Latest Odisha News

ୟୁପି ହାଥରସ ଗଣଦୁଷ୍କର୍ମ ମାମଲା: ତଦନ୍ତ କରିବ SIT

ଲକ୍ଷ୍ନୌ: ୟୁପି ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ ହୋଇଛି। ଗୃହ ସଚିବଙ୍କ ନେତୃତ୍ୱରେ ୩ ଜଣିଆ ଏସଆଇଟି ଟିମ୍ ଗଠନ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ୭ଦିନ ଭିତରେ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁରା ମାମଲାକୁ ଫାଷ୍ଟଟ୍ରାକ୍ କୋର୍ଟକୁ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । କମିଟି ଯଥାଶୀଘ୍ର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ହାଥରସ ମାମଲାକୁ ଗୁରୁତର ସହ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଫୋନରେ କଥା ହୋଇଛନ୍ତି । ମାମଲାକୁ ଗମ୍ଭୀରତାର ସହ ନେବା ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୋଦୀ କହିଥିବା ସୂଚନା ମିଳିଛି । ୟୁପି ହାଥରସ ଗଣଦୁଷ୍କର୍ମ ମାମଲାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେପଟେ ପରିବାର ଲୋକଙ୍କୁ କିଛି ନଜଣାଇ ରାତି ଅଧିଆ ଦୁଷ୍କର୍ମ ପୀଡିତାର ଶବଦାହା କରିଥିବା ପୋଲିସର ଭୂମିକା ମଧ୍ୟ ପ୍ରଶ୍ନ ଘେରରେ ରହିଛି ।

ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୧୪ରେ ହାଥରସ ଗାଁର ଚାରି ଜଣ ଯୁବକ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଏହି ଚାରି ଅଭିଯୁକ୍ତ ମଧ୍ୟ ପୀଡିତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ପୀଡିତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା ଏବଂ ସେ ଠିକ୍ ଭାବରେ ନିଶ୍ୱାସ ନେଇପାରିନଥିଲେ। ଚିକିତ୍ସା ସମୟରେ ପୀଡିତାଙ୍କ ମଙ୍ଗଳବାର ଦିନ ଦିଲ୍ଲୀରେ ମୃତ୍ୟୁ ଘଟିଛି। ବିଳମ୍ୱିତ ରାତିରେ ପୁଲିସ ଅନ୍ତିମ ସଂସ୍କାର କରିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

Comments are closed.