Latest Odisha News

BREAKING NEWS

ଉତ୍ତରକାଶୀ ଟନେଲରେ ଫଶିଛନ୍ତି ୫ ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ତତ୍ପର ରାଜ୍ୟ ସରକାର

ଉତ୍ତରାଖଣ୍ଡ: ତୃତୀୟ ଦିନରେ ପହଞ୍ଚିଛି ଉତ୍ତରାଖଣ୍ଡର ଉତ୍ତରକାଶୀ ଯମୁନେତ୍ରୀରେ ଟନେଲ ଭୁଶୁଡିବା ଘଟଣା । ଟନେଲ ତଳେ ଫସି ରହିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି । ସେପଟେ ଉତ୍ତରକାଶୀର ଟନେଲ ଭିତରେ ୫ ଜଣ ଓଡ଼ିଆ ଶ୍ରମିକ ଫଶି ରହିଥିବା ସୂଚନା ମିଳିଛି । ଅନ୍ୟପଟେ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଆଗକୁ ଆସିଛନ୍ତି ରାଜ୍ୟ ସରକାର ।

NDRF, SDRF, ITBP ଯବାନଙ୍କ ଦ୍ୱାରା ଅପରେସନ ଜାରି ରହିଥିବା ବେଳେ ଶ୍ରମିକଙ୍କ ପାଖରେ ପହଞ୍ଚିବା ପାଇଁ ଆଉ ଗୋଟିଏ ଦିନର ସମୟ ଲାଗିପାରେ । ଆଜି ସନ୍ଧ୍ୟା ନଚେଚ୍ ଆସନ୍ତା କାଲି ସକାଳ ସୁଦ୍ଧା ସମସ୍ତଙ୍କୁ ସୁରକ୍ଷିତ ରେସକ୍ୟୁ କରାଯିବ ବୋଲି କହିଛନ୍ତି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ । ସେପଟେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଓଡିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଅନୁରୋଧ କରିଛନ୍ତି । ଏଥିସହ ଫସି ରହିଥିବା ପ୍ରବାସୀ ଓଡିଶା ଶ୍ରମିକ ମାନଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣ ଓ ଉତ୍ତରାଖଣ୍ଡ ରାଜ୍ୟ ପ୍ରଶାସନ ସହ ନିରନ୍ତର ସମନ୍ୱୟ ରଖାଯାଇଛି ।

ଫଶି ରହିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ଏସଡିଆରଏଫ, ଏନଡିଆରଏଫ, ଉତ୍ତରାଖଣ୍ଡ ପୋଲିସ ଓ ଇଣ୍ଡୋ-ତିବତ ବର୍ଡର ପୋଲିସ (ଆଇଟିବିପି) ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରହିଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଧାମି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟ ତଦାରଖ କରିଥିଲେ । ଜେସିବି, ପୋକଲିନ ଓ ମେଶିନ ଦ୍ୱାରା ସୁଡ଼ଙ୍ଗ ଖୋଳାଯାଇ ଶ୍ରମିକଙ୍କ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଗତ ରବିବାର ପ୍ରାୟ ଭୋର ୪ଟା ବେଳେ ଏହି ଅଘଟଣ ଘଟିଥିଲା । ଟନେଲର ପ୍ରବେଶ ପଥରୁ ସିଲକ୍ୟାରା ଆଡକୁ ୨୦୦ ମିଟର ଦୂରରେ ଏକ ଭୂସ୍ଖଳନ ଘଟିଥିଲା । ଫଳରେ ୪୦ ଶ୍ରମିକ ଟନେଲ ଭିତରେ ଫସିରହିଥିଲେ । ସେମାନଙ୍କ ଭିତରୁ ବିହାରର ୪ ଜଣ, ଉତ୍ତରାଖଣ୍ଡର ୨ ଜଣ, ୟୁପିର ୮ଜଣ, ଓଡ଼ିଶାର ୫ଜଣ, ଝାଡଖଣ୍ଡର ୧୫ ଜଣ, ଆସାମର ୨ ଜଣ, ହିମାଚଳପ୍ରଦେଶର ଜଣେ ଶ୍ରମିକ ଫସି ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.