ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି। ନିଜର ସୁମଧୁର କଣ୍ଠରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିବା ବିଶିଷ୍ଟ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ରବିବାର ସନ୍ଧ୍ୟାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ସମସ୍ୟା କାରଣରୁ ମୁମ୍ବାଇର ଲୋଖଣ୍ଡୱାଲା ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ସୁମନଙ୍କ ନିକଟତର ତଥା ଲେଖିକା ମଙ୍ଗଳା ଖାଡିଲକରଙ୍କ ସୂଚନା ଅନୁଯାୟୀ ରବିବାର ରାତି ପ୍ରାୟ ୮ଟା ବେଳେ ସେ ଶାନ୍ତିପୂର୍ଣ୍ଣ ଭାବରେ ଆଖି ବୁଜିଛନ୍ତି। ନିଜ ଜୀବନର ଶେଷ କିଛି ଦିନ ସେ ନିଜେ ଗାଇଥିବା ପୁରୁଣା ଗୀତ ଶୁଣି ବିତାଉଥିଲେ। ତାଙ୍କ ଦେହାନ୍ତ ଖବର ପ୍ରକାଶ ପାଇବା ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି।
ଛଅ ଦଶନ୍ଧିରୁ ଅଧିକ ସମୟ ଧରି ସୁମନ ଭାରତୀୟ ସଙ୍ଗୀତକୁ ସମୃଦ୍ଧ କରିଆସିଛନ୍ତି। ୧୯୬୦ ଓ ୭୦ ଦଶକରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଆଜକଲ ତେରେ ମେରେ ପ୍ୟାର କେ ଚର୍ଚ୍ଚେ ଏବଂ ନା ନା କରତେ ପ୍ୟାର ତୁମହିଁ ସେ ଭଳି ଅନେକ କାଳଜୟୀ ହିନ୍ଦୀ ଗୀତ ସେ ଗାଇଛନ୍ତି। ହିନ୍ଦୀ ବ୍ୟତୀତ ମରାଠୀ ବଙ୍ଗଳା ସମେତ ବିଭିନ୍ନ ଆଞ୍ଚଳିକ ଭାଷାରେ ମଧ୍ୟ ସେ ଅନେକ ଲୋକପ୍ରିୟ ଗୀତ ଭେଟି ଦେଇଛନ୍ତି। ଲତା ମଙ୍ଗେସକରଙ୍କ ସମସାମୟିକ ଭାବେ ତାଙ୍କ କଣ୍ଠସ୍ୱରକୁ ଅନେକ ସମୟରେ ଲତାଙ୍କ ସହ ତୁଳନା କରାଯାଉଥିଲା। ସଙ୍ଗୀତ ଜଗତକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ୨୦୨୩ ମସିହାରେ ତାଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ବେସାମରିକ ଉପାଧି ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ତାଙ୍କ ବିୟୋଗରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଶରଦ ପାୱାର ଏବଂ ଏକନାଥ ସିନ୍ଦେଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ସୁମନଙ୍କ ସ୍ମୃତି ଚାରଣ କରିବା ସହ ଏହା ଭାରତୀୟ ସଙ୍ଗୀତ ଇତିହାସରେ ଏକ ସୁବର୍ଣ୍ଣ ଯୁଗର ଅନ୍ତ ବୋଲି କହିଛନ୍ତି। ସୋମବାର ଦିନ ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ବର୍ଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି।