Latest Odisha News

ପୂଜା କୋଠରୀ ପାଇଁ ବାସ୍ତୁ

ଭୁବନେଶ୍ବର:  ପୂଜା କୋଠରୀ ଘରେ ସକାରାତ୍ମକ ଏବଂ ଶାନ୍ତି ପ୍ରଦାୟକ ଶକ୍ତିର କେନ୍ଦ୍ରବିନ୍ଦୁ ହୋଇଥାଏ । ଆପଣଙ୍କ ଘରେ ଦେବାଦେବୀଙ୍କ ଉପସ୍ଥିତି କାରଣରୁ ଏହା ଦୈବୀ ଶକ୍ତି ବିଚ୍ଛୁରଣ କରିଥାଏ । ଆପଣଙ୍କ ଘର ଯେତେ ବଡ଼ କିମ୍ବା ଛୋଟ ହୋଇଥାଉ ନା କାହିଁକି, ଦେବାଦେବୀଙ୍କ ପାଇଁ ଗୋଟିଏ ପୃଥକ୍ ଜାଗା ଅର୍ଥାତ୍ ପୂଜା କୋଠରୀ ରଖିବା ଆପଣଙ୍କ ଘର ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ତା’ସହିତ ସଠିକ୍ ବାସ୍ତୁ ଆପଣଙ୍କ ଘରକୁ ଶାନ୍ତ, ସକାରାତ୍ମକ ଶକ୍ତିକୁ ଆଣିବା ଓ ଆପଣଙ୍କ ଘରେ କେଉଁ ପ୍ରକାର ଶକ୍ତି ପ୍ରବାହିତ ହେବ ତାହା ନିର୍ଦ୍ଧାରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ ।

ପୂଜା କୋଠରୀ କେବଳ ଯେ ଆପଣଙ୍କ ଘରେ ସକାରାତ୍ମକ ଶକ୍ତିକୁ ଆଣେ ତାହା ନୁହେଁ, ବରଂ ଆପଣଙ୍କୁ ଦୈବୀ ଶକ୍ତିଗୁଡ଼ିକ ସହ ଏକାକାର କରିବାରେ ମଧ୍ୟ ସହାୟକ ହୋଇଥାଏ । ନକାରାତ୍ମକ ଶକ୍ତିକୁ ଦୂର କରିବା ଏବଂ ଘରକୁ ସୁଖ ଓ ଶାନ୍ତିରେ ପରିପୂର୍ଣ୍ଣ କରିବା ପାଇଁ ସଠିକ୍ ବାସ୍ତୁର ପ୍ରୟୋଗ କରାଯିବା ଉଚିତ୍ ।

ଉତ୍ତର ପୂର୍ବ ଦିଗକୁ ପୂଜା କୋଠରୀ ପାଇଁ ସର୍ବୋତ୍ତମ ଦିଗ ବିବେଚନା କରାଯାଏ କାରଣ ତାହାକୁ ପ୍ରଭୁ ଶିବଙ୍କ କ୍ଷେତ୍ର ଭାବେ ବିଚାର କରାଯାଏ, ତେଣୁ ତାହା ସବୁଠାରୁ ଶୁଭ ହୋଇଥାଏ । ତା’ପରେ ଆସିଥାଏ ପୂର୍ବ କିମ୍ବା ଉତ୍ତର ଦିଗ । ଦକ୍ଷିଣ ଦିଗ ଅଭିମୁଖୀ ପୂଜା କୋଠରୀକୁ ବାସ୍ତୁ ଅନୁସାରେ ଅଶୁଭ ମନେ କରାଯାଏ । ସିଡି ତଳେ କିମ୍ବା ୱାଶ୍‌‌ରୁମ୍ ନିକଟରେ ପୂଜା କୋଠରୀ ରଖନ୍ତୁ ନାହିଁ । ଏହିସବୁ ଜାଗାକୁ ପୂଜା କୋଠରୀ ପାଇଁ ଅଶୁଭ ବିବେଚନା କରାଯାଏ ।

ପୂଜା କୋଠରୀଟି ଯେପରି ତଳ ମହଲା କିମ୍ବା ସର୍ବୋଚ୍ଚ ମହଲାରେ ନରହେ ତାହା ସୁନିଶ୍ଚିତ କରନ୍ତୁ । ବାସ୍ତୁ ଅନୁସାରେ ଏପରି ଜାଗାଗୁଡ଼ିକ ପୂଜା କୋଠରୀ ପାଇଁ ଉପଯୁକ୍ତ ନୁହେଁ । ପୂଜା କୋଠରୀର କବାଟ ଓ ଝରକାଗୁଡ଼ିକ ଉତ୍ତର କିମ୍ବା ପୂର୍ବ ଆଡ଼କୁ ଖୋଲୁଥିବା ଉଚିତ୍ । ବାସ୍ତୁ ଅନୁଯାୟୀ ଏହା ସକାରାତ୍ମକ ସ୍ପନ୍ଦନ ଆଣିଥାଏ । ପୂର୍ବମୁହାଁ ଘରଗୁଡ଼ିକ ପାଇଁ ପୂଜା କୋଠରୀ ଉତ୍ତର କିମ୍ବା ପୂର୍ବ କୋଣରେ ଅବସ୍ଥିତ ହେବା ଉଚିତ୍ । ବାସ୍ତୁ ଅନୁସାରେ ପୂଜା କୋଠରୀରେ ଥିବା ଠାକୁର ପ୍ରତିମାଗୁଡ଼ିକ ପରସ୍ପର ଆଡ଼କୁ ମୁହଁ କରି ନ ରହିବା ଉଚିତ୍ ଏବଂ ତାହା କାନ୍ଥର ନିକଟବର୍ତ୍ତୀ ନ ହେବା ଉଚିତ୍ ।ପ୍ରତିମାଗୁଡ଼ିକୁ ଉତ୍ତରପୂର୍ବ ଦିଗରେ ରଖାଯିବା ଉଚିତ୍ । ଦୀପର ଅବସ୍ଥିତି ଦକ୍ଷିଣ ପୂର୍ବ ଦିଗରେ ହେବା ଉଚିତ୍ ।

କେବଳ ପବିତ୍ର ବସ୍ତୁ ଏବଂ ଅନ୍ୟାନ୍ୟ ପୂଜା କୋଠରୀ ବସ୍ତୁଗୁଡ଼ିକୁ ଛାଡ଼ି ପୂଜା କୋଠରୀକୁ ଅନ୍ୟ କୌଣସି ବସ୍ତୁ ରଖିବା ପାଇଁ ବ୍ୟବହାର କରାଯିବା ଉଚିତ୍ ନୁହେଁ । କୋଠରୀରେ ଅଳିଆ ଆବର୍ଜନା ନ ରହିବା ଉଚିତ୍ । ପ୍ରତିମାରୁ ଉଚ୍ଚ ସ୍ଥାନରେ କୌଣସି ସାମଗ୍ରୀ ରଖାଯିବା ଉଚିତ ନୁହେଁ । ଦୀପ ଏବଂ ଅଗ୍ନିକୁଣ୍ଡକୁ ଦକ୍ଷିଣପୂର୍ବ ଦିଗରେ ରଖାଯିବା ଉଚିତ୍ ।

ହାଲୁକା ରଙ୍ଗଗୁଡ଼ିକ ପୂଜା କୋଠରୀ ପାଇଁ ସର୍ବୋତ୍ତମ କାରଣ ତାହା ସକାରାତ୍ମକ ସ୍ପନ୍ଦନ ଆଣିଥାଏ ଏବଂ ପୂଜାପାଠ ଓ ପ୍ରାର୍ଥନା ପାଇଁ ଆଦର୍ଶ ହୋଇଥାଏ । ପୂଜା କୋଠରୀ ପାଇଁ କ୍ରିମ୍ ରଙ୍ଗ ଆଦର୍ଶ ଅଟେ । ହାଲୁକା ନୀଳ, ଧଳା ଏବଂ ହାଲୁକା ହଳଦିଆ ଏକ ଶାନ୍ତ ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ । ଉତ୍ତରପୂର୍ବ ଦିଗରେ ଥିବା ପୂଜା କୋଠରୀ ପାଇଁ, ଧଳା ସବୁଠାରୁ ଆଦର୍ଶ ରଙ୍ଗ ଅଟେ ।

ପୂଜା କୋଠରୀ ପାଇଁ ବାସ୍ତୁ ଅନୁଯାୟୀ, ଦିନବେଳା କୋଠରୀକୁ ଆଲୋକିତ ରଖିବା ପାଇଁ ପୂଜା କୋଠରୀରେ ଅତି କମ୍‌‌ରେ ଗୋଟିଏ ଝରକା ରହିବା ଉଚିତ୍ । ଏହା ସୂର୍ଯ୍ୟଙ୍କ ସକାରାତ୍ମକ ଶକ୍ତି ଓ ସ୍ପନ୍ଦନକୁ ମୁକ୍ତ ଭାବେ ପ୍ରବାହିତ ହେବାକୁ ଦେଇଥାଏ । ସୂର୍ଯ୍ୟାସ୍ତ ପରେ ମଧ୍ୟ କୋଠରୀର ଆଲୋକ ବ୍ୟବସ୍ଥାକୁ ସୁନିଶ୍ଚିତ କରନ୍ତୁ । ପୂଜା କୋଠରୀରେ ଗୋଟିଏ ବତୀ କିମ୍ବା ଦୀପ ଲଗାନ୍ତୁ ।

ପୂଜା କୋଠରୀ ଅତି ପବିତ୍ର ହୋଇଥାଏ ଏବଂ ବାସ୍ତୁ ସିଦ୍ଧାନ୍ତ ଅନୁସାରେ ତାହାକୁ ନିର୍ମିତ କରାଯିବା ଦ୍ୱାରା ଘରେ ଖୁସିର ବାସ ହୋଇଥାଏ । ଘରେ ସକାରାତ୍ମକ ଶକ୍ତିକୁ ବୃଦ୍ଧି କରିବା ଏବଂ ନକାରାତ୍ମକ ଶକ୍ତିଗୁଡ଼ିକୁ ନିଜ ଘରୁ ବିତାଡ଼ିତ କରିବା ପାଇଁ ଏହି ସମସ୍ତ ବାସ୍ତୁ ଉପଦେଶଗୁଡ଼ିକୁ ଅନୁସରଣ କରନ୍ତୁ । ନିଜ ଘରର ମୁଖ୍ୟ ଦରଜାକୁ ସଠିକ୍ ସ୍ଥାନରେ ଲଗାଇ ଆପଣଙ୍କ ଘର ମଧ୍ୟକୁ ପ୍ରବେଶ କରୁଥିବା ଶକ୍ତିଗୁଡ଼ିକୁ ନିୟନ୍ତ୍ରିତ କରନ୍ତୁ ଏବଂ ନିଜ ଘରକୁ ନକାରାତ୍ମକ ଶକ୍ତିରୁ ସୁରକ୍ଷିତ ରଖନ୍ତୁ ।

Comments are closed.