ପୁରୀ : ଅଣସର ପଞ୍ଚମୀ ତିଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଫୁଲରୀ ତେଲ ଲଗାଯିବ । ଏହି ତେଲ ଲଗାଇବା ପରେ ଶ୍ରୀଜିଉ ସ୍ନାନ ଜ୍ୱରରୁ ମୁକ୍ତି ପାଇବେ । ସେଥିପାଇଁ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ ଫୁଲରୀ ତେଲ ଶ୍ରୀମନ୍ଦିର ଭିତରକୁ ଯାଇଛି । ସେହିଭଳି ଅଣସର ଘରେ ଦିଅଁ ରହିଥିବା ବେଳେ ତାଙ୍କ ପାଇଁ ଆସିଛି ଭାର । ମହାପ୍ରଭୁ ଜ୍ୱରରେ ପଡ଼ିଛନ୍ତି । ପ୍ରଭୁଙ୍କ ସୁସ୍ଥତା ଲାଗି ପବିତ୍ର ପ୍ରାଚୀ କ୍ଷେତ୍ରରୁ ଆସି ପହଞ୍ଚିଛି ଅଣସର ଫଳଭାର । ନିଆଳିର ଶ୍ରୀମାଧବାନନ୍ଦ ଜିଉପୀଠ ଓ କାକଟପୁର ବିଶ୍ୱାମିତ୍ର ମଠ ପକ୍ଷରୁ ଏହି ଭାର ଆସିଛି । ଅଣସର ଭାର ସାମଗ୍ରୀ ମଧ୍ୟରେ ପଣସ, ଆମ୍ବ, ସପୁରୀ, କଦଳୀ, ପିଜୁଳି, ଖଜୁରୀ, ତୁଳସୀ ଓ ବିଭିନ୍ନ ପ୍ରକାର ଫୁଲ ରହିଛି ।
ବହୁ ପୁରାକାଳରେ ପୁରୀର ଦଶାବତାର ମଠ ଜରିଆରେ ପ୍ରାଚୀ କୂଳର ବିଭିନ୍ନ ସାମଗ୍ରୀ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପଠାଯାଉଥିଲା । ଭାର ଯାତ୍ରୀମାନେ ନାମ ସଂକୀର୍ତ୍ତନ କରି ଶ୍ରୀମନ୍ଦିର ନିକଟରେ ପହଞ୍ଚି ଥିଲେ । ପରେ ଭାର ସାମଗ୍ରୀକୁ ନୃସିଂହ ଚକଡ଼ାରେ ରଖିଥିଲେ। ୨୦୦୦ ମସିହାଠାରୁ ତ୍ରିଲୋଚନ ମିଶ୍ରଙ୍କ ଉଦ୍ୟମରେ ପ୍ରାଚୀକ୍ଷେତ୍ରରୁ ଅଣସର ଫଳଭାର ପଠାଯାଇ ଆସୁଛନ୍ତି । ଚଳିତବର୍ଷ ଏହି ଯାତ୍ରାରେ ଶ୍ରୀମାଧବାନନ୍ଦ ଜିଉ ପୀଠ ସାମିଲ ହୋଇଛି। ଗତ ଦୁଇ ବର୍ଷ ଧରି ମହାପ୍ରଭୁଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ଶ୍ରୀମାଧବାନନ୍ଦ ଜୀଉ ପୀଠରୁ ପୋଢୁଆଁ ଭାର ମଧ୍ୟ ପଠା ଯାଉଛି।
Comments are closed.