Latest Odisha News

BREAKING NEWS

ପ୍ରିୟଙ୍କାଙ୍କ ଆଟାକ, ଗେହଲୋଟଙ୍କ ଚାଲ, ରାଜସ୍ଥାନରେ କଂଗ୍ରେସ ଖେଳୁଛି ମାଇଣ୍ଡଗେମ !

ଭୁବନେଶ୍ୱର: ରାଜସ୍ଥାନ ରାଜନୀତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଉଭୟ ଶାସକ କଂଗ୍ରେସ ଓ ବିଜେପି ପାଇଁ ସବୁଠୁ ଅଧିକ ଚିନ୍ତା ବଢାଇଛି ରାଜସ୍ଥାନ। ଏଭଳି ସ୍ଥିତିରେ ବିଜେପିର ଦଳୀୟ କନ୍ଦଳ ଓ ବିଦ୍ରୋହର ଫାଇଦା ନେବାକୁ କଂଗ୍ରେସ ବଡ଼ ଯୋଜନା କରିଛି।

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ପ୍ରମୁଖ ଚେହେରା ବସୁନ୍ଧରା ରାଜେ ସିନ୍ଧିଆ ଓ ତାଙ୍କ ସମର୍ଥକମାନଙ୍କୁ କେନ୍ଦ୍ରୀୟ ବିଜେପି ଅଣଦେଖା କରୁଥିବା କୁହାଯାଉଛି। ଯାହାକୁ ନେଇ ରାଜସ୍ଥାନ ବିଜେପିରେ ଦଳୀୟ କନ୍ଦଳ ଚରମ ସୀମାରେ ପହଞ୍ଚିଛି। ରାସ୍ତା ଘାଟରେ ଖୋଦ ଦଳୀୟ ନେତା ଓ କର୍ମୀ ନିଜ ଦଳର ନେତାଙ୍କୁ ବିରୋଧ କରୁଛନ୍ତି।

ଏଭଳି ସ୍ଥିତିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଅଶୋକ ଗେହଲଟଙ୍କ ବୟାନ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ତାଙ୍କ ପାଇଁ ବସୁନ୍ଧରାଙ୍କୁ ଦଣ୍ଡ ମିଳିବା ଉଚିତ ନୁହେଁ ବୋଲି ଗେହଲଟ କହିଛନ୍ତି। ତାଙ୍କ ଯୋଗୁ ବସୁନ୍ଧରାଙ୍କ ପ୍ରତି ଯଦି ବିଜେପି ଏଭଳି କରୁଥାଏ ତାହେଲେ ତାଙ୍କ ପ୍ରତି ଅନ୍ୟାୟ ବୋଲି ସେ କହିଛନ୍ତି।

ବସୁନ୍ଧରାଙ୍କୁ ବିଜେପିର ଉପେକ୍ଷାକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଗେହଲଟ କହିଛନ୍ତି କି ଏହା ବିଜେପିର ଅନ୍ତରୀଣ ବ୍ୟାପାର କିନ୍ତୁ ତାଙ୍କ ପାଇଁ ବସୁନ୍ଧରାଙ୍କୁ ଦଣ୍ଡ ନ ମିଳୁ। ୧୯୯୦ ମସିହାର ଏକ ଉଦାହରଣ ଦେଇ ଗେହଲଟ କହିଛନ୍ତି କି ସେତେବେଳର ମୁଖ୍ୟମନ୍ତ୍ରୀ ଭୈରୋ ସିଂ ଶେଖାୱତ ଚିକିତ୍ସା ପାଇଁ ଆମେରିକା ଯାଇଥିବା ବେଳେ ସେହି ସମୟରେ ବିଜେପିର ଲୋକମାନେ ହିଁ ତାଙ୍କ ସରକାର ଭାଙ୍ଗିବାକୁ ଉଦ୍ୟମ କରିଥିଲେ କିନ୍ତୁ ପିସିସି ସଭାପତି ଭାବେ ସେତେବେଳେ ସେ ଏହାର ବିରୋଧ କରିଥିଲେ।

ଏପରିକି ଗେହଲଟଙ୍କ କହିବା ଅନୁଯାୟୀ ବିଜେପିର ବରିଷ୍ଠ ନେତା କୈଳାଶ ମେଘାୱାଲଙ୍କୁ ଏ କଥା ଜଣାଥିଲା। ତେଣୁ ୨୦୨୦ ରେ ଯେତେବେଳେ ତାଙ୍କ ସରକାର ଉପରେ ସଙ୍କଟ ଆସିଲା ସେତେବେଳେ ରାଜସ୍ଥାନରେ ସରକାର ଭାଙ୍ଗିବାର ପରମ୍ପରା ନାହିଁ ବୋଲି ସେ କହିଥିଲେ।

ତେଣୁ ବସୁନ୍ଧରାଙ୍କ ଚିନ୍ତାଧାରା ବି ମେଘାୱାଲଙ୍କ ଭଳି ବୋଲି ସେ କହିଛନ୍ତି। କିଛି ମାସ ପୂର୍ବେ ମୁଖ୍ୟମନ୍ତ୍ରୀ ଗେହଲଟ କହିଥିଲେ କି ୨୦୨୦ ରେ କିଛି କଂଗ୍ରେସ ବିଧାୟକଙ୍କ ବିଦ୍ରୋହ ସତ୍ତ୍ୱେ ମଧ୍ୟ ତାଙ୍କ ସରକାର ବଞ୍ଚିଗଲା କାହିଁକି ନା ବସୁନ୍ଧରା ଓ ମେଘାୱାଲ ଧନବଳ ଦ୍ୱାରା ଏକ ନିର୍ବାଚିତ ସରକାରକୁ ଭାଙ୍ଗିବା ଷଡଯନ୍ତ୍ରକୁ ସମର୍ଥନ କରି ନ ଥିଲେ।

ବସୁନ୍ଧରା ମଧ୍ୟ ଗେହଲଟଙ୍କ ଏହି ମନ୍ତବ୍ୟକୁ ନେଇ ପରେ ଜବାଵ ଦେଇଥିଲେ। କିନ୍ତୁ ଏବେ ଏହି ପ୍ରସଙ୍ଗକୁ ନେଇ ବସୁନ୍ଧରାଙ୍କୁ ବିଜେପି ଦଣ୍ଡ ନ ଦେଉ ବୋଲି କହିଛନ୍ତି ଗେହଲଟ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ବିଜେପିର ପ୍ରାର୍ଥୀ ଘୋଷଣା ପରେ ବସୁନ୍ଧରାଙ୍କ ସମର୍ଥକ ମାନେ ଟିକେଟ ପାଇ ନ ଥିବାରୁ ଦଳରେ ବ୍ୟାପକ ବିଦ୍ରୋହ ଦେଖିବାକୁ ମିଳିଛି। ଏପରିକି ଖାସ ସେହି କାରଣ ପାଇଁ ଦଳର ଟିକେଟ ଅଙ୍କ ଛିଡିପାରୁନି।

ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ବିଜେପିର ରାଷ୍ଟ୍ରିୟ ସଭାପତି ଜେପି ନଡ୍ଡାଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଲାଗିପଡିଛନ୍ତି। ତେଣୁ ଏଭଳି ସ୍ଥିତିରେ ଗେହଲଟଙ୍କ ଏଭଳି ମନ୍ତବ୍ୟ ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି ବୋଲି କୁହାଯାଉଛି।

ସେପଟେ କଂଗ୍ରେସରେ ମଧ୍ୟ ପ୍ରାର୍ଥୀତ୍ବକୁ ନେଇ ରାଜସ୍ଥାନରେ ଏ ଯାଏ ସହମତି ହୋଇପାରୁନାହିଁ। ତେଣୁ କଂଗ୍ରେସ ଏବେ ବିଜେପିର ସ୍ଥିତିକୁ ନେଇ ଚାଲ ଖେଳୁଥିବା ଚର୍ଚ୍ଚା ହେଉଛି।

ସେପଟେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ରାଜସ୍ଥାନରେ ଜୋରଦାର ପ୍ରଚାର କରିଛନ୍ତି। ପୂର୍ବ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଷ୍ଟର୍ଣ୍ଣ ରାଜସ୍ଥାନ କେନାଲ ପ୍ରୋଜେକ୍ଟ ବା ଇଆରସିପିକୁ ରାଷ୍ଟ୍ରୀୟ ପ୍ରକଳ୍ପ ଘୋଷଣା ପ୍ରସଙ୍ଗକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି।

ମୋଦିଙ୍କ ପ୍ରତିଶ୍ରୁତି ପରେ ରାଜ୍ୟର ଗେହଲଟ ସରକାର ବାରମ୍ବାର ପ୍ରସ୍ତାବ ଦେଇଥିଲେ। କିନ୍ତୁ କେନ୍ଦ୍ର ସରକାର ଏହାକୁ ଅଣଦେଖା କରିଥିବା ପ୍ରିୟଙ୍କା କହିଛନ୍ତି। ଏହି ପ୍ରତିଶ୍ରୁତି ପୂରଣ କରି ନ ଥିବାରୁ ରାଜସ୍ଥାନ ଜନତାଙ୍କ ମଧ୍ୟରେ ଆକ୍ରୋଶ ଥିବା କୁହାଯାଇଛି।

ରାଜସ୍ଥାନର ଦୌସା ଅଞ୍ଚଳର କାନ୍ଦୋଲିରେ ଜନସଭାକୁ ସମ୍ବୋଧିତ କରିବା ସହ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରଚାର କରିଛନ୍ତି ପ୍ରିୟଙ୍କା। ତେଣୁ କଂଗ୍ରେସର ଏଭଳି ଆଗ୍ରେସିଭ ପ୍ରଚାର ଓ ଚାଲକୁ ନେଇ ରାଜସ୍ଥାନ ରାଜନୀତି ଚଳଚଂଚଳ ହୋଇଛି।

Comments are closed.