Latest Odisha News

BREAKING NEWS

ଦାବି ଶୁଣିଲାନି ପ୍ରଶାସନ, ୧୪୯ ନମ୍ୱର ଜାତୀୟ ରାଜପଥ ବନ୍ଦ କଲେ ଗାଁ ଲୋକ

ଢେଙ୍କାନାଳ: ବାରମ୍ବାର ଗୁହାରି ସତ୍ତ୍ୱେ ଦାବି ଶୁଣାଲାନି ପ୍ରଶାସନ । ସମସ୍ୟାର ସମାଧାନ ନହେବାରୁ ରାଜରାସ୍ତାକୁ ଓହ୍ଲାଇଲେ ଗାଁ ଲୋକ । ଜାତୀୟ ରାଜପଥ ଅବରୋଧ କଲେ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଭେଜିଆ ଗାଁ ଛକ ନିକଟରେ ୧୪୯ ନମ୍ୱର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ବିରିବୋଲେଇ ଗ୍ରାମବାସୀ ।

ଅଭିଯୋଗ ହୋଇଛି, ଗାଁରେ ଥିବା ସରକାରୀ ଓ ଗୋଚର ଜମିକୁ ସୋଲଗାଁର କିଛି ମୁଷ୍ଟିମେୟ ଲୋକ ଘର ନିର୍ମାଣ କରିବା ସହ ଜମି ଅକ୍ତିଆର କରି ନେଇଛନ୍ତି । ଏନେଇ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଛି । ମାତ୍ର ଫଳ ଶୂନ ।

ଗତ ୨୧ ତାରିଖରେ ବିରିବୋଲେଇ ଗାଁ ଲୋକ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୭ ଦିନ ଭିତରେ ସମସ୍ୟାର ସମାଧାନ ପାଇଁ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପ୍ରଶାସନ କୌଣସି ହସ୍ତକ୍ଷେପ ନକରିବାକୁ ଆଜି ଗାଁଲୋକ ମିଶି ୧୪୯ ନମ୍ୱର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।

ଯେପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତେଇ ଦେଇଛନ୍ତି । ରାସ୍ତାରୋକ ଯୋଗୁ ୧୪୯ ନମ୍ୱର ଜାତୀୟ ରାଜପଥରେ ଶହ ଶହ ଗାଡ଼ିମୋଟର ଅଟକି ରହିଛି । ପିତିରି-ପାଲଲହଡା ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

Leave A Reply

Your email address will not be published.