Latest Odisha News

BREAKING NEWS

ଉତ୍ତରାଖଣ୍ଡରେ ଏପରି ରେକର୍ଡ ପୂର୍ବରୁ ହୋଇନଥିଲା !

ଡେରାଡୁନ: ଯଦି ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରାରମ୍ଭିକ ଟ୍ରେଣ୍ଡ ସତ ହୁଏ ତାହେଲେ ଯାହା ଉତ୍ତରାଖଣ୍ଡରେ ଘଟିନାହିଁ, ତାହା ଏଥର ଘଟିବ ବୋଲି ଜଣାପଡିଛି। ଇତିହାସରେ ପ୍ରଥମ ଥର ପାଇଁ କୌଣସି ଶାସକ ଦଳ ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାରେ ରହିବାକୁ ଯାଉଛି । ଉତ୍ତର ପ୍ରଦେଶରୁ ଅଲଗା ହୋଇ 2000 ମସିହାରେ ଉତ୍ତରାଖଣ୍ଡ ତିଆରି ହୋଇଥିଲା। ଏଠାରେ ବିଜେପି ପ୍ରଥମେ ସରକାର ଗଢିଥିଲା। 70ଟି ଆସନ ମଧ୍ୟରୁ 45ଟି ବିଧାନସଭା ଆସନରେ ବିଜେପି ଆଗୁଆ ରହିଛି। କଂଗ୍ରେସ ବର୍ତ୍ତମାନ ମାତ୍ର 21ଟି ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ଆସନରେ ଅନ୍ୟ ଦଳ ଆଗରେ ଅଛନ୍ତି। ସବୁଠୁ ବଡ କଥା ହେଲା ବିଧାନସଭା ନିର୍ବାଚନ ପୂର୍ବରୁ ଏଠାରେ ଶାସକ ଦଳ ବିଜେପି ଦୁଇ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଆସନରୁ ହଟାଇ ଧାମିଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ।

ଉତ୍ତରାଖଣ୍ଡରେ ଗତ ପାଞ୍ଚ ବର୍ଷ ମଧ୍ୟରେ ବିଜେପି ପ୍ରଥମେ ତ୍ରିଭେନ୍ଦ୍ର ସିଂ ରାୱତ ଏବଂ ପରେ ତିରଥ ସିଂ ରାୱତ ଏବଂ ପରେ ପୁଷ୍କର ସିଂ ଧାମିଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲା । ଏହା ପରେ କେବଳ ବିରୋଧୀ ଦଳ ନୁହେଁ ବିଜେପିରେ ଦଳ ଭିତରେ କନ୍ଦଳ ଅଧିକ ରହିଛି ବୋଲି କୁହାଯାଉଥିଲା। ତେଣୁ ମୁଖ୍ୟ ବିରୋଧୀ କଂଗ୍ରେସ ଏଥର ଏହାର ଫାଇଦା ନେଇ ସରକାର ଗଢିବ ବୋଲି ଆକଳନ ହୋଇଥିଲା । ଏମିତିକି ଏକଜିଟ ପୋଲରେ ଦୁଇ ଦଳ ମଧ୍ୟରେ କଡା ମୁକାବିଲା ହେବ ଝୁଲା ବିଧାନସଭା ହେବ ବୋଲି କୁହାଯାଉଥିଲା । କିନ୍ତୁ ସେଭଳି କୌଣସି ସଙ୍କେତ ଆଉ ନାହିଁ । ବିଜେପି କଂଗ୍ରେସକୁ ହରାଇ ସୁବିଧାରେ ସରକାର କରିବ ବୋଲି ଜଣାପଡିଛି । ସେହିପରି ପଞ୍ଜାବରେ ସରକାର ଗଢିବାକୁ ଯାଉଥିବା ଆମ୍ ଆଦମା ପାର୍ଟି ଏଠାରେ କୌଣସି ଖାତା ଖୋଲି ନାହିଁ ।

ତେବେ ନିର୍ବାଚନ ପୂର୍ବରୁ ସାଧାରଣ ନେତାଙ୍କ ପରି ବିଜେପି ନେତାମାନେ କନ୍ଦଳକୁ ଅସ୍ୱୀକାର କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ନିଜେ ମଧ୍ୟ ଦାବି କରିଥିଲେ ଯେ ମୁଖ୍ୟମନ୍ତ୍ରୀ ଚେହେରା ବଦଳାଇବା ନିର୍ବାଚନରେ ​କୌଣସି ପ୍ରଭାବ ପକାଇବ ନାହିଁ । ସେ ଦାବି କରିଥିଲେ ଯେ ବିଜେପି ଶାସନ କାଳରେ ଗତ 5ବର୍ଷ ମଧ୍ୟରେ ଏହିପରି ଅନେକ ବିକାଶମୂଳକ ଯୋଜନା ଚାଲିଛି, ଯେଉଁଥିରୁ ଲାଭବାନ ଜନସାଧାରଣ ତାଙ୍କ ଉପରେ ବିଶ୍ୱାସ ରଖିବେ। ଏବେ ଫଳାଫଳରୁ ଜଣାପଡିଛି ତିରଥଙ୍କ ଆକଳନ ସତ ହେବାକୁ ଯାଉଛି।

Comments are closed, but trackbacks and pingbacks are open.