇ ଉଠିବ ଜଗାଲୋ,
ସଂସାର ହୋଇବ ସ୍ଥିର।
ରଥେ ବିଜେ ହେବେ ଚତୁର୍ଦ୍ଧା ମୂରତି,
ଭକ୍ତଙ୍କ ଶୁଣି ଆତୁର ଲୋ ସଙ୍ଗାତ,
ଜଗାକୁ ହେଇଛି ଜର।।
କେତେ ଯୋଗୀଋଷି ସହିତ ବିଦେଶୀ,
ଦର୍ଶନ କରିବେ ତାର।
ମାନବ ଜନମ ସଫଳ କରିବେ,
ଫିଟିବ ମୁକତି ଦ୍ବାର ଲୋ ସଙ୍ଗାତ,
ଜଗାକୁ ହେଇଛି ଜର।।
ମଣିଷଙ୍କ ସଙ୍ଗେ ମାନବୀୟ ଖେଳ,
କରେ ପ୍ରଭୁ ଚକ୍ରଧର।
କହେ ରମାଇଶ ତାର ପାଦେ ଆସ
ଭାବର ସିଏ ଠାକୁର ଲୋ ସଙ୍ଗାତ,
ଜଗାକୁ ହେଇଛି ଜର।।

Leave A Reply

Your email address will not be published.