ନୂଆପଡା: ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଆଶ୍ଚର୍ଯ୍ୟ କର ଘଟଣା ଘଟିଥାଏ। ହେଲେ ଏ ସବୁ ଯେ କେତେ ସତ କେତେ ମିଛ ତାହା କହିବା କଷ୍ଟକର। ଏବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ନିଆଁ ଜଳୁଛି। ଲୋକେ ବି ଦେଖୁଛନ୍ତି। ଲିଭାଇବାକୁ ଯେତେ ଚେଷ୍ଟା କଲେବି ଲିଭୁନି ନିଆଁ।
ଏମିତି ଘଟଣା ଦେଖିବାକୁ ମିଳିଛି ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ଗ୍ରାମ ପଞ୍ଚାୟତର ସମସେରପଦର ଗାଁରେ। ଏହି ଗାଁ ର ହଳଧର ଛତ୍ରିଆଙ୍କ ଘରେ କୌଣସି କାରଣ ନଥାଇ ହଠାତ ନିଆଁ ଲାଗିଯାଉଛି। ଗୋଟିଏ ଜାଗାରେ ନିଆଁ ଲିଭାଇଲେ ଅନ୍ୟ ଜାଗାରେ ନିଆଁ ଲାଗୁଛି। ଏନେଇ ପରିବାର ଲୋକେ ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି।
ଗତ ରବିବାର ସନ୍ଧ୍ୟା ସମୟରେ ହଳଧରଙ୍କ ଦାଣ୍ଡ ଦ୍ୱାରରେ ଥିବା ମଣ୍ଡପର ଗୋଟିଏ ପାର୍ଶ୍ୱରେ ହଠାତ ନିଆଁ ଲାଗିଥିଲା। ପରେ ପରିବାର ଲୋକେ ନିଆଁ ଲିଭାଇ ଥିଲେ କିନ୍ତୁ ସକାଳୁ ସେହି ମଣ୍ଡପର ଅନ୍ୟ ଏକ ପାର୍ଶ୍ୱରେ ପୁଣି ନିଆଁ ଲାଗିଥିବା ଦେଖିଥିଲେ । ଏହାପରେ ପାଖରେ ଥିବା କୁଟା ଗଦାରେ ମଧ୍ୟ ନିଆଁ ଲାଗିଥିଲା । ଧିରେଧିରେ ପର୍ଯ୍ୟାୟ କ୍ରମେ ଘରର ସବୁ କପଡ଼ାରେ ନିଆଁ ଲାଗିବା ସହ ଗଡରେଜ ଭିତରେ ନିଆଁ ଲାଗି ଆସବାବପତ୍ର ଓ କୋଡିଏ ହଜାର ଟଙ୍କା ପୋଡି ଯାଇଥିବା ପରିବାର ଲୋକେ କହିଛନ୍ତି। ଏପରି ଭାବରେ କୋଡିଏ ରୁ ଅଧିକ ଥର ନିଆଁ ଲାଗି ସାରିଛି।
ଘରେ ନିଆଁ ଲାଗିବା ପଛର କାରଣ ଏ ପର୍ଯ୍ୟନ୍ତ କିଛି ଜଣା ପଡ଼ିନାହିଁ। ଆଜି ମଧ୍ୟ ଛଅ ଥର ଜଳିଲାଣି। ଏନେଇ ଖଡ଼ିଆଳ ସ୍ୱୟଂ ଶାସିତ କଲେଜର ଅଧ୍ୟକ୍ଷ ତଥା ରସାୟନ ବିଭାଗ ମୁଖ୍ୟ ଅଧ୍ୟାପକ ଡ଼ଃ ତରୁଣ ପ୍ରଧାନଙ୍କୁ କହିଛନ୍ତି, ଏହା କୈାଣସି ରାସାୟନିକ ପ୍ରକ୍ରିୟାରୁ ଘଟୁଛି । ଘଟଣାରେ ସବୁକିଛି ଜଳି ଯାଇଥିବାରୁ ଏହି ପରିବାର ନିଃସହାୟ ହୋଇ ପଡିଛନ୍ତି । ପଂଚାୟତ ତରଫରୁ କିଛି ସହାୟତା ଯୋଗାଇଦେବା ସହ ଜିଲ୍ଲା ପ୍ରଶାସନ କୁ ଜଣାଇ କ୍ଷୟକ୍ଷତିର ସହାୟତା ପାଇଁ ଦାବି କରିବୁ ବୋଲି ସ୍ଥାନୀୟ ସରପଞ୍ଚ କହିଛନ୍ତି ।
Comments are closed.