Latest Odisha News

BREAKING NEWS

ହାଥ୍‌ରସ ଦଳାଚକଟା ଘଟଣା; ଭୋଲେ ବାବାଙ୍କ ଗିରଫ ଦାବି କଲେ ପୀଡିତଙ୍କ ପରିବାର

ହାଥରସ: ଉତ୍ତରପ୍ରଦେଶ ହାଥରସରେ ଘଟିଥିବା ଦଳାଚକଟାରେ ଚାଲିଯାଇଛି ୧୨୧ ଜୀବନ। ଏବେ ବି ପାଖାପାଖି ୩୦ ଜଣ ଆହତ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏହି ଦୁର୍ଘଟଣା ପରେ ସୁରଜପାଲ ଓରଫ ଭୋଲେ ବାବାଙ୍କ ପତ୍ତା ମିଳୁନଥିବା ଚର୍ଚ୍ଚା ହେଉଥିବା ବେଳେ ଗତକାଲି ବାବା ଗଣମାଧ୍ୟମ ନିଜର ବୟାନ ଦେଇଥିଲେ। ସେ କହିଥିଲେ, ଜୁଲାଇ ୨ରେ ଘଟିଥିବା ଘଟଣା ପରେ ମୁଁ ଅତ୍ୟନ୍ତ ବ୍ୟଥିତ ଅଛି । ଭଗବାନ୍ ଆମକୁ ଶକ୍ତି ଦିଅନ୍ତୁ ଏହି ସମୟ ସହ ମୁକାବିଲା କରିବା ପାଇଁ । ସେ ଆହୁରି ମଧ୍ୟ କହିଥିଲେ ଆମର ପୂରା ବିଶ୍ବାସ ସରକାର ଓ ତାଙ୍କର ପ୍ରଶାସନ ଉପରେ ରହିଛି । ଏହି ସ୍ଥିତିରେ ଉତ୍ତେଜନା ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ କେବେବି କ୍ଷମା ମିଳିବ ନାହିଁ।

ଭୋଲେ ବାବାଙ୍କ ଏହି ବୟାନ ପରେ ପୀଡିତାଙ୍କ ପରିବାର ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ଜଣେ ପୀଡିତାଙ୍କ ପରିବାରର ସଦସ୍ୟ ହାର୍ଦ୍ଦିକ କୁମାର କହିଛନ୍ତି, “ଏହି ଘଟଣା ପରେ ବାବାଙ୍କୁ ପ୍ରଥମେ ହିଁ ଲୋକଙ୍କ ସାମ୍ନାକୁ ଆସିବାର ଥିଲା। ସେ ଚାରି ଦିନ ପର୍ଯ୍ୟନ୍ତ କେଉଁଠାରେ ଲୁଚି ରହିଥିଲେ ? ଯଦି ସେ ସମଗ୍ର ବ୍ରହ୍ମାଣ୍ଡର ମାଲିକ ତେବେ ସେ ପ୍ରଥମେ ଆଗକୁ ଆସିବା ଉଚିତ୍ ଥିଲା। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତେ ଏହି ଘଟଣାରେ ସମବେଦନା ଜଣେଇବାକୁ ଆସୁଛନ୍ତି, ତେବେ ଭୋଲେ ବାବାଙ୍କର କେଉଁ ସମସ୍ୟା ଥିଲା? ସେ ତାଙ୍କ ମେନପୁରୀ ବାସଭବନରେ ବିଶ୍ରାମ ନେଉଥିଲେ। ଯେଉଁ ଦିନ ଏତେ ସଂଖ୍ୟକ ଲୋକ ପ୍ରାଣ ହରାଇଥିଲେ ସେହି ଦିନ ହିଁ ସେ ଲୋକଙ୍କ ବିଷୟରେ ପଚାରି ବୁଝିବା ଉଚିତ୍ ଥିଲା। ଭୋଲେ ବାବା କାହିଁକି ଲୁଚି ବୁଲୁଛନ୍ତି, ତାଙ୍କ ଉପରେ ଆଉ ବିଶ୍ୱାସ ନାହିଁ। ତାଙ୍କୁ ତୁରନ୍ତ ଗିରଫ କରାଯିବା ଉଚିତ୍।”

ଅନ୍ୟ ଜଣେ ପୀଡିତାଙ୍କ ପରିବାର ସଦସ୍ୟ କହିଛନ୍ତି,’ସମସ୍ତ ସତସଙ୍ଗକୁ ବନ୍ଦ କରାଯିବା ଉଚିତ୍। ଏହା ଦ୍ୱାରା ଜନସାଧାରଣଙ୍କୁ ପ୍ରତାରଣା କରାଯାଉଛି। ସମସ୍ତ ପାପୀ ଲୋକଙ୍କୁ କାରାଗାରକୁ ପଠାଯିବା ଉଚିତ୍। ଏଠାରେ କହିରଖୁଛୁ, ଉତ୍ତରପ୍ରଦେଶର ହାଥରସ ସହରରେ ସିକନ୍ଦରାରାଉ ଥାନାର ଫୁଲରଇରେ ଜୁଲାଇ ୨ରେ ଆୟୋଜିତ ଭୋଲେ ବାବାଙ୍କ ସତସଙ୍ଗ ସମୟରେ ଏହି ବଡ଼ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ସତସଙ୍ଗ ସମୟରେ ଦଳାଚକଟା ହେବାରୁ ୧୨୧ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ରହିଛନ୍ତି। ଏହି ଘଟଣା ପରେ ଭୋଲେ ବାବାଙ୍କ ଆଶ୍ରମରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା ପୋଲିସ। ତେବେ ସଂପୃକ୍ତ ଅଞ୍ଚଳରେ ଆଶ୍ରମ ଚଳାଉଥିବା ‘ଭୋଲେ ବାବା’ କିନ୍ତୁ ଘଟଣା ପରେ ଫେରାର ଥିଲେ। ଯାହାଙ୍କୁ ଧରିବା ପାଇଁ ଉତ୍ତରପ୍ରଦେଶ ପୋଲିସ ୧ ଲକ୍ଷ ଯଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ । ହେଲେ ଏବେ ଆତ୍ମଘୋଷିତ ବାବା ନିଜେ ସାମ୍ନାକୁ ଆସି ଉକ୍ତ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦେବପ୍ରକାଶ ମଧୁକରଙ୍କୁ ଗିରଫ କରାଯାଇ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମଧୁକରଙ୍କୁ ଶୁକ୍ରବାର ରାତିରେ ଗିରଫ କରାଯାଇଥିବା ବେଳେ ଶନିବାର ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା। ପୋଲିସର ଆବେଦନ ଆଧାରରେ ତାଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ମଧୁକରଙ୍କ ଓକିଲ ଏପି ସିଂହ କହିଛନ୍ତି ଯେ ତାଙ୍କ ମହକିଲ ଦିଲ୍ଲୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ହାଥ୍‌ରସରେ ଭୋଲେ ବାବାଙ୍କ ସତ୍‌ସଙ୍ଗରେ ଯେଉଁ ଦଳାଚକଟା ହୋଇଥିଲା ତା’ର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ମଧୁକର। ମଧୁରକର ହେଉଛନ୍ତି ଭୋଲେ ବାବା ଓରଫ୍‌ ନାରାୟଣ ସାକାର ହରିଙ୍କ ମୁଖ୍ୟ ସେବାଦାର। ମୁଖ୍ୟ ସେବାଦାର ଭାବେ ମଧୁକର ସତ୍‌ସଙ୍ଗ ଆୟୋଜନ କରିଥିଲେ।

 

Comments are closed.