ଭୁବନେଶ୍ୱର: ଓଡ଼ିଶାରେ ପଡ଼ିଛି ଟ୍ରେଡ ୟୁନିୟନ ଦେଇଥିବା ଭାରତ ବନ୍ଦ ପ୍ରଭାବ । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିଲା ଧର୍ମଘଟ । ରାସ୍ତାକୁ ଓହ୍ଲାଇଥିଲେ ବିକ୍ଷୋଭକାରୀ । ପିକେଟିଂ କରି ରାସ୍ତା ଅବରୋଧ କରିଥିଲେ । କେଉଁଠି ଟାୟାର ଜାଳି ରାସ୍ତାରୋକ କରିଥିଲେ । ଚକ ବନ୍ଦ, ଅଖ ବନ୍ଦ କରିଥିଲେ । ବିଭିନ୍ନ ସ୍ଥାନରେ ଅଟକି ରହିଥିଲା ଗାଡ଼ି ମୋଟର ।
ରାଜଧାନୀ ଭୁବନେଶ୍ୱର ଓ କଟକରେ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଟ୍ରେଡ ୟୁନିଅନ୍ ପକ୍ଷରୁ ରାସ୍ତାରୋକ କରାଯାଇଥିଲା । ଆନ୍ଦୋଳନକାରୀ ଅଟକାଇଥିଲେ ଟ୍ରେନ୍ । ରାସ୍ତାରୋକ କରିଥିଲେ । କେନ୍ଦ୍ର ବିରୋଧୀ ସ୍ଲୋଗାନ ଦେବା ସହ ବନ୍ଦ ପାଳନରେ ସାଧାରଣ ଲୋକଙ୍କୁ ସାମିଲ ହେବାକୁ ଅପିଲ କରିଥିଲେ ବିକ୍ଷୋଭକାରୀ ।
ସେହିପରି ବ୍ରହ୍ମପୁରରେ ବି ଦେଖିବାକୁ ମିଳିଥିଲା ଟ୍ରେଡ ୟୁନିଅନ ଦେଇଥିବା ବନ୍ଦ ଆହ୍ୱାନର ପ୍ରଭାବ । ରେଳ ଷ୍ଟେସନ ଆଗରେ ବିକ୍ଷୋଭ କରାଯାଇଥିଲା । ସେପଟେ ରାଉରକେଲାର ବିର୍ସାମୁଣ୍ଡା ଛକ ସମେତ ବିଭିନ୍ନ ସ୍ଥାନରେ ପିକେଟିଂ କରି ଧର୍ମଘଟ କରିଛନ୍ତି ଆନ୍ଦୋଳନକାରୀ । ବାଲେଶ୍ୱରରେ ଟ୍ରେନ, ଟ୍ରକ ବସ ଚଳାଚଳ ସମେତ ଦୋକାନ ବଜାର ବନ୍ଦ ରହିଛି । ରାୟଗଡ଼ା ଗୁଣପୁରରେ ଟାୟାର ଜାଳି ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ବନ୍ଦ ପ୍ରଭାବ । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବଣାଇ, କୋଇଡ଼ା, ରାଜାମୁଣ୍ଡା, ଖୁଟୁଗାଁରେ ରାସ୍ତାରୋକ କରାଯାଇଛି ।
୧୦ଟି ଟ୍ରେଡ ୟୁନିୟନ ପକ୍ଷରୁ ଦେଶବ୍ୟାପୀ ଦିନିକିଆ ଚକ ଅଖ ବନ୍ଦ ଡ଼ାକରା ଦିଆଯାଇଛି । ବନ୍ଦ ଡ଼ାକରାରୁ ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦିଆଯାଇଛି । ଏହି ଆନ୍ଦୋଳନକୁ ବାମ ଦଳ ସମେତ କଂଗ୍ରେସର ସମର୍ଥନ ଜଣାଇଛନ୍ତି ।
Comments are closed.