Latest Odisha News

BREAKING NEWS

ବିଶ୍ବଭାରତୀ ପକ୍ଷରୁ ଅମର୍ତ୍ତ୍ୟ ସେନଙ୍କୁ ବେଦଖଲ ନୋଟିସ୍: ମାର୍ଚ୍ଚ ୨୯ ଶୁଣାଣିରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

କୋଲକାତା: ନେବେଲ ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କୁ ପଶ୍ଚିମବଙ୍ଗ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ବିଶ୍ବଭାରତୀ ଶାନ୍ତିନିକେତନ ପକ୍ଷରୁ ଜାରି ହୋଇଛି ବେଦଖଲ ନୋଟିସ । ଅମର୍ତ୍ତ୍ୟ ସେନ ବେଆଇନ ଭାବେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସର ଜାଗା ଜବରଦଖଲ କରିଥିବା ନେଇ ଅଭିଯୋଗ ଆଣି ବିଶ୍ୱବିଦ୍ୟାଳୟ ଏପରି ନୋଟିସ ଜାରି କରିଛି । ଏହି ଜାଗା ଛାଡି ଚାଲିଯିବା ପାଇଁ ବିଶ୍ୱବିଦ୍ୟାଳୟ ତାଙ୍କୁ କହିଛି । ଏହାବ୍ୟତୀତ କହିବା ସତ୍ତ୍ୱେ ସେ ଜାଗା ଛାଡି ଯାଉ ନ ଥିବାରୁ କାହିଁକି ବେଦଖଲ ନୋଟିସ ଜାରି କରା ନ ଯିବ ସେ ନେଇ କାରଣ ଦର୍ଶାଇବାକୁ ଏହି ନୋଟିସରେ କୁହାଯାଇଛି ।

ବିଶ୍ୱବିଦ୍ୟାଳୟ  ପକ୍ଷରୁ ଅମର୍ତ୍ତ୍ୟ ସେନଙ୍କ ଘର ପ୍ରତିଚୀ ଠିକଣାରେ ଏକ ଚିଠି ପଠାଯାଇଛି । ଏହି ଚିଠିରେ ଅଭିଯୋଗ କରାଯାଇଛି, ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ ବିଶ୍ୱଭାରତୀର ୧୩ ଡିସିମିଲ ଜାଗା ଜବରଦଖଲ କରିଛନ୍ତି । ଆଇନଅନୁଯାୟୀ ସେ କାହିଁକି ଏହି ଜାଗା ନ ଛାଡିବେ ସେଥିପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।

ଚିଠିରେ ଅମର୍ତ୍ତ୍ୟ ସେନ କିମ୍ବା ତାଙ୍କର ଦୁଇଜଣ ପ୍ରତିନିଧି ବିଶ୍ୱ ଭାରତୀ ସେଣ୍ଟ୍ରାଲ ଆଡମିଶନ ବିଲ୍ଡିଂର କନଫରେନ୍ସ ହଲରେ ମାର୍ଚ୍ଚ ୨୯ ତାରିଖ ସୁଦ୍ଧା ପହଞ୍ଚିବା ପାଇଁ କୁହାଯାଇଛି । ସେଠାରେ ବିବାଦୀୟ ଜମି ପ୍ରସଙ୍ଗରେ ଶୁଣାଣି ହେବ । ସେ ଯଦି ହାଜର ନ ହୁଅନ୍ତି ବା ପ୍ରତିନିଧି ନ ପଠାନ୍ତି, ତେବେ ଏକପାଖିଆ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ତେବେ ଅମର୍ତ୍ତ୍ୟ ସେନ ଉକ୍ତ ନୋଟିସ୍ ପାଇଛନ୍ତି କି ନା ଜଣାପଡ଼ି ନାହିଁ।

ବିଶ୍ବଭାରତୀର କୁଳପତି ବିଦ୍ୟୁତ୍ ଚକ୍ରବର୍ତ୍ତୀ ୨୦୨୨ରୁ ଅଭିଯୋଗ କରି ଆସୁଛନ୍ତି ,  ଅମର୍ତ୍ତ୍ୟଙ୍କ ବାପା ଆଶୁତୋଷ ସେନ   ବିଶ୍ବବିଦ୍ୟାଳୟର ପ୍ରଫେସର ଥିଲେ ।  ତାଙ୍କୁ ୧.୨୫ ଏକର ଜାଗା ୯୯ ବର୍ଷିଆ ଲିଜ୍‌ରେ ଦିଆଯାଇଥିଲା। ହେଲେ ଏହା ବାଦ ସେ  ୧୩ ଡିସିମିଲ ରଖିଛନ୍ତି । ଏହି ଜାଗା ସେ ବିଶ୍ବବିଦ୍ୟାଳୟକୁ ଫେରାଇଦେବା ଉଚିତ। ଗତ ଜାନୁଆରି ୨୪ ତାରିଖରୁ ସେନଙ୍କୁ ଏପର୍ଯ୍ୟନ୍ତ ତିନୋଟି ଚିଠି ଦିଆ ସରିଲାଣି। ମାତ୍ର ସେ ଗୋଟିଏ ବି ଚିଠିର ଉତ୍ତର ଦେଇନାହାନ୍ତି

Leave A Reply

Your email address will not be published.