Latest Odisha News

BREAKING NEWS

ବରିଷ୍ଠ ଅଭିନେତା, ନିର୍ଦ୍ଦେଶକ ତଥା ମଞ୍ଚ କଳାକାର ଜୟଦେବ ଦାସଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ

କଟକ: ମଞ୍ଚ, ଟେଲିଭିଜନ, ଚଳଚ୍ଚିତ୍ର ଓ ରେଡିଓର ଅଭିନେତା, ନିର୍ଦ୍ଦେଶକ, ନାଟ୍ୟକାର, ଷ୍ଟେଜ କ୍ରାଫ୍ଟ ଓ ଆଲୋକ ଡିଜାଇନ ଭଳି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଜୟଦେବ ଦାସଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଗତ ୧୨ ତାରିଖରୁ ଜୟଦେବ ଅସୁସ୍ଥ ଥିଲେ । କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଗତ ଗୁରୁବାର ରାତିରେ ସେ ପୁଣି ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଓଡିଶୀ ଗବେଷକ ତଥା ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର କହିଛନ୍ତି ଯେ ଓଡିଶା ମଂଚରେ ଚିର ଅନ୍ଧାରର ସେ ଆଲୋକିତ ନାୟକ । ସେହିପରି ଓଡିଶୀ ଗୁରୁ ରତିକାନ୍ତ ମହାପାତ୍ର ତାଙ୍କ ସହ ଅନଭୂତିକୁ ମନେ ପକାଇଛନ୍ତି । ବରିଷ୍ଠ ସାମ୍ବାଦିକ ତଥା ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ପୁଅ ସବ୍ୟସାଚୀ ପାଣିଗ୍ରାହୀ କହିଛନ୍ତି ଯେ, ଜଣେ କିମ୍ବଦନ୍ତୀ ପୁରୁଷ ଆଜି ଚାଲିଗଲେ, ଆଲୋକ ଲିଭିଗଲା । ଏଭଳି ଜଣେ ସୁପରଷ୍ଟାରଙ୍କ ଅଭାବବୋଧ ସମସ୍ତେ ଅନୁଭବ କରିବେ ।

ପିଲାଟି ବେଳରୁ ଜୟଦେବଙ୍କ ଉପରେ ପଡିଥିଲା ମଞ୍ଚ ନାଟକର ପ୍ରଭାବ । ବାପାମାଆ ଥିଲେ ଅନ୍ନପୂର୍ଣ୍ଣା ଥିଏଟରର ଶିଳ୍ପୀ । ଉଚ୍ଚଶିକ୍ଷିତ ଜୟଦେବ ବି ଏଥିରୁ ପ୍ରେରଣ ପାଇ ୧୯୬୫ ମସିହାରେ ଆରମ୍ଭ କରିଥିଲେ ମଂଚରେ ଅଭିନୟ । ୧୯୭୬ ମସିହାରେ ନାଟକରେ ନିର୍ଦ୍ଦେଶନା ଦେବା ଆରମ୍ଭ କଲେ । ପ୍ରାୟ ୫୦ରୁ ଅଧିକ ନାଟକରେ ସେ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ନିର୍ଦ୍ଦେଶିତ ନାଟକ ‘ବକ୍ସି ଜଗବନ୍ଧୁ’, ଆଦିବାସୀ ଶୈଳୀରେ ‘ଚାରା ବତି ଫୁଲ ବଡି’, ‘ଟିଟୋ’, ‘ରଙ୍ଗହୀନ ଜଗନ୍ନାଥ’,‘ଝିଟିପିଟି କହେ’ ବେଶ୍ ଲୋକପ୍ରିୟ ହୋଇଥିଲା ।

୧୯୮୭ରେ ପାଟନାରେ ଆୟୋଜିତ ଇଷ୍ଟ ଜୋନ ଥିଏଟର ଫେଷ୍ଟିଭାଲ ଓ ସେମିନାରରେ ସେ ନିର୍ଦ୍ଦେଶକ ଭାବେ ଅଂଶଗ୍ରହଣ କରିଥିଲେ । ୧୯୮୮ରେ ଦିଲ୍ଲୀରେ ଜାତୀୟ ଥିଏଟର ଫେଷ୍ଟିଭାଲରେ ଆୟୋଜିତ ଥିଏଟର ଫେଷ୍ଟିଭାଲ ଏବଂ ସେମିନାଲରେ ମଧ୍ୟ ଯୋଗ ଦେଇଥିଲେ । କେବଳ ସେତିକି ନୁହେଁ ୧୯୬୮ରୁ ଅଲ ଇଣ୍ଡିଆ ରେଡିଓରେ ଓ ୧୯୮୫ରୁ ଦୂରଦର୍ଶନରେ ସେ କଳାକାର ଭାବେ କାମ କରି ଆସୁଥିଲେ ।

ପରବର୍ତ୍ତୀ ସମୟରେ ସେ ନାଟ୍ୟକାର, ନିର୍ଦ୍ଦେଶକ, ଆଲୋକ ସମ୍ପାଦକ ଓ ଲେଖକ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଓଡିଶୀରେ ବି ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତାଙ୍କ ଆଲୋକ ସଜ୍ଜାରେ ବିଶିଷ୍ଟ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀ, କୁମ୍‌କୁମ୍ ମହାନ୍ତି, ଅରୁଣା ମହାନ୍ତି, ରତିକାନ୍ତ ମହାପାତ୍ର, ସୁଜାତା ମହାପାତ୍ର, ମୀରା ଦାସ ପ୍ରମୁଖ କାମ କରିଛନ୍ତି । କୋଣାର୍କ ଉତ୍ସବ, ମୁକ୍ତାକାଶ ଉତ୍ସବ ସମେତ ବିଭିନ୍ନ ଫେଷ୍ଟିଭାଲରେ ସେ ଆଲୋକ ଡିଜାଇନ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.