Latest Odisha News

BREAKING NEWS

ସୁଆଣ୍ଡୋରେ ୫-ଟି ସଚିବ ଭି କେ ପାଣ୍ଡିଆନ; ଐତିହ୍ୟ ସମ୍ପନ୍ନ ଗ୍ରାମର ବିକାଶ ଲାଗି ସରକାରଙ୍କ ଯୋଜନା

ଭୁବନେଶ୍ୱର: ନିକଟରେ ପୁରୀ ଓ କୋଣାର୍କ ପରି ଆଧ୍ୟାତ୍ମିକ ଓ ଐତିହ୍ୟ ସମ୍ପନ୍ନ ପର୍ଯ୍ୟଟନସ୍ଥଳୀ ପ୍ରତି ଗୁରୁତ୍ୱ ଦିଆଯାଇଥିବା ବେଳେ ଏବେ ରାଜ୍ୟ ସରକାର ସାଂସ୍କୃତିକ ପ୍ରାଚୁର୍ଯ୍ୟ ତଥା ଐତିହ୍ୟ ସମ୍ପନ୍ନ ଗ୍ରାମଗୁଡ଼ିକ ବିକାଶ ଲାଗି ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ରବିବାର ଦିନ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହେବାପରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ତଥା ୫-ଟି ସଚିବ ଭି କେ ପାଣ୍ଡିଆନ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପୁରୀ ଜିଲ୍ଲାରେ ଥିବା ଜନ୍ମସ୍ଥଳୀ ସୁଆଣ୍ଡୋ ଗ୍ରାମର ପରିଦର୍ଶନ କରିଛନ୍ତି । ଏହି ଐତିହ୍ୟ ସମ୍ପନ୍ନ ଗ୍ରାମଟିର ସର୍ବାଙ୍ଗୀନ ବିକାଶ ଲାଗି ଶ୍ରୀ ପାଣ୍ଡିଆନ ଆବଶ୍ୟକୀୟ ଭିତ୍ତିଭୂମି ତର୍ଜମା କରିବା ସହିତ ବିଭିନ୍ନ ପ୍ରସଙ୍ଗରେ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ।

ଗୋପବନ୍ଧୁ (୧୮୭୭-୧୯୨୮) ଏକାଧାରରେ ଜଣେ ସମାଜସେବୀ, ଲେଖକ, ରାଜନୈତିକ ନେତା ତଥା ସାମ୍ବାଦିକ ଥିଲେ । ତାଙ୍କର ଉଲ୍ଲେଖନୀୟ ସମାଜସେବା ଲାଗି ସେ ଆଜି ପର୍ଯ୍ୟନ୍ତ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଉଜ୍ଜିବୀତ ହୋଇ ରହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୫-ଟି ସଚିବ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀର ବିକାଶ ଲାଗି ପ୍ରାଥମିକସ୍ତରରେ ପରିଦର୍ଶନ କରିବା ପରେ ସେହିସବୁ ସ୍ଥାନଗୁଡ଼ିକର ବିକାଶ ଲାଗି ଯୋଜନା ପ୍ରସ୍ତୁତ ହୋଇସାରିଛି । ଅନେକ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଯୋଜନା ଗୁଡ଼ିକ ମଧ୍ୟ କାର୍ଯ୍ୟକାରୀ ହେବାରେ ଲାଗିଛି । ନିକଟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ଶ୍ରୀକ୍ଷେତ୍ରସ୍ଥ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ବିକାଶ ଲାଗି ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିସାରିଛନ୍ତି ।

ସେହିପରି ଭୁବନେଶ୍ୱର ଏକାମ୍ର କ୍ଷେତ୍ରସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିସହିତ ଅର୍କକ୍ଷେତ୍ର କୋଣାର୍କର ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ଏବଂ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଶ୍ରୀବଳଦେବଜୀଉ ମନ୍ଦିରର ବିକାଶ ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର ।

ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟ ସରକାରଙ୍କ ଏହି ୫-ଟି ଅନ୍ତର୍ଗତ ବିଭିନ୍ନ ଯୋଜନା ଗୁଡ଼ିକୁ ଐତିହ୍ୟ ସମ୍ପନ୍ନ ଗ୍ରାମଗୁଡ଼ିକର ବିକାଶ ଓ ଉନ୍ନତି ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ । ଏହି କ୍ରମରେ ଯେଉଁ ଗ୍ରାମଗୁଡ଼ିକରେ ଐତିହ୍ୟ ସମ୍ପନ୍ନ ବ୍ୟକ୍ତି ବିଶେଷ, ରାଜନେତା ତଥା ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମସ୍ଥାନ ରହିଛି ସେହି ଗ୍ରାମଗୁଡ଼ିକର ଉନ୍ନତିକୁ ପ୍ରାଥମିକତା ଦିଆଯିବ । ଏହାଫଳରେ ସେହି ଗ୍ରାମଗୁଡ଼ିକର ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ୱ ବୃଦ୍ଧି ଘଟିବା ସହିତ ପଡ଼ୋଶୀ ଓଡ଼ିଆ ସ୍ୱାଭୀମାନର ପ୍ରସାର ହୋଇପାରିବ ।

ଓଡ଼ିଶାର ଐତିହ୍ୟ ସମ୍ପନ୍ନ ପ୍ରସିଦ୍ଧ ରାଜନେତାମାନଙ୍କୁ ଶାସକ ବିଜେଡ଼ି ସରକାର ଗୁରୁତ୍ୱ ପ୍ରଦାନ କରିଥାଏ, ଆଜି ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ରୂପେ ବିଜୁ ଜନତା ଦଳ ସମଗ୍ର ଭାରତରେ ପରିଚିତ ହୋଇପାରିଛି । ପୂର୍ବରୁ ବିଜେଡ଼ି ସରକାର ପକ୍ଷରୁ ଗୋପବନ୍ଧୁ ଗ୍ରାମୀଣ ଯୋଜନା, ମଧୁସୂଦନ ବାର୍ଦ୍ଧକ୍ୟ ପେନସନ ଯୋଜନା ପରି ଯୋଜନା ହେବା ସହିତ ରାଜ୍ୟର ପ୍ରସିଦ୍ଧ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଛି ।

Leave A Reply

Your email address will not be published.