Latest Odisha News

BREAKING NEWS

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜାଗାରେ ମଦ ଦୋକାନ: ତାତିଲେ ଲୋକେ

ଜଗତସିଂହପୁର: ମାଡି ବସିଛନ୍ତି ମାଫିଆ । ଗୋଚର ଜମି, ଶ୍ମଶାନ ଜମି କିଛି ବି ଛାଡୁ ନାହାନ୍ତି । ଶହ ଶହ ଏକର ସରକାରୀ ଜମିକୁ ଜବରଦଖଲ କରି କେଉଁଠି ପୋଖରୀ ଖୋଳାଇଛନ୍ତି ତ କେଉଁଠି ନିର୍ମାଣ କାମ କରୁଛନ୍ତି । ଜିଲ୍ଲା ପ୍ରଶାସନର ଆଖି ଆଗରେ ଏସବୁ ବେଆଇନ କାମ ଚାଲିଥିଲେ ବି କେହି କିଛି କରିପାରୁ ନାହାନ୍ତି । ଜନତା ବି ଜଳକା । କାରଣ ବାଡ ଏଠି ଫସଲ ଖାଉଛି । ଜଗିବ କିଏ ? ଜନତା ଯେଉଁ ପ୍ରଶାସନକୁ ଗୁହାରୀ କରୁଛନ୍ତି, ସେହି ପ୍ରଶାସନର କିଛି ଅଧିକାରୀ ଏପରି ବେଆଇନ କାମରେ ସାମିଲ ଅଛନ୍ତି ।

ବାଲିକୁଦା ଅଞ୍ଚଳ ଗୋପାଳନ କ୍ଷେତ୍ରରେ ରାଜ୍ୟରେ ପ୍ରମୂଖ ଭୂମିକା ଗ୍ରହଣ କରି ଆସିଛି । ଏଠିକାର ୪୦ ପ୍ରତିଶତ ଲୋକ ଗୋପାଳନ ଉପରେ ନିର୍ଭର କରିଥାନ୍ତି । ହେଲେ ଗୋଚର ଜମି ଜବରଦଖଲକାରୀଙ୍କ କବଜାରେ ରହିବା ଫଳରେ ଗୋରୁ ଗାଈ କେଉଁଠି ଚରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ଲୋକେ ।  ବୋରିକିନା ପଂଚାୟତରେ ଥିବା ଗୋଚର ଓ ଶ୍ମଶାନ ଜମି ଦେଇ ଜଣେ ମଦ ମାଫିଆ ରାସ୍ତା ନିର୍ମାଣ କରୁଛନ୍ତି ।  ବେଆଇନ ଭାବରେ ଜୋରଜବରଦସ୍ତ ମଦ ଦୋକାନ ନିର୍ମାଣ ଚାଲିଥିବାବେଳେ  ରାସ୍ତା ତିଆରି ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ।

ଏହି ସ୍ଥାନରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ନିମନ୍ତେ ଜାଗା ନିର୍ଦ୍ଧାରଣ କରାଯାଇଥିଲା । ହେଲେ ସେହି ଜାଗାରେ ହେଉଛି ମଦ ଦୋକାନ । ସବୁଠାରୁ ଚିନ୍ତାର ବିଷୟ ହେଉଛି, ମଦମାଫିଆ ଜଣକ ତାଙ୍କର ଅନ୍ୟ ସ୍ଥାନରେ ଥିବା ଏକ ମଦ ଦେକାନଙ୍କୁ ଏଠାକୁ ସ୍ଥାନାନ୍ତର ପାଇଁ ମସୁଧା କରି  ନିଜ ଜମିରେ ଗୃହ ନିର୍ମାଣ କରୁଛନ୍ତି ଏବଂ ଗୋଚର ଓ ଶ୍ମଶାନ ଜମି ଉପରେ ରାସ୍ତା  ନେଉଛନ୍ତି । ଏ ବାବଦରେ ପ୍ରଶାସନ କୁ ବାରମ୍ବାର ଜଣାଇବା ପରେ ମଧ୍ୟ ଏଥି ପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି ।  ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିବା ସହ ପ୍ରତିକାର ନ ହେଲେ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

କେବଳ ବୋରିକିନା ପଂଚାୟତ ନୁହେଁ, ଥାଇଳ, ଅଳାଭର, ଅରିଲୋ ଆଦି ପଂଚାୟତ ସହ ଆହୁରି ଅନେକ ପଂଚାୟତରେ ମଧ୍ୟ କିସମ ପରିବର୍ତ୍ତନ କରା ନ ଯାଇ ଗୋଚର ଜମି ଉପରେ ବେଆଇନ ଭାବରେ ଏନ.ଆର. ଇ.ଜି.ଏସ. ଯୋଜନାରେ  ପୋଖରୀ ଖୋଳା ଯାଉଛି । ଏଥିସହ ବ୍ୟକ୍ତିଗତ ଭାବରେ କିଛି ଜବର ଦଖଲକାରୀ ନିଜସ୍ୱ ଗୃହ ନିର୍ମାଣ କରୁ ଥିବାର ଅଭିଯୋଗ ହେଉଛି ।  ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିବା ସହିତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.