Latest Odisha News

BREAKING NEWS

ବଡ଼ଚଣାରେ ବିଜେଡିକୁ ଘାରିଛି ବର୍ଷାଙ୍କ ବିଜୟ ଚିନ୍ତା, କାହିଁକି ଜାଣନ୍ତୁ?

ଭୁବନେଶ୍ୱର: ଯାଜପୁର ଜିଲ୍ଲା ବଡ଼ଚଣା ବିଧାନସଭା ଆସନ ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରି ବିଜୁ ଜନତା ଦଳ ଏବେ ଅଡୁଆରେ ପଡିଥିବା କୁହାଯାଉଛି। ସାଧାରଣତଃ ଓଡ଼ିଶାରେ ବିଜେଡି ଟିକେଟ ପାଇଲେ ବିଜୟୀ ହେବାର ସମ୍ଭାବନା ଅଧିକ ଥାଏ। କିନ୍ତୁ ବଡଚଣାରେ ବିଜେଡି ପାଇଁ ଏହା ଏତେ ସହଜ ନୁହେଁ ବୋଲି ଜଣାପଡିଛି। କାରଣ ଦଳ ଯେଉଁ ବିଧାୟକଙ୍କ ଟିକେଟ୍ କାଟିଛି ସେ ଏହି ଆସନରୁ ଛଅ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଏବଂ ତାଙ୍କର ନିଜସ୍ବ ପକେଟ ଭୋଟ୍ ରହିଛି। ଏପରି ସ୍ଥିତିରେ ବର୍ଷା ବଡଚଣାବାସୀ ହୋଇନଥିବାରୁ ଦଳର ଟେନସନ ବଢ଼ି ଯାଇଛି। ଅନ୍ୟପଟେ ଏବେର ବିଧାୟକ ଅମର ଶତପଥୀ ଟିକେଟ୍ ନପାଇ ଅସନ୍ତୋଷ ରହିଛନ୍ତି। ତେଣୁ ଆଜି ଦଳୀୟ ବିବାଦର ସମାଧାନ ପାଇଁ ଶଙ୍ଖ ଭବନରେ ବୈଠକ ବସିଥିଲା।

ନିକଟରେ ବିଜେଡିରେ ଯୋଗ ଦେଇଥିବା କଂଗ୍ରେସ ନେତା ରାଜ ନାରାୟଣ ମହାପାତ୍ର ବର୍ଷାଙ୍କୁ ସମର୍ଥନ ଜଣାଇବା ସହ ନିର୍ବାଚନରେ ତାଙ୍କ ସଫଳତା ପାଇଁ ଦଳର ଏକତା ଓ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ପୂର୍ବରୁ ଏହି ଆସନରୁ ନିର୍ବାଚନ ଲଢ଼ି ବିଜେଡିରେ ସକ୍ରିୟ ଥିବା ଜନ୍ମେଜୟ ଲେଙ୍କା ମଧ୍ୟ ଏହି ବୈଠକରେ ଯୋଗ ଦେଇ ଦଳୀୟ ସଂହତିର ସଙ୍କେତ ଦେଇଛନ୍ତି।

ଅନ୍ୟ ଦଳରୁ ଅଫର ମିଳିବା ସତ୍ତ୍ୱେ ଦଳର ନିଷ୍ପତ୍ତିକୁ ସମ୍ମାନ ଦେବାକୁ ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ତାଙ୍କ ସମର୍ଥକମାନଙ୍କୁ ଅନୁରୋଧ କରିଛନ୍ତି। ବିଜେଡି ପ୍ରତି ତାଙ୍କର ଆନୁଗତ୍ୟ ଓ ୨୦୨୪ ନିର୍ବାଚନ ଲଢ଼ି ନଯାଇ ବଡ଼ଚଣାବାସୀଙ୍କ ସେବା କରିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି।

ଯଦିଓ ବର୍ଷାଙ୍କ ଅପ୍ରତ୍ୟାଶିତ ନାମାଙ୍କନକୁ ପ୍ରଥମେ ଅମର ଶତପଥୀଙ୍କ ସମର୍ଥକମାନେ ବିରୋଧ କରିଥିଲେ, କିନ୍ତୁ ଉଭୟଙ୍କ ମଧ୍ୟରେ ସାକ୍ଷାତ ଓ ଏକାଠି ଛିଡା ହୋଇଥିବାର ଫଟୋ ସାମ୍ନାକୁ ଆସିବା ପରେ ଅମରଙ୍କ ଶିବିର କୁଆଡେ ଥଣ୍ଡା ପଡିଛି ବୋଲି କୁହାଯାଉଛି।

ହେଲେ ଏହାକୁ ଦଳ ବିଶ୍ବାସକୁ ନେଉନଥିବା କୁହାଯାଉଛି। କାରଣ ଉପରେ କହିଲେ ମଧ୍ୟ ଭିତରେ କୁଆଡେ ଅମରଙ୍କ ସମର୍ଥକ ଏହାକୁ ନେଇ ରାଗି ପାଚି ନାଲି ହୋଇଛନ୍ତି।

୨୦୧୯ ନିର୍ବାଚନରେ ଅମର ଶତପଥୀଙ୍କ ସ୍ୱଳ୍ପ ବିଜୟ ବ୍ୟବଧାନ ନୂଆ ପ୍ରାର୍ଥୀ ଖୋଜିବାକୁ ବାଧ୍ୟ କରିଥିଲା ବୋଲି ବିଜେଡିର ଆଭ୍ୟନ୍ତରୀଣ ସୂତ୍ରରୁ ଜଣାପଡ଼ିଛି। ବର୍ଷାଙ୍କ ନାମାଙ୍କନ ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଁ ଦଳର ଲକ୍ଷ୍ୟ ସହ ସମାନ।

ତେବେ ବର୍ଷା ବିଜେପି ପ୍ରାର୍ଥୀ ଅମର କୁମାର ନାୟକଙ୍କ ବିରୋଧରେ ଏକ ଚ୍ୟାଲେଞ୍ଜ୍ ପ୍ରଚାରର ସମ୍ମୁଖୀନ ହୋଇଛନ୍ତି, ଯିଏକି ବଡ଼ଚଣାରେ ଏକ ଶକ୍ତିଶାଳୀ ଭୋଟର ଭିତ୍ତିଭୂମି ରଖିଛନ୍ତି ଏବଂ ଗତ ନିର୍ବାଚନରେ ଭୋଟ୍ ବ୍ୟବଧାନ କମ୍ ଥିଲା।

Leave A Reply

Your email address will not be published.