Latest Odisha News

BREAKING NEWS

କମୁଛି ‘ଭେନାମୀ’ ଚିଙ୍ଗୁଡ଼ି ମାଛ ଚାଷ, ବଢୁଛି ‘ସିଫୁଡ’ ର ଚାହିଦା

ପାରାଦୀପ: ‘ସିଫୁଡ୍’ ର ବ୍ୟବସାୟ କୁ ବୃଦ୍ଧି କରିବା ଦିଗରେ ପାରାଦୀପ ମାଛଧରା ବନ୍ଦର ପରିସରରେ ଥିବା ପରିଚାଳନା ସମିତି ସଭାଗୃହରେ ରପ୍ତାନୀକାରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସି ଫିସ୍ ପାଇଁ ଉଦ୍ୟୋଗୀ ଙ୍କ ଆଗ୍ରହ ବଢିଥିବା ଲକ୍ଷ କରାଯାଇଛି । ଏନେଇ ପାରାଦୀପ ମାଛ ଧରା ବନ୍ଦର ରେ ଏକାଠି ହୋଇଥିଲେ ୨୫ରୁ ଅଧିକ ମତ୍ସ୍ୟ ବ୍ୟବସାୟୀ | ଓମ୍ଫା ଓ ଓମ୍ପେଡା ର ମିଳିତ ଉଦ୍ୟମ ରେ ରାଜ୍ୟରେ ଥିବା ବୃହତ୍ ମତ୍ସ୍ୟ ବିତରକ ଉଦ୍ୟୋଗୀ ମାନେ ଏକତ୍ରିତ ହୋଇ ସି ଫୁଡ୍ ଉପରେ ମନ ବଳାଇବା ଦେଖିବାକୁ ମିଳିଛି |

‘ଭେନାମୀ’ ଚିଙ୍ଗୁଡ଼ି ମାଛ ଉପରେ ସାଧାରଣତଃ ଏଠିକାର ବ୍ୟବସାୟୀ ମାନେ ନିଜର ଉଦ୍ୟୋଗକୁ ଲଗାଉ ଥିବା ବେଳେ ଆନ୍ତର୍ଜାତୀୟ ସ୍ତରରେ ‘ସି ଫୁଡ୍’ ର ଚାହିଦା ଦେଖି ଏବେ ସେମାନେ ‘ଭେନାମୀ’ କୁ ଏତେଟା ପ୍ରାଧାନ୍ୟ ନଦେଇ ସି ଫୁଡ୍ ବ୍ୟବସାୟର ବୃଦ୍ଧି ଦିଗରେ ଆଶା ବାନ୍ଧିଛନ୍ତି | ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ କମିଟି ର ଡେପୁଟି ଡାଇରେକ୍ଟର ଆର୍ଚିମନ ଲେହେରି ଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଆସି ଉପସ୍ଥିତ ସାମୁଦ୍ରିକ ମତ୍ସ୍ୟ ଉଦ୍ୟୋଗୀ ଙ୍କ ସହ ଆଲୋଚନା କରି ସି ଫୁଡ୍ ର ବ୍ୟବସାୟକୁ ବୃଦ୍ଧି କରିବା ଦିଗରେ ଆଲୋଚନା କରିବା ସହ ସବୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି।

ଚାଷ ଦ୍ଵାରା ଉତ୍ପାଦନ ହେଉଥିବା ଭେନାମୀ ନାମକ ଚିଙ୍ଗୁଡିର ରପ୍ତାନୀ ଉପରେ ସଂସ୍ଥା ଗୁଡିକ ଅଧିକ ପ୍ରାଧାନ୍ୟ ଦେଉଥିବାରୁ ଏହାକୁ ମତ୍ସ୍ୟ ଉତ୍ପାଦନଙ୍କ ପକ୍ଷରୁ ବିରୋଧ କରା ଯାଇଥିଲା। ଏପରିକି ୨୦୨୧ ମସିହାରୁ ଭେନାମୀ ଚିଙ୍ଗୁଡିର ଚାହିଦା ଆନ୍ତର୍ଜାତିକ ବଜାରରେ କମୁଥିବା ବେଳେ ପାରାଦୀପ ରୁ ଉତ୍ପାଦିତ ସାମୁଦ୍ରିକ ଉତ୍ପାଦ ଗୁଡିକର ଚାହିଦା ଥିବା ସତ୍ତ୍ଵେ ସେଗୁଡିକର ରପ୍ତାନୀ ଉପରେ ସଂସ୍ଥା ଗୁଡିକ ଗୁରୁତ୍ୱ ଦେବାକୁ ଦାବୀ ଉଠିଥିଲା ।

ବୈଠକରେ କିଭଳି ଅତ୍ୟାଧୁନିକ ପଦ୍ଧତିରେ ଗଭୀର ସମୁଦ୍ରରୁ ଯାଇ ମାଛ ମାରିହେବ ସେଦିଗରେ ଆଲୋକପାତ କରାଯାଇଥିଲା। ଓଡ଼ିଶାରେ ମୋଟ ୩୦ଜଣ ମାଛ ରପ୍ତାନୀ କାରୀ ସଂସ୍ଥା ଥିବା ବେଳେ ସେଥି ମଧ୍ୟରୁ ୬ରୁ ୭ଜଣ ପାରାଦୀପ ରୁ ମାଛ ନେଉଥିବା ବେଳେ ଅନ୍ୟ ସଂସ୍ଥା ଗୁଡିକ କିଭଳି ମାଛ ନେବେ ସେ ଦିଗରେ ପଦକ୍ଷେପ ନେବା ପାଇଁ ଆଲୋଚନା କରାଯାଇଥିଲା। ତେବେ ମତ୍ସ୍ୟ ଉତ୍ପାଦକ ଓ ରପ୍ତାନୀ କାରୀଙ୍କ ମଧ୍ୟରେ ଦୀର୍ଘ ୪୦ବର୍ଷ ପରେ ଏଭଳି ପ୍ରଥମ ଥର ପାଇଁ ଆଲୋଚନା ହୋଇଥିବା ବେଳେ ‘ସି ଫିସ୍’ ଉପରେ ପଡୁଥିବା ପ୍ରଭାବ ଦୂର ହୋଇ ପାରିଛି ବୋଲି ମେରାଇନ୍ ପ୍ରଡକ୍ଟ ଏକ୍ସପୋର୍ଟ ଡେଭଲପମେଣ୍ଟ ଅଥରିଟି ପ୍ରକାଶ କରିଛନ୍ତି। ଏହି ଭଳି ଆଲୋଚନା ପ୍ରତି ଦୁଇମାସରେ ଥରେ ହେବାପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

Comments are closed.