Latest Odisha News

ରାସ୍ତା ନଥିବାରୁ ଖଟିଆରେ ବୋହି ପ୍ରତିବାଦ

ସାରସକଣା: ମୌଳିକ ସୁବିଧାରୁ ବଞ୍ଚିତ ବାଙ୍କଦହ ଗ୍ରାମବାସୀ । ଖଟିଆରେ ବୋହି ନିଜ ଦାବି ଜଣାଇଲେ । ମୟୂରଭଞ୍ଜ ବାଙ୍କଦହ ଗ୍ରାମ ମୁରୁଣିଆ ପଂଚାୟତର ଏକ ଗାଁ । ଏହି ଗ୍ରାମବାସୀମାନେ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ଯିବା ପାଇଁ ସାରସକଣା ପଂଚାୟତ ମହୁଲବରେଇ ହୋଇ କୋଚିଲା ନାଳ ପାରି ହୋଇ ଆସିବାକୁ ପଡିଥାଏ । ସାମାନ୍ୟ ବର୍ଷା ହେଲେ ଏହି ନାଳରେ ପାଣି ବଢି ବନ୍ୟା ସୃଷ୍ଟି ହୋଇଥାଏ । ଏମିତି କି ଗାଁ ବାହ୍ୟ ଅଂଚଳରୁ ବିଚ୍ଛିନ୍ନ ହୋଇଯାଇଥାଏ ।

ଗ୍ରାମବାସୀମାନେ ନିଜସ୍ବ ଖର୍ଚ୍ଚରେ ନାଳ ପାରି ହେବା ପାଇଁ ପ୍ରତିବର୍ଷ ଏକ ଅସ୍ଥାୟୀ ବାଉଁଶ ପୋଲ ତିଆରି କରିଥାନ୍ତି । ତେବେ ରାସ୍ତା ସହିତ ପୋଲ ନଥିବାରୁ ୧୦୮ ଆମ୍ବୁଲାନସ ଏହି ଗ୍ରାମକୁ ଆସିପାରେ ନାହିଁ ଯାହାଫଳରେ ବର୍ଷାଦିନରେ ନାଳରେ ପାଣିହେଲେ ବାଧ୍ୟ ହୋଇ ଗ୍ରାମବାସୀମାନେ ରୋଗୀଙ୍କୁ ଖଟିଆରେ ବୋହି ନାଳ ପାରି କରିଥାନ୍ତି । ତିନି ଚାରି ଦିନ ଧରି ଲଗାଣ ବର୍ଷାରେ କୋଚିଲା ଖାଳରେ ପାଣି ଆସିବାରୁ ଗ୍ରାମବାସୀଙ୍କ ଦ୍ବାରା ନିର୍ମିତ ବାଉଁଶ ପୋଲଟି ଭାସି ଯାଇଥିଲା । ଲୋକମାନେ ଯାତାୟାତ ଠପ୍ ହୋଇଯାଇଥିବା ବେଳେ ଏହାର ପ୍ରତିବାଦ କରି ଜଣେ ବ୍ୟକ୍ତିକୁ ଖଟିଆରେ ବୋହି ନାଳ ପାରି କରିଥିଲେ ।

ଏହାକୁ ଭିଡ଼ିଓ କରି ଭିଆରାଲ ମଧ୍ୟ କରିଛନ୍ତି ଗାଁ ଲୋକେ । ଭୋଟ ସମୟରେ ରାଜଧାନୀରୁ ଆରମ୍ଭ କରି ବଡ ବଡ ନେତା ଓ ସ୍ଥାନୀୟ ନେତା ମାନେ ଆସି ନିରୀହ ଜନତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଭୋଟ ନେଇଥାନ୍ତି ଓ ପରବର୍ତ୍ତୀ ସମୟରେ ଭୁଲିଯାଇଥାନ୍ତି । ଗ୍ରାମବାସୀମାନେ ବାରମ୍ବାର ବିଭିନ୍ନ ସମୟରେ ପଂଚାୟତର ସରପଂଚ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ସହ ଜିଲ୍ଲାପାଳଙ୍କୁ ଏବାବଦରେ ଜଣାଇଥିଲେ ମଧ୍ୟ ଗ୍ରାମବାସୀମାନଙ୍କ ପାଇଁ ସ୍ଥାୟୀ ପୋଲଟିଏ କରାଯାଉନାହିଁ । ଯାହା ପାଇଁ ଗାଁ ରେ ବଢୁଛି ଅସନ୍ତୋଷ ।।

Leave A Reply

Your email address will not be published.