Latest Odisha News

ଏସଡିପିଓ ମଳୟ ନାୟକଙ୍କ ବିଭିନ୍ନ ଜାଗାରେ ସଂପତ୍ତି ଠାବ, ସ୍ତ୍ରୀ ଫେରାର

ଭୁବନେଶ୍ୱର: ବୁଧବାର ହିନ୍ଦୋଳ ଏସଡିପିଓ ମଳୟ କୁମାର ନାୟକ ଲାଞ୍ଚ ନେଇ ଗିରଫ ହେବା ପରେ ଭିଜିଲାନ୍ସ ବିଭିନ୍ନ ସ୍ଥାନରେ ତାଙ୍କ ସଂପତ୍ତି ଉପରେ ଚଢ଼ଉ କରିଥିଲା । ବୁଧବାର ଠାରୁ ଅନୁଗୁଳ, ଭୁବନେଶ୍ୱର, ସମ୍ବଲପୁର, ପୁରୀ ଏବଂ ଢ଼େଙ୍କାନାଳରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା ।

ଅନୁଗୁଳ ଅମଲାପଡ଼ାରୁ ଦୁଇ ମହଲା କୋଠା, ସମ୍ବଲପୁରର ଧନୁପାଲିରୁ ଦୁଇ ମହଲା କୋଠା, ଭୁବନେଶ୍ୱର ଟାଟା ଏରିଆନାରେ ଫ୍ଲାଟ-୫୦୩ ଏବଂ କାଶୀ ଜଗନ୍ନାଥପୁରରେ ଗୋଟିଏ ଫ୍ଲାଟ୍ ଠାବ କରାଯାଇଛି । ଏହି ସବୁ ଜାଗାରେ ଚଢ଼ଉ ଜାରି ରହିଥିବା ବେଳେ ମୋଟ୍ ଜବତ ସଂପତ୍ତିର ହିସାବ ଭିଜିଲାନ୍ସ ପକ୍ଷରୁ ମିଳିନି ।

ଏସଡିପିଓଙ୍କ କାର୍ଯ୍ୟକଳାପ ଓ ତାଙ୍କ କାରବାରରୁ ଜଣାପଡ଼ିଛି ଯେ ସେ ନିୟମିତ ଭାବେ ଲାଞ୍ଚ ଗ୍ରହଣ କରୁଥିଲେ । ଏହା ସହ ସ୍ଥାନୀୟ ଅଞ୍ଚଳରୁ ବିଭିନ୍ନ ସ୍ଥାନ ଓ ଲୋକଙ୍କ ଠାରୁ ଲାଞ୍ଚ ନେଉଥିଲେ । ଲାଞ୍ଚ ନେବାକୁ କେବଳ ନଗଦ ରାଶି ନୁହେଁ । ବିଭିନ୍ନ ଉପାୟ ଆପଣାଉଥିଲେ । ପେଟିଏମ, ଫୋନପେ, ଗୁଗଲପେ ଓ ଏଟିଏମ କ୍ୟାସ୍ ଡିପୋଜିଟ ମେସିନ ଦ୍ୱାରା ଲାଞ୍ଚ ଗ୍ରହଣ କରୁଥିଲେ । ଭିଜିଲାନ୍ସ ଟେକ୍ନିକାଲ ୱିଙ୍ଗ ଓ ସାଇବର ୟୁନିଟ୍ ଏହି ସବୁ କାରବାର ଉପରେ ତଦନ୍ତ କରୁଛି ।

ସେପଟେ ମଳୟ ନାୟକ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ତାଙ୍କ ସ୍ତ୍ରୀ ରିତା ମହାପାତ୍ର ଫେରାର ହୋଇଯାଇଛନ୍ତି । ମଳୟ ନାୟକଙ୍କ ଉପରେ ଚଢ଼ଉ ସମୟରେ ରିତା ହିନ୍ଦୋଳ ସ୍ଥିତ ସରକାରୀ କ୍ୱାର୍ଟରରେ ରହିଥିଲେ । ସ୍ୱାମୀଙ୍କ ଗିରଫ ଖବର ପାଇବା ପରେ ଏକ ବ୍ରିଫ୍ କେସ ଏବଂ ଏକ ବ୍ୟାଗ୍ ଧରି ଏକ ସ୍କୁଟିରେ ଜଣେ ବ୍ୟକ୍ତିଙ୍କ ସହ କୁଆଡ଼େ ଖସିଯାଇଛନ୍ତି । ତାଙ୍କୁ ଠାବ କରିବା ପାଇଁ ଏକ ଟିମ୍ କାର୍ଯ୍ୟ କରୁଛି ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.