Latest Odisha News

BREAKING NEWS

କିଙ୍ଗ କୋହଲି : କ୍ରିକେଟ ପଡିଆରେ ୧୫ ବର୍ଷର ରାଜୁତି ଜାରୀ

ଭାରତର ମହାନ ଖେଳାଳି ବିରାଟ କୋହଲିଙ୍କ ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ୧୫ ବର୍ଷ ପୂରଣ ହୋଇଛି । କିଙ୍ଗ କୋହଲି ପଡିଆରେ ଏବେ ବି ରାଜୁତି ଜାରୀ ରଖିଛନ୍ତି । ୧୫ ବର୍ଷ ତଳେ ଡାମ୍ବୁଲାରେ କ୍ୟାରିୟର ଆରମ୍ଭ କରିଥିବା ଏହି ଛୋଟ ପିଲାଟି ଦିନେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ଚ୍ୟାଲେଞ୍ଜ କରିବେ ତାହା କେହି କେବେ ଭାବି ନ ଥିଲେ । ୨୦୦୮ରେ ଭାରତକୁ ୧୯ ବର୍ଷରୁ କମ ବିଶ୍ୱକପରେ ଚାମ୍ପିୟନ କରାଇବା ପରେ କୋହଲି ଚର୍ଚ୍ଚାକୁ ଆସିଥିଲେ । ଆନ୍ତର୍ଜାତୀୟ ପଦାର୍ପଣ ପରେ ଖୁବ କମ ଦିନରେ ସେ ଦିନିକିଆ କ୍ରିକେଟରେ ଭାରତର ଏକ ବିଶ୍ୱାସଯୋଗ୍ୟ ଖେଳାଳି ହୋଇପାରିଥିଲେ । ଏପରିକି ସେ ୨୦୧୧ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ମଧ୍ୟ ରହିଥିଲେ ।

ଏହା ପରେ ସେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ମହେନ୍ଦ୍ର ସିଂ ଧୋନୀ ୨୦୧୪ରେ ଟେଷ୍ଟରୁ ଅବସର ନେବା ପରେ କୋହଲି ହୋଇଥିଲେ ଭାରତୀୟ ଟିମର ଅଧିନାୟକ । ୨୦୧୭ରେ ସେ ୩ଟି ଯାକ ଫର୍ମାଟରେ ଦଳର ନେତୃତ୍ୱ ନେଇଥିଲେ । ଆକ୍ରମଣାତ୍ମକ ଓ ବୋଲ୍ଡ ନିଷ୍ପତି ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ୪୦ଟି ଟେଷ୍ଟରେ ସେ ଦଳକୁ ବିଜୟୀ କରାଇ ଭାରତର ସଫଳ ଅଧିନାୟକ ସାଜିଥିଲେ । ଏଥିରେ ୭ ଦ୍ୱିଶତକ ସାମିଲ । ଅଧିନାୟକ ଭାବେ କ୍ରିକେଟ ଇତିହାସରେ ସେ ସର୍ବାଧିକ ଦ୍ୱିଶତକ ହାସଲ କରିଥିଲେ ।

ନିକଟରେ ସେ ପାଖାପାଖି ୩ ବର୍ଷ ହେବ ଶତକ ହାସଲ କରିପାରି ନ ଥିଲେ । କାହାଣୀର ବିରାମ ଏବଂ ନକରାତ୍ମକ ଦିଗ ପ୍ରତି ଆଲୋଚନା ଜୋର ଧରିଥିଲା । ତାହା ବୋଧେ ଥିଲା ଝଡ ପୂର୍ବର ନୀରବତା । ଅଧିନାୟକ ପଦ ତାଙ୍କ ହାତରୁ ଧିରେ ଧିରେ ଯୋଜନାବଦ୍ଧ ଭାବେ ଛଡେଇ ନିଆଯାଇଥିଲା । ଆଫଗାନିସ୍ତାନ ବିପକ୍ଷରେ ଟି୨୦ ଶତକ ଏବଂ ଟି୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ସମାଲୋଚକଙ୍କୁ ଚୁପ କରାଇ ଦେଇଥିଲେ । ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ମଧ୍ୟ ସେ ଶତକ ମରୁଡି ଶେଷ କରିଥିଲେ । ଦିନିକିଆରେ ୪୬ ସହ ସେ ଆନ୍ତର୍ଜାତୀୟ କ୍ରିକେଟରେ ୭୬ ଶତକ ହାସଲ କରି ସାରିଛନ୍ତି ।

ତାଙ୍କର ସବୁଠାରୁ ବଡ ସ୍ୱପ୍ନ ରହିଛି ଦ୍ୱିତୀୟ ଥର ପାଇଁ ବିଶ୍ୱକପ ବିଜୟୀ ଭାରତ ଦଳର ସଦସ୍ୟ ରହିବା । ଆଗକୁ ଘରୋଇ ପରିବେଶରେ ବିଶ୍ୱକପ ଖେଳାଯିବ । ଆଉ ନିଃସନ୍ଦେହ କୋହଲି ଭାରତକୁ ଚାମ୍ପିୟନ କରାଇବା ପାଇଁ ଯଥାସମ୍ଭବ ଉଦ୍ୟମ କରିବେ । ୩୪ ବର୍ଷରେ କୋହଲି ଓଭରାଲ ୫୦୧ ମ୍ୟାଚ ଖେଳିଛନ୍ତି । ୭୬ ଶତକ, ୧୩୧ ଅର୍ଦ୍ଧଶତକ ସହ ସେ ୨୫୫୮୨ ରନ କରିଛନ୍ତି । ଏଥିରେ ୨୫୪ ତାଙ୍କର ସର୍ବାଧିକ ସ୍କୋର ରହିଛି । ଆନ୍ତର୍ଜାତୀୟ କ୍ରିକେଟରେ ସେ ୫ମ ସର୍ବାଧିକ ରନ ସ୍କୋରର ସାଜିଛନ୍ତି । ତାଙ୍କର ଗୋଟିଏ ଲକ୍ଷ୍ୟ ସଚିନଙ୍କ ୩୪,୩୫୭ ରନ ।

Leave A Reply

Your email address will not be published.