Latest Odisha News

BREAKING NEWS

‘ଉଭୟ ବିଧାୟକ ଓ ସାଂସଦ ବିଜେଡିରୁ ହେବା ଦରକାର, ଅନ୍ୟ ଦଳର ହେଲେ ବିକାଶ କାମରେ ବାଧା ଦେବେ’

କେନ୍ଦୁଝର: ଉଭୟ ବିଧାୟକ ଓ ସାସଂଦ ବିଜେଡିରୁ ହେବା ଦରକାର । ଆଉ ଯଦି କିଏ ସାଂସଦ ହୁଅନ୍ତି, ସେ ଅଧିକ ରାଜନୀତି କରି ଯାହା ବି କାମ ଚାଲିଛି ସବୁଥିରେ ମୁଣ୍ଡ ପୁରାଇବେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପି ଦଳ ବିରୋଧ କରି ହାଇକୋର୍ଟ, ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା, କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସେମାନେ ବିଫଳ ହେଲେ ଏବଂ ଆମ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ସଫଳ ହେଲେ ବୋଲି ଆଜି କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ଚମ୍ପୁଆ ବିଧାନସଭା କ୍ଷେତ୍ରରେ ପ୍ରଚାର ସମୟରେ ଏପରି କହି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ ।

ସେହିପରି ଜନଜାତୀଙ୍କ ବିଷୟରେ ବିଜେପିକୁ ଖୋଲା ସମାଲୋଚନା କରି ପାଣ୍ଡିଆନ କହିଛନ୍ତି ଯେ, ଅନ୍ୟ ରାଜ୍ୟମାନେ ଟ୍ରାଇବାଲ ବଜେଟ୍ କମାଇ କମାଇ ଚାଲିଛନ୍ତି, କିନ୍ତୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଟ୍ରାଇବାଲ ବଜେଟ୍ କୁ ସବୁବେଳେ ବଢ଼ାଇ ବଢ଼ାଇ ଚାଲିଛନ୍ତି । ମୁଖ୍ୟମନ୍ତ୍ରୀ ଜନଜାତି ଭାଇଭଉଣୀମାନଙ୍କୁ ତାଙ୍କ ହୃଦୟର ସବୁଠାରୁ ଭଲ ସ୍ଥାନରେ ସମ୍ମାନର ସହ ରଖିଛନ୍ତି । ସେମାନଙ୍କ କଳା, ସଂସ୍କୃତି ଓ ପୂଜାସ୍ଥଳୀର ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଅନ୍ୟ କୌଣସି ରାଜ୍ୟ ଏଭଳି କି ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ଏହା କରିନାହାନ୍ତି ବୋଲି ପାଣ୍ଡିଆନ କଡା ଆକ୍ଷେପ କରିଛନ୍ତି ।

ସେହିପରି ଲକ୍ଷ ଲକ୍ଷ ଜନଜାତି ସମ୍ପ୍ରଦାୟର ଝିଅମାନଙ୍କ ପାଠପଢ଼ା ସୁବିଧା ପାଇଁ ହଷ୍ଟେଲ ଖୋଲିଛନ୍ତି। ଜଙ୍ଗଲ ଉପରେ ନିର୍ଭରଶୀଳ ଜନଜାତି ସମ୍ପ୍ରଦାୟଙ୍କ ଜଙ୍ଗଲଜାତ ଦ୍ରବ୍ୟକୁ ଉଚିତ୍ ମୁଲ୍ୟରେ କିଣିବା ପାଇଁ ଲାଭ ଯୋଜନା ଆରମ୍ଭ କରିଛନ୍ତି । ଜନଜାତି ସମ୍ପ୍ରଦାୟଙ୍କ ଉପରୁ ୫୦ ହଜାର ଛୋଟ, ବଡ଼ ପୋଲିସ୍‍ କେଶ ରଦ୍ଦ କରିଛନ୍ତି ବୋଲି ପାଣ୍ଡିଆନ ତାଙ୍କ ପ୍ରଚାରରେ କହିଛନ୍ତି ।

ସେ ଆହୁରି କହିଛନ୍ତି, ମିଶନଶକ୍ତି ହେଉଛି ମୁଖ୍ୟମନ୍ତ୍ରୀଙ୍କ ଶକ୍ତି । କୌଣସି ରାଜ୍ୟ ସରକାର ମା’ ମାନଙ୍କ ଯିବା ଆସିବା ଭଡ଼ା ୫ ଟଙ୍କା କରିନାହାନ୍ତି, ଆମ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସରେ ୫ ଟଙ୍କାରେ ଏହି ସୁବିଧା ଦେଉଛନ୍ତି ।

ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସାରା ଓଡ଼ିଶା କହୁଛି । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ବିଜୁଳି ବିଲ୍‍ ଛାଡ଼ ହେବ । ଦ୍ୱିତୀୟ ଦସ୍ତଖତରେ ବିଏସକେୱାଇ କାର୍ଡରେ ସମସ୍ତେ ସାମିଲ ହେବେ ଏବଂ ତୃତୀୟ ଦସ୍ତଖତରେ ମିଶନଶକ୍ତି ମାଆ ଓ ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ୍‍ ବ୍ୟବସ୍ଥା କରିବେ ବୋଲି ସେ କହିଛନ୍ତି ।

କେନ୍ଦୁଝରରେ ମେଡିକାଲ କଲେଜ, ଯୋଡ଼ା ଫ୍ଲାଇଓଭର ସହିତ ୧୨ ହଜାର ୬୦ କୋଟି ଟଙ୍କା ବିନିଯୋଗରେ ଘରେ ଘରେ ପିଇବା ପାଣି ସୁବିଧା କରାଯାଇଛି । ଏତେ ଭଲ କାମରେ ଦେଖି ବିରୋଧି ଦଳଙ୍କ ନିଦ ଭାଙ୍ଗିଗଲାଣି, ଏବେ ଲାଗିଛନ୍ତି ମିଛ କଥା କହି ଅପପ୍ରଚାର କରିବା ପାଇଁ ।

ତେବେ ଆଜି କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ବିଜେଡିର ବରିଷ୍ଠ ନେତା ପାଣ୍ଡିଆନ ଯୋରଦାର ପ୍ରଚାର କରିଛନ୍ତି । ଏହି ସମୟରେ ସେ ବିଧାନସଭା ପ୍ରାର୍ଥୀ ସନାତନ ମହାକୁଡ଼ ଓ ଲୋକସଭା ପ୍ରାର୍ଥୀ ଧନୁର୍ଜୟ ସିଦ୍ଧଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଆହ୍ବାନ ଦେଇଛନ୍ତି ।

Leave A Reply

Your email address will not be published.