ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର ନେତ୍ରହୀନ ନୀରଞ୍ଜନ ବେହେରା । ଦିବ୍ୟାଙ୍ଗ ହୋଇ ମଧ୍ୟ ଅନ୍ୟ ଦିବ୍ୟାଙ୍ଗ ପାଇଁ ସେ ଦୀର୍ଘ ବର୍ଷ ହେଲା ସଂଘର୍ଷ କରି ଆସୁଛନ୍ତି । ଏହି ମହତ କାର୍ଯ୍ୟ ପାଇଁ ପୂର୍ବରୁ ନିରଞ୍ଜନ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ବେଳେ ଆଜି ‘ବିଶ୍ୱ ଭିନ୍ନକ୍ଷମ ଦିବସ’ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପୁରସ୍କାର ପାଇବାକୁ ଯାଉଛନ୍ତି ।
କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ନିରଞ୍ଜନଙ୍କୁ ସମ୍ବର୍ଦ୍ଧିତ କରିବା ନେଇ ଜଣାପଡ଼ିଛି ।
ଗରିବ ପରିବାରରେ ଜନ୍ମଲାଭ କରିଥିବା ନିରଞ୍ଜନଙ୍କୁ ୮ ବର୍ଷ ହୋଇଥିବା ବେଳେ ଏକ ଦୁର୍ଘଟଣାରେ ସେ ଦୃଷ୍ଟି ଶକ୍ତି ହରାଇଥିଲେ ।
ପାରଳାଖେମୁଣ୍ଡି ସ୍ଥିତ ଅରବିନ୍ଦ ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା ନିରଞ୍ଜନ ସମ୍ପୂର୍ଣ୍ଣ ଭାବେ ଦୃଷ୍ଟିଶକ୍ତି ହରାଇ ଥିବାରୁ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରି ନଥିଲେ ।
ଅନ୍ୟ ଦିବ୍ୟାଙ୍ଗଙ୍କ ଦୁଃଖକୁ ଭଲ ଭାବେ ବୁଝି ପାରନ୍ତି ସେ। ସକ୍ଷମ ସମାଜରେ ଦିବ୍ୟାଙ୍ଗଟିଏ କିପରି ସମସ୍ୟାର ସମ୍ମୁଖୀନ ହୁଏ ତାହା ସେ ନିଜେ ଭୋଗିଛନ୍ତି।
ତେଣୁ ୨୦୦୪ ମସିହାରେ ସେ ଏକ ସ୍ବେଚ୍ଛାସେବୀ ସଂଗଠନ ‘ସେଣ୍ଟର ଫର କମ୍ୟୁନିଟି ଡେଭଲପ ମେଣ୍ଟ’ ରେ ଯୋଗ ଦେଇ ଦିବ୍ୟାଙ୍ଗଙ୍କ ପାଇଁ କାମ କରି ଆସୁଛନ୍ତି ନିରଞ୍ଜନ।
‘ସବଳ ସେଣ୍ଟର ଅଫ ଆକ୍ସନ ସହାୟତା’, ବେଙ୍ଗାଲୁର ଦ୍ୱାରା ଆୟୋଜିତ ଏନଟିପିସି ନୋଏଡାରେ ଏକ ଜାତୀୟ ନେତୃତ୍ୱ ଶିବିର ତାଙ୍କୁ ଦିବ୍ୟାଙ୍ଗଙ୍କ ଅଧିକାର ପାଇଁ ଲଢ଼ିବାକୁ ପ୍ରସ୍ତୁତ କରିଥିଲା ।
୨୦୧୦ ମସିହାରେ ସେ ‘ଓଡିଶା ବିକଳାଙ୍ଗ ମଞ୍ଚ’ର ଷ୍ଟେଟ କୋଡ଼ିନେଟର ହେଲେ। ଏହାର ୨ ବର୍ଷ ପରେ ସେ ଏହି ସଂସ୍ଥାର ସଭାପତି ନିମନ୍ତେ ମନୋନୀତ ମଧ୍ୟ ହୋଇଥିଲେ ।
ସେ ରାଜ୍ୟରେ ଏକ ସ୍ୱତନ୍ତ୍ର ବିକଳାଙ୍ଗତା ଆୟୁକ୍ତ କାମକାର୍ଯ୍ୟର ଦେଖାଶୁଣା କଲେ । ତାଙ୍କ ସିଫାରିସ କ୍ରମେ ରାଜ୍ୟ ସରକାର ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ପ୍ରତି ମାସରେ ୧୦ କିଲୋ ଚାଉଳ ପ୍ରଦାନ କରୁଥିଲେ ।
ନିରଞ୍ଜନ ଗତବର୍ଷ ତିତିଲିରେ ନିଜର ସର୍ବସ୍ବ ହରାଇ ବର୍ତ୍ତମାନ ଏକ ପଲିଥିନ ଟାଣି ରହୁଛନ୍ତି ।
ଗଜପତି ଜିଲ୍ଲା ମାଜିଷ୍ଟ୍ରେଟ (ଡିଏମ) ଅନୁପମ ଶାହା ନିରଞ୍ଜନଙ୍କୁ ତାଙ୍କ ଉପଲବ୍ଧି ପାଇଁ ବଧେଇ ଜଣାଇବା ସହ ଅନ୍ୟ ଦିବ୍ୟାଙ୍ଗମାନଙ୍କ ପାଇଁ ସେ ଏକ ପ୍ରେରଣା ବୋଲି କହିଛନ୍ତି। ସରକାରୀ ଯୋଜନା ଆଧାରରେ ନିରଞ୍ଜନଙ୍କୁ ଘର ଯୋଗାଇ ଦିଆଯିବ ବୋଲି ଡିଏମ କହିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ।
ଅନ୍ୟପକ୍ଷରେ, ନିଜେ ଭିନ୍ନକ୍ଷମ ହୋଇ ମଧ୍ୟ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଥିବା ନିରଞ୍ଜନଙ୍କ କୃତିତ୍ୱରେ ଓଡ଼ିଶା ସମେତ ତାଙ୍କ ପରିବାର ବର୍ଗ ବେଶ୍ ଗର୍ବିତ ।
Comments are closed.