Latest Odisha News

[ଭିଡିଓ] ଓଡିଶା ଆଇଏଏସ୍‌ ଅଫିସରଙ୍କୁ ସାଂସଦ ଅପରାଜିତାଙ୍କ ଚାଲେଂଜ, ଯଦି ଇଛା ଅଛି ଚାକିରୀ ଛାଡି ରାଜନୀତି କର

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ କଡା ସମାଲୋଚନା କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ । ସରକାରୀ ଚାକିରୀରେ ଥାଇ ଆଇଏଏସ୍‌ ଅଫିସରମାନେ ଆଚରଣ ନିୟମର ଉଲ୍ଲଂଘନ କରି ରାଜନୀତିରେ ଯୋଗ ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ସେ ରୋକ୍‌ଠୋକ୍ ପ୍ରଶ୍ନ କରିଛନ୍ତି ।

୨୦୧୮ରେ ଆଇଏଏସ୍‌ ପଦବୀରୁ ସନ୍ୟାସ ନେଇ ଅପରାଜିତା ଷଢଙ୍ଗୀ ରାଜନୀତିରେ ଯୋଗ ଦେଇଥିଲେ । ପରେ ସେ ବିଜେପି ଦଳ ତରଫରୁ ଭୁବନେଶ୍ୱର ସାଂସଦ ରୂପେ ନିର୍ବାଚିତ ହୋଇଥିଲେ । ନିକଟରେ ଓଡିଶା ସମ୍ବାଦକୁ ଅପରାଜିତା ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇଥିଲେ । ଏହି ଅବସରରେ ସେ କହିଥିଲେ, “ଆଇଏଏସ୍‌ ଅଫିସରମାନେ ରାଜନୀତିରେ ପ୍ରତ୍ୟକ୍ଷ ଭାବେ ସାମିଲ ହେବା ଗ୍ରହଣୀୟ ନୁହେଁ, ଓଡିଶାରେ ଏପରି ଘଟିବା ନିଶ୍ଚିତ ରୂପେ ଦୁର୍ଭାଗ୍ୟଜନକ । ଯଦି ଆଇଏଏସ୍‌ ଅଫିସରମାନେ ରାଜନୀତି କରିବାକୁ ଚାହୁଁଛନ୍ତି, ତା’ ହେଲେ ସେମାନେ ସରକାରୀ ଚାକିରୀ ପଦ ତ୍ୟାଗ କରିବା ଉଚିତ୍‌”

ଅପରଜିତା ଏପରି ବି କହିଥିଲେ ଯେ, “ଓଡିଶା ସରକାରକୁ ଜଣେ ଆଇଏଏସ୍‌ ଅଫିସର ପରିଚାଳନା କରୁଛନ୍ତି ।” ତେବେ ସେ ନିର୍ଦ୍ଧିଷ୍ଟ ଭାବେ କାହାରି ନାଁ ଧରିନଥିଲେ । “ପୂର୍ବରୁ ମୁଁ ମଧ୍ୟ ଓଡିଶା ସରକାର ଅଧିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କାମ କରିଛି । ସେତେବେଳେ ସେ ଆମ ସହ ସାକ୍ଷାତ କରିବା ସହ ପରାମର୍ଶ ମଧ୍ୟ ଦେଉଥିଲେ । ହେଲେ ବର୍ତ୍ତମାନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା କାଠିକର ପାଠ ।”

ସାକ୍ଷାତକାର ଅବସରରେ ଓଡିଶା ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବଙ୍କୁ ନେଇ ସାଂସଦ ଅପରାଜିତା ଅସନ୍ତୁଷ୍ଟତା ଜାହିର କରିଥିଲେ । ସେ ପ୍ରଶ୍ନ କରିଥିଲେ, “ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ ସଦାସର୍ବଦା ଗୋଟିଏ ଫଟୋ ଫ୍ରେମରେ କାହିଁକି ନଜର ଆସନ୍ତି ? ଏହା କି ପ୍ରକାର ବାର୍ତ୍ତା ଦେଉଛି ? ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଫ୍ରେମରେ ମନ୍ତ୍ରୀ, ବିଧାୟକ କିମ୍ବା ସାଂସଦମାନେ ରହିବା ଉଚିତ୍ । ହେଲେ ବ୍ୟକ୍ତିଗତ ସଚିବ କଦାପି ନୁହେଁ ।”

Comments are closed, but trackbacks and pingbacks are open.