Latest Odisha News

କରୋନା ଟେଷ୍ଟ୍ ଲାଗି ପ୍ରସ୍ତୁତ ହେଲା ଡିଆରଡ଼ିଓ ଭ୍ରାମ୍ୟମାଣ ପରୀକ୍ଷାଗାର

ହାଇଦ୍ରାବାଦ: ହାଇଦ୍ରାବାଦସ୍ଥିତ ESIC ହସ୍ପିଟାଲ, ଘରୋଇ ଶିଳ୍ପାନୁଷ୍ଠାନ ଓ ଡିଆରଡିଓର ମିଳିତ ଉଦ୍ୟମରେ ବିକଶିତ ଭ୍ରାମ୍ୟମାଣ ଭୂତାଣୁ ଗବେଷଣା ଓ ରୋଗ ନିରୂପଣ ପରୀକ୍ଷାଗାର (ଏମଭିଆରଡିଏଲ)କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଡିଓ କନଫରେନ୍ସ ଜରିଆରେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ସିଂ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ କରୋନା ସଂକ୍ରମଣ ଆମ ଦେଶରେ ଅନ୍ୟ ଦେଶ ତୁଳନାରେ କମ ରହିଛି ।

ପରିବେଶ ଦୃଷ୍ଟିରୁ ସୁରକ୍ଷିତ ଲେବଲ- ୨ ଓ ୩ ସ୍ତରୀୟ ୬ ମାସର ପରୀକ୍ଷାଗାର ପ୍ରକଳ୍ପକୁ ମାତ୍ର ୧୫ ଦିନ ମଧ୍ୟରେ କରିପାରିଥିବାରୁ ଶ୍ରୀ ସିଂ ଏହାର ପ୍ରଶଂସା କରିଥିଲେ । ଦିନକୁ ୧୦୦୦ରୁ ଅଧିକ ପରୀକ୍ଷା କରିପାରୁଥିବା ଏହି ପରୀକ୍ଷାଗାର ଦେଶର କୋଭିଡ-୧୯ ମୁକାବିଲାରେ ବେଶ ସହାୟକ ହେବ ।

ସଙ୍ଗରୋଧ କେନ୍ଦ୍ର ନିର୍ମାଣ, ସ୍ଵାସ୍ଥ୍ୟସେବା ଯୋଗାଣ, ଅନ୍ୟ ଦେଶରୁ ଭାରତୀୟମାନଙ୍କୁ ସ୍ଥାନାନ୍ତରଣ ଇତ୍ୟାଦି ବହୁବିଧ କାର‌୍ୟ୍ୟ ଆମ ସଶସ୍ତ୍ର ସେନା ସମ୍ପାଦନ କରିଛନ୍ତି । କୋଭିଡ-୧୯ ବିରୁଦ୍ଧରେ ସଶସ୍ତ୍ର ସେନାର ଏହି ସଂଗ୍ରାମ ଜାରି ରହିବ ବୋଲି ଶ୍ରୀ ସିଂ କହିଛନ୍ତି । କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ  ଜି. କିଶନ ରେଡ୍ଡୀ, ଶ୍ରମ ଓ ନିୟୋଜନ ମନ୍ତ୍ରୀ ଶ୍ରୀ ସନ୍ତୋଷ ଗଙ୍ଗୱାର, ତେଲଙ୍ଗାନା ସରକାରଙ୍କ ପ୍ରଯୁକ୍ତି ଶିଳ୍ପ, ପୌର ପ୍ରଶାସନ ଓ ନଗର ବିକାଶ ମନ୍ତ୍ରୀ  କେ.ଟି. ରାମାରାଓ, ତେଲଙ୍ଗାନା ଶ୍ରମ ମନ୍ତ୍ରୀ ଚୌଧୁରୀ ମଲା ରେଡ୍ଡୀ, ଡିଆରଡିଓ ଅଧ୍ୟକ୍ଷ  ଜି. ସତିଶ ରେଡ୍ଡୀ ଏହି ଉତ୍ସବରେ ଉପସ୍ଥିତ ଥିଲେ ।

ହାଇଦ୍ରାବାଦର ଇମାରତ ଗବେଷଣା କେନ୍ଦ୍ର, ଡିଆରଡିଓ ଓ ଋଝଓଉ ହସ୍ପିଟାଲର ମିଳିତ ସହଯୋଗରେ ଦେଶର ପ୍ରଥମ ଭ୍ରାମ୍ୟମାଣ ପରୀକ୍ଷାଗାର ରୂପେ ଏହା ବିକଶିତ ହୋଇଛି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଓ ଆଇସିଏମଆର ଦ୍ଵାରା ପ୍ରଣିତ ପରିବେଶ ସୁରକ୍ଷା ନିୟମାବଳୀ ସହ ଏହା ଆନ୍ତର୍ଜାତିକ ମାନର ପ୍ରକଳ୍ପ ରୂପେ ବିକଶିତ ହୋଇଛି । ଏହି ଭ୍ରାମ୍ୟମାଣ ପରୀକ୍ଷାଗାର କୋଭିଡ-୧୯ ସଂକ୍ରମଣ ନିରୂପଣ ସହ ଭୂତାଣୁ କଲଚର, ପ୍ଲାଜମା ଥେରାପି, ବିସ୍ତୃତ ରୋଗ ପ୍ରତିରୋଧକ ଶକ୍ତି ପରୀକ୍ଷଣ ଇତ୍ୟାଦି କରିପାରିବ, ଯାହାକି ଭାରତବର୍ଷରେ ପ୍ରତିଷେଧକ ଟୀକା ପ୍ରସ୍ତୁତର ମୂଳଦୁଆ ପକାଇପାରିବ । ଦିନକୁ ଏହି ପରୀକ୍ଷାଗାର ୧୦୦୦ ରୁ ୨୦୦୦ ପର‌୍ୟ୍ୟନ୍ତ ନମୁନା ପରୀକ୍ଷା କରିପାରୁଥିବା ବେଳେ ଆବଶ୍ୟକ ଆନୁଯାୟୀ ଏହାକୁ ଦେଶର ଯେକୌଣସି ସ୍ଥାନରେ ସ୍ଥାପନ କରାଯାଇପାରିବ ।

Leave A Reply

Your email address will not be published.