ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତ୍ରୀ ଜୟା ବଚ୍ଚନ ୨୦୨୫ ମହାକୁମ୍ଭ ମେଳାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି । ସେ କହିଛନ୍ତି ଯେ, ଯେ କୌଣସି ସ୍ଥାନରେ ଏତେ ବଡ଼ ଭିଡ଼ କିପରି ହୋଇପାରେ । ମହାକୁମ୍ଭ ଦଳାଚକଟା ପୀଡିତଙ୍କ ମୃତଦେହ ନଦୀରେ ଫିଙ୍ଗାଯିବାରୁ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ନଦୀ ଜଳ ବର୍ତ୍ତମାନ ସବୁଠାରୁ ପ୍ରଦୂଷିତ ବୋଲି ଜୟା ବଚ୍ଚନ ଦାବି କରିଛନ୍ତି ।
ଜୟାଙ୍କ ଏହି ବିବାଦୀୟ ମନ୍ତବ୍ୟ ପରେ ବିଶ୍ୱ ହିନ୍ଦୁ ପରିଷଦ (ବିଏଚପି) ତାଙ୍କ ବକ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ଏବଂ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛି । ଏହି ବୟାନ ବିବାଦ ସୃଷ୍ଟି କରିବ ବୋଲି କହିବା ସହ ଜୟା ବଚ୍ଚନଙ୍କୁ ତୁରନ୍ତ ଗିରଫ କରାଯିବା ଉଚିତ ବୋଲି ବିଏଚପି ଦାବି କରିଛି ।
ଭିଏଚପି ମିଡିଆ ପ୍ରଭାରୀ ଶରଦ ଶର୍ମା କହିଛନ୍ତି, ମହାକୁମ୍ଭ ହେଉଛି ବିଶ୍ୱାସ ଏବଂ ଭକ୍ତିର ମେରୁଦଣ୍ଡ, ଯେଉଁଠାରେ ଧର୍ମ, କର୍ମ ଏବଂ ମୋକ୍ଷ ପ୍ରାପ୍ତ ହୁଏ । କୋଟି କୋଟି ଭକ୍ତଙ୍କ ଭାବନା ଏହି ମହାନ ରୀତି ସହିତ ଜଡିତ । ତେଣୁ ଏପରି ମନ୍ତବ୍ୟ ଦେଇ ଦେଶରେ ଅପ୍ରିତିକର ଓ ବିବାଦୀୟ ପରିସ୍ଥିତି ସୃଷ୍ଟି କରାଯାଉଛି ।
ସୂଚନାଯୋଗ୍ୟ, ଜୟା ବଚ୍ଚନ କୁମ୍ଭରେ ଅହେତୁକ ମାତ୍ରାରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ସମ୍ପର୍କରେ ୟୁପି ସରକାରଙ୍କ ତଥ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଲେ ଯେ ସେମାନେ ମିଛ କହୁଛନ୍ତି ଯେ କୋଟି କୋଟି ଲୋକ ସେହି ସ୍ଥାନକୁ ଆସିଛନ୍ତି, ଏତେ ସଂଖ୍ୟାରେ ଲୋକ କିପରି ସେଠାରେ ଯେକୌଣସି ସମୟରେ ଏକାଠି ହୋଇପାରିବେ? କୁମ୍ଭରେ କ’ଣ ଘଟିଥିଲା ସେ ବିଷୟରେ ସରକାର ସତ୍ୟ କହିବା ଉଚିତ, ଏହା ସଂସଦରେ କୁହାଯିବା ଉଚିତ । ପ୍ରଶାସନ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ କରିବା ପରିବର୍ତ୍ତେ ପାଣିରେ ପକାଇ ଦେଇଛି ଏବଂ ଆମେ ସଂସଦରେ ଜଳଶକ୍ତି ଉପରେ ଭାଷଣ ଦେଉଛୁ ।
ସେ କହିଛନ୍ତି ଯେ ଦେଶରେ ଏବେ ଏକ ବଡ଼ ସମସ୍ୟା ଅଛି ଏବଂ ତାହା ହେଉଛି କୁମ୍ଭରେ ଘଟିଥିବା ଦଳାଚକଟାରେ ହଜାର ହଜାର ଲୋକ ଚାଲି ଯାଇଛନ୍ତି । ସରକାର ସଠିକ୍ ସଂଖ୍ୟା ପ୍ରକାଶ କରିବା ଉଚିତ ଏବଂ ସଂସଦରେ ଦୁଇ ପ୍ରକାର କଥା କହିବା ଉଚିତ୍ ନୁହେଁ । ଜନସାଧାରଣଙ୍କ ସହ କଥା ହେବା ଏବଂ ସ୍ପଷ୍ଟୀକରଣ ଦେବା ଉଚିତ୍ ।
Comments are closed.